ଯେତେବେଳେ ସାମ୍ରାଜ୍ୟବାଦୀ ଇଂରେଜମାନେ ପରାଧୀନ ଭାରତକୁ ଏକ ରାଷ୍ଟ୍ର ବୋଲି ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ, ଭାରତର ଗରିମାମୟୀ ସଂସ୍କୃତିର ଅସ୍ତିତ୍ୱକୁ ହେୟଜ୍ଞାନ କରୁଥିଲେ, ସେହିପରି ସମୟରେ, ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ମଦନମୋହନ ମାଲବ୍ୟ, ଭାରତର ଜଗତ କଲ୍ୟାଣକାରୀ ଆଧାରକୁ ଦୃଢ଼ ଯୁକ୍ତି ମାଧ୍ୟମରେ ସମଗ୍ର ବିଶ୍ୱବାସୀଙ୍କୁ ଜଣାଇଥିଲେ,
"ଯଦି ବିଶ୍ୱ କଲ୍ୟାଣର କଥା ହିନ୍ଦୁତ୍ୱ ଭିତରେ ନ ଥାନ୍ତା, ତେବେ ହିନ୍ଦୁ ଧର୍ମ ନଷ୍ଟ ହୋଇଗଲେ ବି ମୁଁ ତିଳେ ହେଲେ ଚିନ୍ତା କରି ନ ଥାନ୍ତି। କିନ୍ତୁ ସମଗ୍ର ସଂସାରରେ ହିନ୍ଦୁ ଏପରି ଏକ ଜାତି, ଯିଏ ଧାର୍ମିକ ଏବଂ ଦାର୍ଶନିକ ସିଦ୍ଧାନ୍ତକୁ ବ୍ୟାବହାରିକ ରୂପ ଦେଇଛି, ଆଚରଣସିଦ୍ଧ କରିଛି। ଏ ଦୁନିଆଁରେ ସେଇ ଏକ ମାତ୍ର ଜାତି ବଞ୍ଚି ରହିଛି ଯିଏ ବେଦ ଓ ଶାସ୍ତ୍ର ଉପରେ ଅଗାଧ ଶ୍ରଦ୍ଧା ରଖିଛି। ସେଇ ଏକ ମାତ୍ର ଜାତି ଯିଏ ନା କେବଳ ଆତ୍ମାର ଅମରତ୍ୱ ଉପରେ ବିଶ୍ୱାସ ରଖେ, ବରଂ ଅନେକତାରେ ଏକତାର ଦିବ୍ୟ ଦର୍ଶନ କରିଥାଏ। ହିନ୍ଦୁତ୍ୱ ଏପରି ଏକ ତତ୍ତ୍ୱ ଯାହାକୁ ବିଶ୍ୱ ଆଜି ନୁହେଁ ତ କାଲି ଆପଣେଇବାକୁ ଚାହିଁବ। ଏହାର ଆବଶ୍ୟକତାକୁ ଅନୁଭବ କରିବ। ଏପରି ଦିନ ଆସିବ ଯେଉଁଦିନ ସେ(ବିଶ୍ୱ) ହିନ୍ଦୁତ୍ୱ ଆଡ଼କୁ ଅଗ୍ରସର ହେବ। ସେତେବେଳେ ଏହି ହିନ୍ଦୁ ଜାତି ବିଶ୍ୱକୁ ମାର୍ଗ ଦେଖାଇବ।"
ମହାମନାଙ୍କ ଏଇ କଥନରୁ ସ୍ପଷ୍ଟ ହୋଇଯାଉଛି ଯେ ବିଶ୍ୱ ଶାନ୍ତି ପାଇଁ ଭାରତୀୟ ସଂସ୍କୃତି କେତେ ମହତ୍ତ୍ୱପୂର୍ଣ୍ଣ ଏବଂ ଏହାର ବୈଶ୍ବିକ ଭୂମିକା କଣ ଥିଲା ଏବଂ ଏହାର ଭବିଷ୍ୟତ ଭୂମିକା କିପରି ହେବ।
ଆମେ ହିନ୍ଦୁମାନେ ଖୁବ ଭଲଭାବେ ଏ କଥା ହୃଦୟଙ୍ଗମ କରିବା ଆବଶ୍ୟକ ଯେ, ଆମ ସଂସ୍କୃତିରେ ଅଖିଳ ମାନବ ଜାତି ମଧ୍ୟରେ ବନ୍ଧୁତ୍ୱଭାଵ ସୃଷ୍ଟି କରିବାର କ୍ଷମତା ରହିଛି। ହିନ୍ଦୁ ଜୀବନର ଏହି ଶ୍ରେଷ୍ଠତମ ଲକ୍ଷ୍ୟକୁ ଆମେ ଚିହ୍ନିବା ଓ ତଦନୁସାରେ ପ୍ରଥମେ ନିଜ ଜୀବନ ଗଠନ କରିବା ଏକାନ୍ତ ଆବଶ୍ୟକ।
ଆମ ପ୍ରାଚୀନ ସଭ୍ୟତାରେ, ଜୀବନର ଆଧାର ଥିଲା ଧର୍ମ ଓ ଉଦ୍ଦେଶ୍ୟ ଥିଲା ମୋକ୍ଷ। ଏ ଉଭୟଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଅବସ୍ଥାରେ ଅର୍ଥ ଓ କାମ ରହିଥିଲା। ସେଥିପାଇଁ ଲୋକମାନେ ସୁଖ ଓ ଶାନ୍ତିରେ କାଳାତିପାତ କରି ମାନବ ଜନ୍ମକୁ ସାର୍ଥକ କରୁଥିଲେ।
ଏବେ, ଏହି ତତ୍ତ୍ୱଜ୍ଞାନର ଆଭାସ ଭିନ୍ନ ଭିନ୍ନ ଦେଶର ଶ୍ରେଷ୍ଠ ବିଚାରବନ୍ତ ଲୋକଙ୍କୁ ହେବାକୁ ଲାଗିଲାଣି। ପୂର୍ଣ୍ଣ ବୋଧ ପ୍ରାପ୍ତି ନିମନ୍ତେ ତାଙ୍କ ପ୍ରଚେଷ୍ଟା ଜାରି ରହିଛି। ଚାରି ପୁରୁଷାର୍ଥ ବିଷୟରେ ସେମାନଙ୍କୁ ଜଣାଇବା ହିନ୍ଦୁ ସମାଜର ଦାୟିତ୍ୱ। କିନ୍ତୁ ଦୁର୍ବଳର ତତ୍ତ୍ୱଜ୍ଞାନ ଦୁନିଆଁ ଶୁଣେ ନାହିଁ। ବିଜ୍ଞାନର ଅଗ୍ରଗତି ହେତୁ, ମଙ୍ଗଳଗ୍ରହରେ ମହାକାଶ ଯାନ ପହଞ୍ଚିବା ହେଉ ଅବା ବ୍ରହ୍ମାଣ୍ଡ କଣିକାକୁ ଖୋଜି ପାଇବା ହେଉ ଅଥବା ପରମାଣୁ ବୋମା ତିଆରି କରି ବ୍ରହ୍ମାଣ୍ଡ ଧ୍ବଂସ କରିବାର କ୍ଷମତା ହାସଲ କରି ଅହଙ୍କାରୀ ମନୁଷ୍ୟ ନିଜର ବିକାଶ ଓ ପ୍ରଗତିକୁ ଉପେକ୍ଷା କରି ମାନବ ଜାତିକୁ ଧ୍ୱଂସ କରିବାକୁ ଉଦ୍ୟମ ଚଳାଇ ରଖୁଛି ।
ଉଦ୍ଦଣ୍ଡ ମାନବର ଉଦ୍ଦଣ୍ଡତା ଉପରେ ଅଙ୍କୁଶ ଲଗାଇବାର କ୍ଷମତା ଭାରତକୁ ହାସଲ କରିବାକୁ ହେବ। ଉତ୍କୃଷ୍ଟ, ସମୃଦ୍ଧ ଓ କ୍ଷମତା ସମ୍ପନ୍ନ ସମାଜ ଜୀବନ ଭାରତରେ ଛିଡ଼ା କରିବାକୁ ହେବ। ତେବେ ଯାଇ ସମଗ୍ର ବିଶ୍ୱ ଭାରତର ମାନବ କଲ୍ୟାଣକାରୀ ତତ୍ତ୍ୱଜ୍ଞାନକୁ ଗ୍ରହଣ କରିବାକୁ ଆଗଭର ହେବ। ବିଶ୍ଵଭ୍ରାତୃତ୍ବ ଆଉ ଶାନ୍ତିପୂର୍ଣ୍ଣ ସହବସ୍ଥାନ ମାର୍ଗର ମନ୍ତ୍ରରେ ମନ୍ତ୍ରିତ ହୋଇ ସଭିଏଁ ମାନବ କଲ୍ୟାଣରେ ବ୍ରତୀ ହେବେ।
କ୍ରମଶଃ....
୧୨. ୫. ୧୮

No comments:
Post a Comment