Saturday, 5 May 2018

*ବିଚାର ପ୍ରଣାଳୀ -୪*


ଚତୁର୍ଥ ବିଚାର ହେଉଛି 'ନ୍ୟୁ ଲେଫ୍ଟ' ବିଚାର (ସାମ୍ୟବାଦର ନୂତନ ସ୍ୱର)। ୟୁରୋପର ଦ୍ଵିତୀୟ ମହାଯୁଦ୍ଧ ପରେ ମଧ୍ୟ ସାମ୍ୟବାଦ ବିଚାର ବିଶ୍ୱକୁ ପ୍ରଭାବିତ କରିଥିଲା। ୧୯୫୬ରେ ଯେତେବେଳେ ହଙ୍ଗେରୀରେ ସାମ୍ୟବାଦ ବିରୋଧୀ ମତର ଉଦ୍ରେକ ହେଲା ସେତେବେଳେ ସୋଭିଏତ ଋଷର ସେନାମାନେ ତାକୁ ପାଶବିକ ଶକ୍ତିଦ୍ୱାରା ଦମନ କରିବାକୁ ଲାଗିଲେ। ଯାହାର ପରିଣତିରେ ଲକ୍ଷ ଲକ୍ଷ ସଂଖ୍ୟାରେ ୟୁରୋପୀୟମାନେ ସାମ୍ୟବାଦୀ ଦଳ ଛାଡ଼ିବାକୁ ଲାଗିଲେ। ଏ ବେଳରେ ସାମ୍ୟବାଦୀମାନେ ନିଜ ସ୍ଥିତିକୁ ବଞ୍ଚାଇ ରଖିବା ପାଇଁ ଏକ ନୂତନ କୌଶଳର ଅବଲମ୍ବନ କରି ନୂତନ ସାମ୍ୟବାଦ ଚିନ୍ତନକୁ ଜନ୍ମ ଦେଲେ। ଯାହାକୁ 'ନ୍ୟୁ ଲେଫ୍ଟ' ନାମରେ ନାମିତ କରାଗଲା। ୟୁରୋପୀୟମାନଙ୍କ ମନରେ ବଞ୍ଚିଥିବା ସାମ୍ୟବାଦୀ ଚିନ୍ତନ ପ୍ରାୟତଃ ଏହି ନୂତନ ଚିନ୍ତାଧାରାରେ ସାମିଲ ହେବାକୁ ସହାୟକ ହେଲା। ମାର୍କ୍ସଙ୍କ ଦ୍ୱାରା ଶିଳ୍ପ ଉନ୍ନତ ରାଷ୍ଟ୍ରରେ ଶ୍ରମିକମାନଙ୍କର ହିତ ସାଧନ କରିବାପାଇଁ ସାମ୍ୟବାଦର ପ୍ରସାର ହୋଇଥିଲା। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଋଷ ଭଳି ଏକ କୃଷିପ୍ରଧାନ ଦେଶରେ ସାମ୍ୟବାଦ ଅଧିକ ଲୋକପ୍ରିୟତା ହାସଲ କଲା। ଯାହା ଥିଲା ମାର୍କ୍ସଙ୍କ ପାଇଁ ଏକ ପ୍ରଶ୍ନ। କ୍ରମଶଃ ୟୁରୋପ ମହାଦେଶରେ ହିଟଲର ଓ ମୁସୋଲିନଙ୍କ ବିଚାରଧାରାକୁ ଶ୍ରେୟ ଦିଆଯାଇଥିଲା।

ଏହି ପରିବର୍ତ୍ତିତ ସମୟରେ ଇଟାଲୀର Antonio Francesco Gramsci  ଏହା ଉପରେ ବିଚାର ରଖିଲେ ଯେ ସାମ୍ୟବାଦ କେବଳ ଅର୍ଥନୀତିକୁ ପ୍ରଭାବିତ କରୁଥିଲା ତାହା ନୁହଁ ଏହା ମଧ୍ୟ ପ୍ରଛନ୍ନ ଭାବରେ ସଂସ୍କୃତି ଉପରେ ଆକ୍ରମଣ କରୁଥିଲା। ତାଙ୍କର ସ୍ୱର ଥିଲା ଏମାନଙ୍କ କବଳରୁ ସଂସ୍କୃତିକୁ କିଭଳି ବଞ୍ଚା ଯାଇପାରିବ। ଏହାକୁ ବଞ୍ଚାଇବାକୁ ହେଲେ ଅତ୍ୟାଚାରିତ ଲୋକଙ୍କ ସଂସ୍କୃତିକୁ ମହତ୍ତ୍ୱ ଦେବା ଉଚିତ। ଏହି ପରିପ୍ରେକ୍ଷୀରେ ନୂତନ ସାମ୍ୟବାଦର ଅଭ୍ୟୁଦୟ ହେଲା। ଏହା ପ୍ରଭାବରେ ଆମେରିକାରେ ହିପ୍ପି, ୟିପ୍ପୀ ଆଦି ଆନ୍ଦୋଳନ ଛିଡ଼ା ହେଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ସାମ୍ୟବାଦ ଚିନ୍ତନରେ ଥିବା ଅପସଂସ୍କୃତିର ବିଚାର ନେଇ ସଦାଚାରୀ ମାନଙ୍କର ପୂଜନ ନ କରି କଦାଚାରୀମାନଙ୍କୁ ଶ୍ରେୟ ଦିଆଯିବାକୁ ଲାଗିଲା। ଭାରତଭଳି ଐତିହ ଓ ସଂସ୍କୃତିପୂର୍ଣ୍ଣ ରାଷ୍ଟ୍ରରେ ଏହି ଚିନ୍ତନ ପ୍ରଭାବ ପକାଇ ଆଜି ଆମ ରାଜଧାନୀ ଦିଲ୍ଲୀରେ ଥିବା ଜେ.ଏନ.ୟୁ ଭଳି ସର୍ବୋଚ୍ଚ  ଶିକ୍ଷାନୁଷ୍ଠାନରେ ସୃଷ୍ଟି କଲ୍ୟାଣକାରୀ ଜଗତ ହିତୈଷିଣୀ ଦୁର୍ଗା ମାତାଙ୍କର ପୂଜନ ଓ କଲ୍ୟାଣ ଇଚ୍ଛା ନ କରି ନାରୀର ନଗ୍ନ ଅଙ୍ଗ ଲୋଲୁପିତ ଦୃଷ୍ଟିରେ ଛାୟିତ ହୋଇଥିବା ଦାନବରାଜ ମହିଷାସୁରର ଜୟନ୍ତୀ ପାଳନ କରାଯାଉଛି। ଏହି କ୍ରମରେ ନୋଇଡ଼ା ନିକଟସ୍ଥ ବିସରଖ ଗ୍ରାମରେ ପ୍ରଜାନୁରଞ୍ଜକ ସର୍ବଗୁଣସମ୍ପନ୍ନ ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନକରି ରାବଣର ମୂର୍ତ୍ତି ପୂଜନ ଓ ସ୍ଥାପନ କରାଯାଉଛି।
ଏହା କଣ ଆମ ସଂସ୍କୃତିକୁ ପରିପୁଷ୍ଟ କରିବା ପାଇଁ ଆଜିର ବୈଶ୍ବିକ ସାଂସ୍କୃତିକ ପରିବର୍ତ୍ତନର  ବିଚାର ନା ଆଉ କିଛି ?

କ୍ରମଶଃ...

୬. ୫. ୧୮

No comments: