Tuesday, 8 May 2018

*ଏକ ଦେଶ ଏକ ଜାତି ଏକ ସଂସ୍କୃତି*

  ଆକୁମାରୀ ହିମାଚଳ ଭାରତବର୍ଷରେ ପ୍ରାଚୀନ କାଳରୁ ଯେଉଁ ସମାଜ ବସବାସ କରି ଆସିଛି, ତାହାର ଜୀବନର ଦୃଷ୍ଟିକୋଣ ଏକ । ଏହାକୁ ଏକ ସମାଜ କୁହାଯାଏ। ଏଇ ଅର୍ଥରେ କୁହାଯାଇଛି -

"ଆସିନ୍ଧୁ ସିନ୍ଧୁ ପର୍ଯ୍ୟନ୍ତା ଯସ୍ୟ ଭାରତ ଭୂମିକା।
ପିତୃଭୂଃ ପୁଣ୍ୟଭୂଶ୍ଚଇବ ସ ବୈ ହିନ୍ଦୁ ରୀତି ସ୍ମୃତଃ ।।"

ଏହି ସମାଜରେ ବିଭିନ୍ନ ଭାଷା, ବିଭିନ୍ନ ଜାତି, ବିବିଧ ଉପାସନା ପନ୍ଥ ଓ ବିଭିନ୍ନ ଦେବାଦେବୀ ଅଛନ୍ତି। ନୂତନ ନୂତନ ଧାର୍ମିକ ମତ ପନ୍ଥର ବି ଜନ୍ମ ହେଉଛି। ଏହି ସମାଜରେ ବିବିଧ ଅନେକତା ରହିଥିଲେ ମଧ୍ୟ ଏ ସବୁକୁ ପରସ୍ପର ସହ ଯୋଡ଼ିବାର ଏକ ସମାନ ସୂତ୍ର ଅଛି, ଯାହା ହେଉଛି ଆବାହମାନ କାଳରୁ ଚଳି ଆସୁଥିବା ସଂସ୍କୃତି ବା ସାଂସ୍କୃତିକ ପରମ୍ପରା। ଯେଉଁଥିପାଇଁ ଏହା ଏକ ପ୍ରାଚୀନ ସମାଜ କେବଳ ନୁହେଁ ଏହା ଏକ ରାଷ୍ଟ୍ର ମଧ୍ୟ।

ଆମ ଋଷି ମୁନିଗଣ ଲୋକ କଲ୍ୟାଣ କାମନାକରି ଯେଉଁ ତପସ୍ୟା କଲେ, ପରିଶ୍ରମ କଲେ, ଗାଁକୁ ଗାଁ ପାଦରେ ବୁଲି ମାନବ ଧର୍ମର ପ୍ରଚାର କଲେ, ସେହିମାନଙ୍କ ତପସ୍ୟାର ଫଳ ସ୍ୱରୂପ ଏହି ବଳବାନ ଓ ଓଜସ୍ୱୀ ରାଷ୍ଟ୍ର ଜନ୍ମ ନେଲା।

ପ୍ରକୃତରେ ଦେଖିବାକୁ ଗଲେ ଏଠିକାର ଜୀବନର ଦୃଷ୍ଟିକୋଣର ଆଧାର ହେଲା ମାନବିକତା ଓ ଆଧ୍ୟାତ୍ମିକତା। ଏହା ହିଁ ଏହି ସମାଜର ବିଶେଷତ୍ୱ। ଏଥିପାଇଁ ଏଠାରେ ବିବିଧତାକୁ ଭେଦ ହିସାବରେ ଗ୍ରହଣ କରାଯାଇ ପାରିବ ନାହିଁ। ବହୁ ଶତାବ୍ଦୀ ପୂର୍ବେ ଯେତେବେଳେ ଯିଏ(ପାର୍ସୀ, ଇହୁଦୀ, ଜୋରାଷ୍ଟ୍ରିଆନ, ସିରିଆନ ଖ୍ରୀଷ୍ଟିଆନ ଆଦି ) ଏହି ଦେଶକୁ ଆଶ୍ରୟ ନେବା ପାଇଁ  ଆସିଛନ୍ତି ଏଠିକାର ଲୋକେ ତାଙ୍କୁ ନିଜ ବନ୍ଧୁ ଭାବରେ ଗ୍ରହଣ କରିନେଇଛନ୍ତି । ଏ ଥିଲା ଭାରତୀୟ ଦୃଷ୍ଟିକୋଣର ମହନୀୟତା। କୌଣସି ସ୍ଥାନରେ ଭେଦ ଭାବ ଅତ୍ୟାଚାର ସେମାନଙ୍କ ସହିତ ହୋଇ ନାହିଁ। ଇହୁଦୀମାନେ ଅନେକ ଦେଶ ଗଲେ, କିନ୍ତୁ ଭାରତ ବ୍ୟତୀତ ସେମାନଙ୍କ ଉପରେ ସବୁଠି ଅତ୍ୟାଚାର ହୋଇଥିଲା ବୋଲି ସେମାନେ ତାଙ୍କ ଇତିହାସରେ ଲେଖିଛନ୍ତି "The only respectable exception was India." ଭାରତୀୟ ସମାଜର ଏଭଳି ବ୍ୟବହାର ରହିବାର କାରଣ ହେଲା ଭାରତର ଜୀବନ ଚଳଣୀର ପରକୁ ଆପଣେଇ ନେବାର ଆଦର୍ଶ ମୂଲ୍ୟବୋଧ। ଆଞ୍ଚଳିକ ସ୍ତରରେ ଭାଷାର ଭିନ୍ନତା ଅବା ମତ ପନ୍ଥର ଭିନ୍ନତା ହେଲେ କଣ ସଂସ୍କୃତି ବଦଳିଯାଏ ! ଉଦ୍ଦାତ୍ତତମ ଭାବ ଭାବନାର ବ୍ୟାବହାରିକ ମାନବୀୟ ସମ୍ବେଦନଶୀଳ କୃତିକୁ ସଂସ୍କୃତି କୁହନ୍ତି।

କବିଗୁରୁ ରବୀନ୍ଦ୍ରନାଥ ଠାକୁର "ସ୍ବଦେଶୀ ସମାଜ" ନାମକ ପୁସ୍ତକରେ ଲେଖିଛନ୍ତି "ଏଠିକାର ସମାଜ ଅର୍ଥାତ୍ ରାଷ୍ଟ୍ର ଜୀବନର ଦୃଷ୍ଟିକୋଣର ଆଧାର ଅଧ୍ୟାତ୍ମ ଥିବାରୁ ଏହି ସମାଜର ଏକ ବୈଶିଷ୍ଟ୍ୟ ରହିଛି। ଏହାକୁ ସାରା ବିଶ୍ୱ ହିନ୍ଦୁ ସମାଜ ବୋଲି ଜାଣିଛି ଯାହା ଅଧ୍ୟାତ୍ମ ଆଧାରିତ ଏକାତ୍ମ ଓ ସର୍ବାଙ୍ଗିନ ଜୀବନ ଦୃଷ୍ଟି କାରଣରୁ ସମ୍ଭବ ହୋଇଛି।"

ଭାରତୀୟ ସମାଜ ବିଷୟରେ ଜ୍ଞାନ ନ ଥିବା ବ୍ୟକ୍ତିବିଶେଷ କିମ୍ବା ବିଦେଶୀ ପାଠରେ ନିଜକୁ ସଜେଇ ଥିବା ବ୍ୟକ୍ତି ଯେଉଁ ଚଷମା ପିନ୍ଧିଛନ୍ତି ସେମାନଙ୍କୁ ଏ ରାଷ୍ଟ୍ରର ବିବିଧତା ଭିତରେ ଥିବା ଏକାତ୍ମ ସ୍ୱରୂପର ଉଦାରତା ଦର୍ଶନ ହେଉ ନାହିଁ। ଏହା ହିଁ ଆଜିର ବିଡ଼ମ୍ବନା।

୮. ୫. ୧୮

No comments: