Friday, 18 May 2018

*ଆମ ସଂସ୍କୃତିର...-୧୧*

ଦୀର୍ଘ ଚାରି ହଜାର ବର୍ଷ ପୂର୍ବରୁ, ସମୁଦ୍ର ପଥରେ ଭାରତୀୟମାନେ ଆଫ୍ରିକା ପହଞ୍ଚି ସାରିଥିଲେ। ଭାରତର ବ୍ୟବସାୟୀମାନେ ଆବଶ୍ୟକ ବସ୍ତୁର ପ୍ରତି ବଦଳରେ ଆଫ୍ରିକାରୁ ସୁନା ଆମଦାନୀ କରୁଥିଲେ। ସୋମାଲିଆ ଓ କେନିଆ ଆଦି ରାଷ୍ଟ୍ରରେ ଭାରତୀୟ ସଂସ୍କୃତି ତ ପହଞ୍ଚି ଥିଲା, ଏଥି ସହିତ ବିଭିନ୍ନ କଳା ଆଉ କାରିଗରୀ ମଧ୍ୟ ସେମାନେ ଶିଖି ଯାଇଥିଲେ। ଏସବୁ ମଧ୍ୟରେ ଆଖୁକୁ ପେଡି ଗୁଡ଼ ତିଆରି କରିବାର କୌଶଳ ଅନ୍ୟତମ ଥିଲା। ସାରା ବିଶ୍ୱକୁ ସୂତାବସ୍ତ୍ର ପିନ୍ଧିବାର କୌଶଳ ଆବିଷ୍କାର କରିବା ଭଳି ଗୁଡ଼ ତିଆରିର ପଦ୍ଧତି ମଧ୍ୟ ଭାରତର ଦାନ।

ପ୍ରକୃତରେ ଆଖୁ ଚାଷ ଓ ଗୁଡ଼ ଉତ୍ପାଦନ ଅଯୋଧ୍ୟାର ଇକ୍ଷୱାକୁ ବଂଶର ଦାନ ବୋଲି କୁହାଯାଏ। ଏହି ବଂଶରେ ଭଗବାନ ରାମ ଜନ୍ମ ହୋଇଥିଲେ। ରାମଙ୍କ ବିଷୟରେ ପାର୍ସୀମାନଙ୍କ ଧର୍ମଗ୍ରନ୍ଥ ଅବେସ୍ତାରେ ମଧ୍ୟ ଚର୍ଚ୍ଚା କରାଯାଇଛି। ଅବେସ୍ତାରେ ହୁସ୍ତ୍ର ରାମ ଅର୍ଥାତ୍ ସ୍ୱସ୍ତ୍ର ରାମଙ୍କୁ ଉତ୍ତମ ଶସ୍ତ୍ରଧାରୀ ରାମ ଭାବରେ ବର୍ଣ୍ଣନା କରାଯାଇଛି। ପାର୍ସୀମାନେ ପ୍ରାଚୀନ କାଳରେ ଗୁଡ଼ ତିଆରି କରିବା ଜାଣିଥିଲେ।  ଭାରତ ଓ ପାରସ୍ୟ ମଧ୍ୟରେ ଥିବା ବନ୍ଧୁତ୍ବରୁ ଏହା ସମ୍ଭବ ହୋଇଥିବ। ୬୪୦ ଖ୍ରୀଷ୍ଟାବ୍ଦରେ ଇରାନ ଉପରେ ଆରବ ଆକ୍ରମଣ କରିଥିଲା। ଇରାନ ସମ୍ପର୍କରେ ଆସି ଆରବୀୟମାନେ ଗୁଡ଼ ତିଆରି ବିଷୟରେ ଜ୍ଞାନଲାଭ କରିଥିବା ଜଣାଯାଏ।

ଭାରତୀୟ କୌଣ୍ଡିନ୍ୟ ବଂଶଜ ରାଜା ଶୈଳରାଜ କାମ୍ବୋଡ଼ିଆର ରାଜା ଥିଲେ। ତଦନୁଯାୟୀ କାମ୍ବୋଡ଼ିଆ ବାସୀ ଆଖୁ ଚାଷ ବିଷୟରେ ଜାଣିବାକୁ ପାଇଲେ। ୨୮୫ ଖ୍ରୀଷ୍ଟାବ୍ଦରେ କମ୍ବୋଜ ରାଜା ଚୀନକୁ ଆଖୁ ଉପହାର ଦେଇଥିଲେ। ଚୀନର ସମ୍ରାଟ ଥାଇତ୍ସୁଡ଼ ୬୪୭ ଖ୍ରୀଷ୍ଟାବ୍ଦରେ ନିଜର ଶିଷ୍ଟ ମଣ୍ଡଳ ଗୁଡ଼ ମିର୍ମାଣର ବିଧି ଜାଣିବା ପାଇଁ ମଗଧ ପଠାଇଥିଲେ।

ଏହା ତ ଗଲା ଆଖୁ ଓ ଆଖୁ ରସରୁ ପ୍ରସ୍ତୁତ ଗୁଡ଼ର ବାଣିଜ୍ୟିକ ପ୍ରସାରର କଥା। ଏବେ ଆସନ୍ତୁ ଶୁଣିବା କପା ଆଉ କପା ଚାଷ କିଭଳି ଭାରତୀୟ ମାନଙ୍କଠାରୁ ସାରା ବିଶ୍ୱକୁ ସମ୍ପ୍ରସାରିତ ହୋଇଥିଲା।

ଭାରତରେ କପା ଚାଷର ଇତିହାସ ପ୍ରାୟ ପାଞ୍ଚ ହଜାର ବର୍ଷର ପୁରୁଣା। କୁହାଯାଏ କପାଚାଷର ଗବେଷଣା ଗୃତ୍ସମଦ ଋଷି କରିଥିଲେ। ପ୍ରାଚୀନ ୟୁନାନରେ କପାର ପ୍ରଚଳନ ଥିଲା। ସେ ସମୟରେ ୟୁନାନ ଭାରତୀୟ ସାମ୍ରାଜ୍ୟର ଏକ ଅଂଶ ଥିଲା। ଲାଟିନ ଭାଷାରେ ଗୃତ୍ସ୍ୟମଦ ଋଷିଙ୍କ ନାମ ଅନୁସାରେ କପାକୁ 'ଗୌସିପିୟମ' କୁହାଯାଉଥିଲା। ଭାରତ ଓ ୟୁନାନକୁ ଛାଡ଼ି ଅନ୍ୟ କେଉଁ ଦେଶରେ ସେ ବେଳରେ କପା ଚାଷ ପ୍ରସାର ଲାଭ କରି ନ ଥିଲା। ଗ୍ରୀକ ଐତିହାସିକ ହେରୋଦତସ ଲେଖିଛନ୍ତି - ଭାରତୀୟ ମହିଳାମାନେ ହାତରେ କପାରୁ ମଞ୍ଜି ବାହାର କରି ତୁଳାରୁ ସୂତା କାଟୁ ଥିଲେ। ସମ୍ଭବତଃ ଏହା କୁଟୀର ଶିଳ୍ପ ଥିଲା। ମିଶର ଦେଶରେ ୬୦୦ ରୁ ୭୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ କପା ଚାଷ ଆରମ୍ଭ ହେବାର ଐତିହାସିକ ବିବରଣୀ ରହିଛି। ମିଶର ଦେଶ ଭାରତୀୟ ବସ୍ତ୍ର ବାଣିଜ୍ୟର ସମ୍ପର୍କରେ ଆସି ସେମାନଙ୍କର ହଜାର ହଜାର ବର୍ଷର ପୁରୁଣା ମମି ଗୁଡ଼ିକୁ ସେହି କାର୍ପାସ୍ ବସ୍ତ୍ରରେ ଆଚ୍ଛାଦିତ କରିବାକୁ ଶ୍ରେୟ ମଣୁଥିଲେ।  ଏହାପରେ ୟୁନାନରୁ ଚୀନକୁ କପା ଚାଷ ସମ୍ପ୍ରସାରିତ ହେଲା। ଚୀନରେ କପାକୁ କୁପେଇ ବା ତୁଲୋ କୁହାଯାଏ ଯାହା ଭାରତୀୟ ନାମ କପା ଓ ତୁଳା ସହ ସମାନ। ଏ ସବୁରୁ ଆମ ଭାରତୀୟ ସଂସ୍କୃତିର ବୈଶ୍ବିକ ସମ୍ପର୍କ କେତେ ପୁରୁଣା ଓ କେତେ ଗଭୀର, ଏହାର ପରିଚୟ ମିଳେ।

କ୍ରମଶଃ...

୧୯. ୫. ୧୮

No comments: