Tuesday, 22 May 2018

*ଆମ ସଂସ୍କୃତିର...-୧୪*

ପୃଥିବୀ ଗତିଶୀଳ। ଏହା ସଦାସର୍ବଦା ବଦଳିବାରେ ଲାଗିଛି। ସେଦିନର ପ୍ରକୃତିଧର୍ମୀ ପ୍ରାଚୀନ ସଂସ୍କୃତି ପରିବର୍ତ୍ତିତ ହୋଇ ଆଜି ଚରମ ଆଧୁନିକତାରେ ପହଞ୍ଚିଯାଇଛି। ସେବେଳର ବିଶ୍ୱହିତାୟ ସଂସ୍କୃତି ଆଜି ସଂକୀର୍ଣ୍ଣ ସ୍ୱାର୍ଥପରତାରେ ନିବିଦ୍ଧ। ଏବେ ଗତିଶୀଳତାର କୁମ୍ଭାରଚକ ପୁଣି ଉଗ୍ର ଆଧୁନିକତାକୁ ଛାଡ଼ି ଭାରତୀୟ ବୈଶ୍ବିକ ସଂସ୍କୃତି ଆଡ଼କୁ ମୁହାଁଇବାର ଆଭାସ ମିଳିଲାଣି।

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ବିଦେଶୀୟମାନେ ଧନଧାନ୍ୟ ସଂସ୍କୃତିରେ ଭରା ସ୍ୱର୍ଣ୍ଣାଭ ଭାରତକୁ ଅକ୍ତିଆର କରିବାପାଇଁ ପ୍ରାଣମୂର୍ଛା ଚେଷ୍ଟା ଚଳାଇଥିଲେ। ସେ ସମୟରେ ସେମାନଙ୍କ ପାଇଁ ଭାରତ ଭୂମି ଥିଲା "ସୋନେ କୀ ଚିଡ଼ିିୟା" ଅର୍ଥାତ୍ 'ସୁନାର ପକ୍ଷୀ' ସଦୃଶ। ସେହି ଲକ୍ଷ୍ୟରେ ପର୍ତ୍ତୁଗାଲରୁ ଭାସ୍କୋଡ଼ାଗାମା ଓ ସ୍ପେନରୁ କୋଲମ୍ଵସ ଉଭୟ ସମୁଦ୍ର ପଥରେ ଭାରତକୁ ପାଇବାପାଇଁ ଯାତ୍ରା ଆରମ୍ଭ କରିଥିଲେ। ଭାସ୍କୋଡ଼ାଗାମା ସମୁଦ୍ର ପଥରେ ଆସିବାବେଳେ ଭାରତୀୟ ଗୁଜୁରାଟୀ ବ୍ୟବସାୟୀଙ୍କ ସହ ମିଶି ନିର୍ଭୁଲ ଭାବେ କାଲିକଟରେ ପହଞ୍ଚିଗଲେ। କିନ୍ତୁ କୋଲମ୍ଵସ ଆଟଲାଣ୍ଟିକ ମହାସାଗରରେ ରାସ୍ତା ଭୁଲି ଭାରତ ବଦଳରେ ଆମେରିକାରେ ପହଞ୍ଚି ଯାଇଥିଲେ। ତାଙ୍କୁ ଲାଗିଲା ସେ ଭାରତରେ ହିଁ ପହଞ୍ଚିଛନ୍ତି। କିନ୍ତୁ ସେ ଆଗରୁ ଜାଣିଥିଲେ ଭାରତୀୟମାନେ କୃଷ୍ଣକାୟ। ଏଠା ଲୋକଙ୍କ ବର୍ଣ୍ଣ ଥିଲା ଲୋହିତ। ତେଣୁ କୋଲମ୍ବସ ସେମାନଙ୍କୁ ରେଡ଼ ଇଣ୍ଡିଆନ କହିବା ଆରମ୍ଭ କଲେ। ସେତେବେଳେ ସେଠାରେ ଅତିଥି ଦେବୋଭଵ ଭଳି ଭାରତୀୟ ସଂସ୍କୃତିର ଧାରା ପ୍ରଚଳନ ଥିଲା। ଏଣୁ କୋଲମ୍ବସଙ୍କୁ ଲାଗିଲା ଯେ ସେ ଭାରତରେ ହିଁ ପହଞ୍ଚିଛନ୍ତି। ତେଣୁ ସେ ଦିନରୁ ସେ ସେହି ଅଞ୍ଚଳକୁ ଭାରତ ନାମ  ସଂଯୋଗ କରି ୱେଷ୍ଟ ଇଣ୍ଡିଜ ବା ପଶ୍ଚିମ ଭାରତୀୟ ଦେଶପୁଞ୍ଜ ନାମରେ ନାମିତ କଲେ। ସେପଟେ ଭାସ୍କୋଡ଼ାଗାମାଙ୍କୁ କାଲିକଟର ରାଜା ଜମୋରିନ ରାଜକୀୟ ଅତିଥି ସତ୍କାର ସହ ସ୍ୱାଗତ କରୁଥିବା ବେଳେ; କୁଟବୁଦ୍ଧିସମ୍ପନ୍ନ ଭାସ୍କୋଡ଼ାଗାମା ଏହି ରାଜ୍ୟକୁ ନିଜ ଅକ୍ତିଆରକୁ ନେବା ପାଇଁ ଆକ୍ରମଣ କରିଥିଲା। ସେ ଯାହା ହେଉ ପରେ କିନ୍ତୁ  ବିଶ୍ୱାସଘାତକ ଭାସ୍କୋଡ଼ାଗାମା ଯୁଦ୍ଧରେ ପରାସ୍ତ ହୋଇ ଗୋଆ ପଳାୟନ କରିଥିଲା ଏବଂ ସେଠାରେ ଆତ୍ମଗୋପନ କରି ପୁନଃ ଆକ୍ରମଣର ଷଡ଼ଯନ୍ତ୍ରରେ ଲିପ୍ତ ରହିଲା।
ଏଣେ ସ୍ପେନର ଅତିଥିମାନେ ମଧ୍ୟ ଇଙ୍କାର ରାଜା ଅତହୁଳ୍ପଙ୍କୁ ବନ୍ଧୁତାର ଖାତିର ନେଇ ଭୋଜନ ପାଇଁ ଆମନ୍ତ୍ରଣ କରି ଗୁପ୍ତରେ ତାଙ୍କୁ ଏକା ପାଇ ହତ୍ୟା କଲେ। ଏ ଥିଲା ସେହି କୁଚକ୍ରି ୟୁରୋପୀୟମାନଙ୍କ ଚରିତ୍ର ଓ ଅପସଂସ୍କୃତିପୂର୍ଣ୍ଣ ରାଷ୍ଟ୍ରୀୟ ଲକ୍ଷଣ ସମ୍ପର୍କରେ ବିଶ୍ୱକୁ ସେମାନଙ୍କ ବାର୍ତ୍ତା ଓ ଅବିଶ୍ୱସନୀୟତାର ଚରମ ନିଦର୍ଶନ। ଜଣେ ଅତିଥି ଦେବଙ୍କୁ ପରମ ବନ୍ଧୁ ତଥା ଇଶ୍ୱରତୁଲ୍ୟ ସତ୍କାର କରୁଥିବା ବେଳେ ଅନ୍ୟ ଜଣେ କପଟରେ ସର୍ବସ୍ୱ ଅପହରଣ କରିନେବାପାଇଁ ବିଶ୍ୱାସଘାତକତା କରି ହତ୍ୟା ପର୍ଯ୍ୟନ୍ତ ହୀନ କର୍ମରେ ଲିପ୍ତ ଥିଲେ। ଏଥିପାଇଁ କୁହାଯାଇଛି -
Where missionaries go today, the Gunboat flows tomorrow.
ଯାହାର ଅର୍ଥ ଯେଉଠିକୁ ଆଜି ମିଶନାରୀମାନେ  ଯାଆନ୍ତି ଆସନ୍ତାକାଲି ସେଠାରେ ପୋତ ବୋଝେଇ ଗୋଳି ଗୋଳା ଓ ବନ୍ଧୁକ ପହଞ୍ଚିଥାଏ।

ଏଭଳି କଦାଚାର କାର୍ଯ୍ୟକଳାପକୁ ନେଇ କୋଲମ୍ଵସ ଆମେରିକା ପହଞ୍ଚିବା ପରେ ସେଠାରେ ସେ ସମୟରେ ପ୍ରଚଳିତ ଥିବା ଇଙ୍କା ଓ ମୟ ସଂସ୍କୃତିର ବିନାଶ ଘଟିଲା।  ସେହିପରି ଭାରତର ଦକ୍ଷିଣ ସମୁଦ୍ରତଟରେ ଭାସ୍କୋଡ଼ାଗାମା ୧୪୯୮ରେ ପହଞ୍ଚିବା ପରେ ଆମ ବିଶ୍ଵହିତାୟ ଭାରତୀୟ ସଂସ୍କୃତିର ସୁରକ୍ଷିତ ସ୍ତମ୍ଭ ୟୁରୋପୀୟ ଭାବନାରେ ବିକଳିତ ହେବାକୁ ଲାଗିଲା।  ଏ ଥିଲା ଦୁଇ ହୀନ କୁଚକ୍ରାନ୍ତକାରୀ ଅଭିଯାତ୍ରୀଙ୍କ ବିଶ୍ୱାସଘାତକତାର ଭାରତପାଇଁ ଉପହାର।

କ୍ରମଶଃ...

୨୨. ୫. ୧୮

No comments: