Wednesday, 16 May 2018

ଆମ ସଂସ୍କୃତିର.... - ୯*

ଭାରତୀୟ ସଂସ୍କୃତିକୁ ବିଶ୍ଵବ୍ୟାପକ କରିବାରେ ବୌଦ୍ଧ ସାହିତ୍ୟର ଯୋଗଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସମ୍ରାଟ ଅଶୋକଙ୍କ ପରି କନିଷ୍କ ମଧ୍ୟ ବୌଦ୍ଧ ମତକୁ  ଏସିଆରେ ବିସ୍ତାର କରିଥିଲେ। କୁଶାଣ ବଂଶର ଅନ୍ତ ହେବା ପର୍ଯ୍ୟନ୍ତ ଏହି ମତ ସମଗ୍ର ଏସିଆରେ ଓ ପରବର୍ତ୍ତୀ ସମୟରେ ଭୂ-ମଧ୍ୟ ସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ବୌଦ୍ଧ ସାହିତ୍ୟର ରୋଚକ କାହାଣୀଗୁଡ଼ିକ ୟୁରୋପରେ ମଧ୍ୟ ପ୍ରଚଳିତ ହେଲା। ରୁଡୋଲ୍ଫ ସିଡେଲ ଓ ଅନ୍ୟ ବିଦ୍ୱାନ ସ୍ୱୀକାର କରନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କ ଜୀବନର କାହାଣୀ ବୌଦ୍ଧ ଧାର୍ମିକ ସାହିତ୍ୟ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଦ୍ୱିତୀୟ ଓ ତୃତୀୟ ଖ୍ରୀଷ୍ଟାବ୍ଦରେ ଲେଖାଯାଇଥିବା ଯେଉଁ ଶିଳାଲେଖକୁ ଓଲଡ଼ ଟେଷ୍ଟାମେଣ୍ଟରେ ରୋମାନ କ୍ୟାଥଲିକମାନେ ସ୍ଥାନ ଦେଇଛନ୍ତି ସେଥିରେ ମଧ୍ୟ ବୌଦ୍ଧ ସାହିତ୍ୟର ଅନେକ କିଛି ରହିଛି। ବିଶିଷ୍ଟ ଐତିହାସିକ ଡ. ଆର. ସି. ମଜୁମଦାର ଲେଖିଛନ୍ତି ଯେ 'ବୌଦ୍ଧ ଧର୍ମ ଓ ବୌଦ୍ଧ ସାହିତ୍ୟର ପରବର୍ତ୍ତୀ କାଳରେ ୟୁରୋପ ଉପରେ ପ୍ରଭାବ ବରଲାମ ଓ ଜୋସଫତ୍ ଙ୍କ କାହାଣୀ ଦ୍ୱାରା ପ୍ରକଟିତ ହୋଇଛି।' ଡ. ମଜୁମଦାର ପାଦ ଟିପ୍ପଣୀ ଦେଇ ସ୍ପଷ୍ଟ କରିଛନ୍ତି ଯେ ଜୋସଫତ୍ ଶବ୍ଦ ବୋଧିସତ୍ୱର ଓ ବରଲାମ ଶବ୍ଦ ଭଗବାନଙ୍କର ରୂପାନ୍ତରଣ ମାତ୍ର। ଏଇ କାହାଣୀରେ ବରଲାମ ଋଷିଙ୍କଦ୍ୱାରା ଦୀକ୍ଷା ପ୍ରାପ୍ତକରି  ଭାରତୀୟ ରାଜକୁମାର ଜୋସଫତ୍ ର ସାଧୁ ହେବାର ପ୍ରସଙ୍ଗ ରହିଛି। ମଜୁମଦାର ଲେଖିଛନ୍ତି ଯେ ଏ ସବୁ କାହାଣୀ ଅଳ୍ପେ ବହୁତେ ବୁଦ୍ଧଙ୍କ ଦନ୍ତ କଥାତ୍ମକ ଇତିହାସର ଖ୍ରୀଷ୍ଟିୟ ସଂସ୍କରଣ ଅଟେ। ଯାହା ମୂଳ ତଥା ଅନ୍ୟ ପ୍ରସଙ୍ଗ ସହ ସମ୍ପୂର୍ଣ୍ଣ ମେଳଖାଉଛି।

ଏହି କୃତିର ରଚନା ଷଷ୍ଠ ସପ୍ତମ ଶତାବ୍ଦୀରେ ମୂଳତଃ ପାଲି ଭାଷାରେ ହୋଇଥିଲା ଯାହା ପରେ ଆରବୀ ଓ ସିରିୟାନୀ ଭାଷାରେ ଅନୁଦିତ ହେଲା। ସିରିୟାନୀ ସଂସ୍କରଣର ୟୁନାନୀ ଭାଷାରେ ଅନୁବାଦ ହେଲା। ୟୁନାନୀ ସଂସ୍କରଣର ଅନୁବାଦ ୟୁରୋପର ଅନେକ ଭାଷାରେ କରାଯାଇଥିଲା। ଏହି ପୁସ୍ତକର ଲାଟିନ, ଫ୍ରାନସିସ, ହିବୃ, ଇଥୋପିଅନ, ଇଟାଲୀୟନ, ସ୍ପେନୀ, ଜର୍ମାନ, ଅଂଗ୍ରେଜୀ, ସ୍ୱିଡ଼ିସ୍, ଡଚ, ଅର୍ମେନିୟନ୍, ଋଷ୍ ଓ ରୋମାନିଆନ ସଂସ୍କରଣ ମିଳେ ( ପ୍ରାଚୀନ ଭାରତ, ପୃ - ୧୫୯)। ଏହି ତଥ୍ୟରୁ ଜଣାଯାଏ ଯେ ଭାରତୀୟ ଧର୍ମ ସଂସ୍କୃତି ବିଶ୍ଵବ୍ୟାପକ ସଂସ୍କୃତି ଥିଲା। ଖ୍ରୀଷ୍ଟିଆନ ମତାବଲମ୍ବୀମାନେ ବୋଧିସତ୍ୱଙ୍କୁ ମାନି ନେଇଥିଲେ। ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ସୁଦୂର ଅର୍ମେନିଆରେ ମଧ୍ୟ ଶ୍ରୀକୃଷ୍ଣଙ୍କ ମନ୍ଦିର ଓ ହିନ୍ଦୁ ଦେବତାଙ୍କ କାହାଣୀ ପ୍ରଚଳିତ ଥିବା ଦେଖାଯାଇଛି।

ବିଶ୍ୱବିଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ପଦ୍ମଶ୍ରୀ ଡ. ବିଷ୍ଣୁ ଶ୍ରୀଧର ବାକଣକର୍ ଲେଖିଛନ୍ତି  -
"ମୁଁ ମୋ ଗବେଷଣା କାର୍ଯ୍ୟ ସମୟରେ ଯେଉଁ ଦେଶକୁ ଯାଇଛି ତାହା ୟୁରୋପ ହେଉ ବା ଆଫ୍ରିକା କି ଆମେରିକା ହେଉ ସର୍ବତ୍ର ଭାରତୀୟ ସଂସ୍କୃତିର ଝଲକ ମୋ ଦୃଷ୍ଟିକୁ ଆସିଛି। ୟୁରୋପର ମେରିବେଞ୍ଜିୟନ, ୟୁନାନୀ, ରୋମାନ ବା ଗେଲୋ ରୋମାନ ହେଉ ଏ ସବୁଠି ଭାରତୀୟ ସଂସ୍କୃତିର ଛାପ ଦେଖିବାକୁ ମିଳେ। ଗ୍ରୀକ୍ ଦେବତାଙ୍କ ସ୍ୱରୂପ, ତାଙ୍କର ଜାୟସ ଓ ହେଲିୟସ, ରୋମାନ ଲୋକଙ୍କ ଅପୋଲୋ, ଦାୟନା, ମିଶରର ରେମେସିଶ ବା ତୁନାନ, ଖାମୁନ ଏ ସମସ୍ତଙ୍କ ପାଖରେ ଭାରତର ମଣି, ଅଳଙ୍କାର, ସ୍ୱରୂପ ଓ ଭାରତୀୟ ପ୍ରଭାବର ଝଲକ ରହିଛି। ଆମେରିକାର ଶୈଳ ଚିତ୍ର, Mojave ମରୁଭୂମିର ସ୍ୱସ୍ତିକ ଚିହ୍ନ, ଟେକ୍ସସ ଏରିଜୋନାର ହିପି ନାବାହୋ କଳା, ମେକ୍ସିକୋର ଆସ୍ତିକ ଓ ମାୟା ସଭ୍ୟତା ଉପରେ ଭାରତୀୟ ପ୍ରଭାବ ଦେଖିବାକୁ ମିଳେ। 'ହିନ୍ଦୁ ଆମେରିକା', 'ଏସିଆଟିକ ଇନଫ୍ଲୁଏନ୍ସ ଅନ ଆମେରିକା' ଆଦି ଗ୍ରନ୍ଥ ଏହି ତଥ୍ୟ ସବୁକୁ ଏଯାବତ୍ ସନ୍ନିବେଶିତ କରି ରଖିଥିବା ଦେଖାଯାଏ।

କ୍ରମଶଃ...

୧୭. ୫. ୧୮

No comments: