ଗୋଟିଏ ପରିବାର ଚଳିବା ପାଇଁ ଯେଉଁ ଦୁଇଟି ବିଷୟର ଆବଶ୍ୟକ ହୋଇଥାଏ ସେଥିରୁ ପ୍ରଥମଟି ହେଲା ସ୍ନେହ ସମ୍ପର୍କ ଓ ଅନ୍ୟଟି ହେଲା ଶ୍ରମ ଦାନ ଦ୍ୱାରା ପରିବାର ପାଇଁ ସାଧନ ସଂଗ୍ରହ କରିବା। ସେ ସମୟରେ ଶ୍ରମର ଶ୍ରେଷ୍ଠ ରୂପ ଥିଲା କୃଷି। ବେଦରେ କୁହାଯାଇଛି "କୃଷିମିତ୍ କୃଷସ୍ୱ ମା ଦିବ୍ୟତ୍।" ଅର୍ଥାତ୍ କୃଷି ହିଁ ଶ୍ରମ ସାଧନର ଅନନ୍ୟ ଦିବ୍ୟ ରୂପ। ଏହି କୃଷି ହିଁ ବ୍ୟାପକ ରୂପରେ ପରିବାର ପାଇଁ ଖାଦ୍ୟ ଯୋଗାଇ ଦେଇଥାଏ। ତେଣୁ ବେଦ କୃଷି କର୍ମରେ ନିୟୋଜିତ ରଖିବା ପାଇଁ ନିର୍ଦ୍ଦେଶ କରିଛି ତଥା କୃଷି ବ୍ୟତୀତ ଜୀବନକୁ ଅନ୍ୟତ୍ର ଜୁଆ ଖେଳି ନଷ୍ଟ ନ କରିବାକୁ ପରାମର୍ଶ ନିହିତ କରିଛି। ଶାସ୍ତ୍ର ମଧ୍ୟ ଏ କଥାକୁ ସ୍ୱୀକାର କରି ପରିବାର ପାଇଁ ବୃତ୍ତିର ଅବଲମ୍ବନକୁ ଧ୍ୟେୟ କରିବା ଆଳରେ ପ୍ରଥମେ କୃଷିଜ ସଂସ୍ଥାନକୁ ଶୀର୍ଷରେ ରଖି ଉତ୍ତମ, ବାଣିଜ୍ୟକୁ ମଧ୍ୟମ ଓ ଅନ୍ୟର ଦାସତ୍ୱ ସ୍ୱୀକାର କରି ଜୀବିକା ନିର୍ବାହର ପନ୍ଥା ଅନୁସରଣ କରିବାକୁ ଅଧମ ଶ୍ରେଣୀଭୁକ୍ତ କରିଛି। କିନ୍ତୁ ଆଜି ଆମ ସମାଜ ଓ ଆମେ ଏଥିରୁ ବିଚ୍ୟୁତ ହୋଇ କୃଷିଜ ଉତ୍ପାଦନକୁ ଅବହେଳା କରିଚାଲିଛୁ। ଯାହାର କୁପରିଣାମରୁ ଅନ୍ନଦାତାଭଳି କୃଷକ ପରିବାର ଆଜି ନିଜକୁ ବଞ୍ଚାଇ ନ ପାରି ହେୟ ମନେକରି ରୋଜଗାର ନ ପାଇବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ପ୍ରକାରାନ୍ତରେ ସୃଜନଶୀଳ କୃଷି-ବିଦ୍ୟାନିପୁଣ କୃଷକ ପରିବାରର ସଦସ୍ୟମାନେ ନିଜ ପେଟକୁ ଦାନା ଯୋଗାଡ଼ କରିବା ପାଇଁ ଦାଦନ ଖଟିବା ଉଦ୍ଦେଶ୍ୟରେ ନିଜ ଜନ୍ମକଲା ମାଟିମାଆର ଦୁର୍ବାର ଲୋଭକୁ ଛାଡ଼ି ବିଦେଶରେ ନିଯୁକ୍ତି ଖୋଜି ଖୋଜି ବାର ଦୁଆରରେ ହାତ ପତାଇବାରେ ଲାଗିଛନ୍ତି।
ମନୁଷ୍ୟ ମନୁଷ୍ୟ ଭିତରେ ଥିବା ସମସ୍ତ ସମ୍ପର୍କ କୃଷକ ପରିବାରରୁ ହିଁ ବିକଶିତ ହେଉଥିଲା। ସେବେଳରେ ଏହା ପବିତ୍ର ବୃତ୍ତିର ମାନଦଣ୍ଡ ଥିଲା। ରାମାୟଣରେ ରାଜା ଜନକ ଜାନକୀଙ୍କ ଭଳି ଏକ ଦୁର୍ଲଭ କନ୍ୟାରତ୍ନଙ୍କୁ ଏହି କୃଷିଭିତ୍ତିକ ଭୁକର୍ଷଣରୁ ହିଁ ପ୍ରାପ୍ତ ହୋଇଥିଲେ। ସେହି ଜନକ ନନ୍ଦିନୀ ସୀତା ହିଁ ଆମ ଭାରତୀୟ ସଂସ୍କୃତି ଓ ପରିବାରର ପଵିତ୍ରତାର ଆଦର୍ଶ।
କ୍ରମଶଃ...
୨୯. ୫. ୧୮

No comments:
Post a Comment