Friday, 18 May 2018

*ଆମ ସଂସ୍କୃତିର...-୧୦*

ମେକ୍ସିକୋର ପ୍ରାଚୀନ ସଂସ୍କୃତିକୁ ମୟ ସଂସ୍କୃତି କୁହାଯାଏ। ଭାରତୀୟ ଶିଳ୍ପଶାସ୍ତ୍ରରେ ମୟ ମତର ଉଲ୍ଲେଖ ମିଳେ। ମୟ ମହାନ ଶିଳ୍ପୀ ଥିଲେ। ସେ ପାଣ୍ଡଵମାନଙ୍କ ପାଇଁ ଇନ୍ଦ୍ରପ୍ରସ୍ତ ନିର୍ମାଣ କରିଥିଲେ। ଯେଉଁଥିରେ ଦୁର୍ଯୋଧନଙ୍କ ପାଦ ଖସିଗଲା। ତାଙ୍କୁ ସ୍ଥଳ ଜଳ ପରି ଓ ଜଳ ସ୍ଥଳ ପରି ଦେଖାଗଲା। ଏହା ଥିଲା ମୟଙ୍କର ଶିଳ୍ପ ବିଦ୍ୟାର ଚମତ୍କାରିତା। ମେକ୍ସିକୋର ଉତ୍ଖନନରୁ ଅଢ଼େଇ ହଜାର ବର୍ଷର ପ୍ରାଚୀନ ନଗରର ଅବଶେଷ ମିଳିଛି। ଗୋଟିଏ ନଗରର ନାମ ହେଲା ୟକ୍ୟୁନା ଓ ଅନ୍ୟ ନଗରଟିର ନାମ ହେଲା କୋବା। ଏଠାରୁ ପ୍ରାପ୍ତ ଅଢ଼େଇ ଶହ ଫୁଟ ଉଚ୍ଚତାର ଭବ୍ୟ ମନ୍ଦିରକୁ ଦେଖି ସୂର୍ଯ୍ୟଙ୍କ ଉପାସନା କରୁଥିବା ମୟ ସଂସ୍କୃତିର ଜ୍ଞାନ-ବିଜ୍ଞାନ ଓ ସମୃଦ୍ଧିର ଅନୁମାନ କରାଯାଇପାରିବ। ଏଇ ସଂସ୍କୃତିରେ ସ୍ୱସ୍ତିକ, ପଦ୍ମ, ଚନ୍ଦ୍ରମା, ନାଗ ଇତ୍ୟାଦି ଭାରତୀୟ ପ୍ରତୀକକୁ ଦେଖିଲେ ଯେ କେହି କହିବ ଯେ ସେ ଏକ ଭାରତୀୟ ମନ୍ଦିରର ଅବଶେଷକୁ ହିଁ ଦେଖୁଛି। ଏଠିକାର ବଡ଼ ବଡ଼ ନଗରଗୁଡ଼ିକରେ ସମୃଦ୍ଧ ଗ୍ରନ୍ଥାଗାର ଥିଲା।

ମୟ ସଂସ୍କୃତି ପରି ଆମେରିକାରେ ଆଉ ଏକ ସଂସ୍କୃତି ରହିଛି ତାହା ହେଲା ପେରୁର ଇଙ୍କା ସଂସ୍କୃତି। ଏହାକୁ ଅଜୋକ ସଂସ୍କୃତି ମଧ୍ୟ କୁହାଯାଏ। ଏହା ମଧ୍ୟ ସୂର୍ଯ୍ୟଙ୍କୁ ଉପାସନା କରୁଥିବା ସଂସ୍କୃତି ଅଟେ। କୁହାଯାଉଛି ଯେ ଏହାର ବିକାଶରେ ଦକ୍ଷିଣ ଭାରତର ଆୟାରମାନଙ୍କ ଯୋଗଦାନ ରହିଥିଲା। ପେରୁ ପ୍ରଦେଶ ଚାରି ଭାଗରେ ବଣ୍ଟା ହେଇଥିଲା। ଏହାର ରାଜଧାନୀ କୃଷକୋ ମଧ୍ୟ ଚାରି ଖଣ୍ଡରେ ବିଭାଜିତ ହୋଇଥିଲା। ଏଠାରେ ମଧ୍ୟ ଭାରତ ଭଳି ଚାରି ଯୁଗର ଧାରଣା ପ୍ରଚଳିତ ଥିଲା।  ଜ୍ୟୋତିଷ ଓ ପଞ୍ଚାଙ୍ଗର ମାନ୍ୟତା ଥିଲା। ବର୍ଷକ ବାର ମାସ, ମାସକ ତିରିଶ ଦିନ ଓ ଅଧିମାସର ଅନୁସରଣ କରାଯାଉଥିଲା। ଇଙ୍କାର ଭାଷା କିଜୁଆରେ ସଂସ୍କୃତର ରଙ୍ଗ ଓ ସାହିତ୍ୟରେ ରାମାୟଣ ଏବଂ ମହାଭାରତର ପ୍ରଭାବ ଛାଇ ଯାଇଥିଲା। ଏଠାରେ ଗୁରୁକୁଳ ପ୍ରଣାଳୀରେ ଶିକ୍ଷାଦାନ କରାଯାଉଥିଲା। ଆଜି ମଧ୍ୟ ଏଠି ଅରଣୀ ମନ୍ଥନରୁ ପବିତ୍ର ଅଗ୍ନି ପ୍ରଜ୍ବଳିତ କରିବାର ପ୍ରଥା ଜୀବୀତ ଅଛି। ଋଗ୍ ବେଦର ମନ୍ତ୍ରଭଳି ମନ୍ତ୍ରସବୁ ଉଚ୍ଚାରଣ କରାଯାଉଛି। 'ସୀତା-ରାମ ଉତ୍ସବ' ପାଳନ କରାଯାଉଛି। ଏଠାକାର ଗ୍ରାମୀଣ ଜନ ଜୀବନ ଭାରତର ଗ୍ରାମ୍ୟ ଜୀବନ ପରି। ଏଠାରେ ମଧ୍ୟ ଅତିଥି ସତ୍କାର, ଭୂମିରେ ବସି ଭୋଜନ କରିବା, ଭୋଜନରେ ରୁଟି ଓ ଛୁଙ୍କ ହୋଇଥିବା ଡାଲିର ପ୍ରଚଳନ ଅଛି। ସ୍ତ୍ରୀ ମାନଙ୍କୁ ସମ୍ମାନ ଦିଆଯାଉଛି। ଷୋଡ଼ଶ ଶତାବ୍ଦୀରେ ସ୍ପେନିସ ଆକ୍ରମଣକାରୀମାନେ ମୟ ଓ ଇଙ୍କା ସଂସ୍କୃତିକୁ ନଷ୍ଟ କରି ଦେଲେ। ମନ୍ଦିର ଲୁଣ୍ଠନ କରାଗଲା ଓ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଗ୍ରନ୍ଥାଳୟ ସବୁକୁ  ଜଳାଇ ଦିଆଗଲା। ଚାରିଶହ ବର୍ଷର ଅତ୍ୟାଚାର ସହି ସହି ସେହି ସଂସ୍କୃତିର ରୂପ ଏବେ ବଦଳି ଯାଇଛି।

କ୍ରମଶଃ...

୧୮. ୫. ୧୮

No comments: