Monday, 14 May 2018

*ଆମ ସଂସ୍କୃତିର.... - ୬*

ଜର୍ମାନର ବିଶିଷ୍ଟ ଦାର୍ଶନିକ Georg Wilhelm Friedrich Hegel କହିଛନ୍ତି, ଧନ ଓ ଜ୍ଞାନ ଅର୍ଜନ କରିବାପାଇଁ ସେତେବେଳେ ଲୋକେ ଭାରତ ଯିବାକୁ ଚାହୁଁଥିଲେ। ସେତେବେଳେ ବିଶ୍ୱରେ ଭାରତ ହିଁ ଏକମାତ୍ର ଦେଶ ଥିଲା, ଯେଉଁଠି ବିଦ୍ୟା ଅଧ୍ୟୟନ ପାଇଁ ବିଶାଳ ସଂସ୍ଥା ଥିଲା ଏବଂ ସେଇସବୁ ସଂସ୍ଥାମାନେ ବିଶ୍ବରୁ ଆସୁଥିବା ପ୍ରତ୍ୟେକ ଛାତ୍ରକୁ ନିଃଶୁଳ୍କ ଶିକ୍ଷା ଦେଉଥିଲେ। ପ୍ରାଚୀନ ଭାରତର ସୀମାନ୍ତ କ୍ଷେତ୍ରରେ ସ୍ଥିତ ତକ୍ଷଶିଳା ବିଶ୍ୱବିଦ୍ୟାଳୟର ବିଶାଳ ପ୍ରାଙ୍ଗଣର ଭଗ୍ନାବଶେଷ ଏହି ତଥ୍ୟର ସାକ୍ଷୀ।
ଏଠାରେ ଧ୍ୟାନ ଦେବାର ବିଷୟ ହେଲା,
ତକ୍ଷଶିଳାରେ "ବିଶ୍ୱବିଦ୍ୟା" ନାମରେ ବୈଦିକ ଜ୍ଞାନର ଶିକ୍ଷା ଦିଆଯାଉଥିଲା। ଏହି ବିଶ୍ବବିଦ୍ୟାରେ ଅଠର ପ୍ରକାରର ଶାଖା ଥିଲା। ବିଶ୍ବବିଦ୍ୟା ସମଗ୍ର ଜ୍ଞାନର ପରମ୍ପରା ଅଟେ ଯାହାଦ୍ୱାରା ଅବିଦ୍ୟା ଦୁଇଟିକୁ ଉଭୟଭାବେ ଶିକ୍ଷା ଦିଆଯାଉଥିଲା। ବିଦ୍ୟାରୁ ଅଧ୍ୟାତ୍ମ ଓ ଅବିଦ୍ୟାରୁ ଭୌତିକ ସମୃଦ୍ଧି ଆଡ଼କୁ ଯିବାର ଶିକ୍ଷା ଦିଆଯାଉଥିଲା। "ବିଶ୍ବବିଦ୍ୟା" ବିଶ୍ୱବିଦ୍ୟାଳୟର ପର୍ଯ୍ୟାୟ ନୁହେଁ, କିନ୍ତୁ ତ୍ରୀବର୍ଗୀୟ ଶିକ୍ଷା ସଂସ୍ଥା ଅଟେ ଯାହା ପୁରୁଷାର୍ଥ ଚତୁଷ୍ଟୟର ସାକାର କରୁଥାଏ। ଆଜିଠାରୁ ଦୁଇ ହଜାର ତିନିଶହ ଚଉଷଠି ବର୍ଷ ପୂର୍ବେ ଏଇ ଶିକ୍ଷା ସଂସ୍ଥାରେ ଅର୍ଥଶାସ୍ତ୍ରର ବିଖ୍ୟାତ ଆଚାର୍ଯ୍ୟ କୌଟଲ୍ୟ ଚାଣକ୍ୟ ଅଧ୍ୟାପନା କାର୍ଯ୍ୟ କରୁଥିଲେ। ଏଇ ସଂସ୍ଥାରୁ ଗୌତମ ବୁଦ୍ଧଙ୍କ ସୁପ୍ରସିଦ୍ଧ ଚିକିତ୍ସକ ଜୀବକ ଆୟୁର୍ବେଦ ଶିକ୍ଷା ଗ୍ରହଣ କରିଥିଲେ। ଏଇ ସଂସ୍ଥା ଖ୍ରୀଷ୍ଟପୂର୍ବ ପାଞ୍ଚଶହ ବର୍ଷରୁ ପ୍ରାରମ୍ଭ ହୋଇ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଜ୍ଞାନଦାନ କରି ସମଗ୍ର ବିଶ୍ୱକୁ ଆଲୋକିତ କରିଥିଲା। ଏହାକୁ ବର୍ବର ହୁଣମାନେ ଧ୍ୱଂସ କରିଦେଇଥିଲେ।

ତକ୍ଷଶିଳା ପରେ ବିଶ୍ୱକୁ ଜ୍ଞାନ ଦେବାର କାମ କରିଥିଲା ନାଳନ୍ଦା ବିଦ୍ୟାପୀଠ। ଏଠାକୁ ଜାପାନ, ତାତାର, ମଧ୍ୟ ଏସିଆ, ତିବ୍ବତ୍, ଶ୍ୟାମ, ମଳୟ, ବର୍ମା ଆଦି ଦେଶରୁ ଦଶ ହଜାର ବିଦ୍ୟାର୍ଥୀ ଆସି ଶିକ୍ଷା ଗ୍ରହଣ କରୁଥିଲେ। ଯାହାଙ୍କ ନିବାସ ଓ ଆହାରର ସବୁ ବ୍ୟବସ୍ଥା ଏଇ ବୌଦ୍ଧ ସଂସ୍ଥାର ସଂଚାଳକମାନେ କରୁଥିଲେ। ଇତିହାସ ସାକ୍ଷ୍ୟ ପ୍ରଦାନ କରେ ଯେ ୧୧୯୩ ଖ୍ରୀଷ୍ଟାବ୍ଦରେ ନାଳନ୍ଦାକୁ ମହମ୍ମଦ ବିନ ଅଖ୍ତିଆର ଧ୍ୱସ୍ତ କରିଦେଲା। କିନ୍ତୁ ସାଂସ୍କୃତିକ ତଥ୍ୟ କହେ ଯେ ନାଳନ୍ଦା ବିଦ୍ୟାପୀଠର ଶିକ୍ଷା ପରମ୍ପରାର ମଞ୍ଜି ଚୀନର ଲୋୟାଙ୍ଗ ସ୍ଥିତ ଶ୍ୱେତାଶ୍ୱ ବୌଦ୍ଧ ବିହାରରେ ପଡ଼ି ସାରିଥିଲା, ସାଇବେରିଆର ବେକଲ ସରୋବର ସ୍ଥିତ ସୈତିସ୍ ବୌଦ୍ଧବିହାର ମାନଙ୍କରେ ଏହି ପରମ୍ପରା ଚାଲୁ ରହିଲା।

କ୍ରମଶଃ....

୧୪. ୫.୧୮

No comments: