ଆବାହମାନ କାଳରୁ ଭାରତୀୟ ସଂସ୍କୃତି ସମଗ୍ର ବସୁଧାକୁ ନିଜର କୁଟୁମ୍ବ ବୋଲି ମାନି ଆସିଛି। କୁଟୁମ୍ବ ଅର୍ଥାତ୍ ପରିବାର। ପରିବାରର ଗୋଟିଏ ନିର୍ଦ୍ଦିଷ୍ଟ ପରିବେଶ ଅଛି। ଏହା କେବଳ କୁଟୁମ୍ବର ସଦସ୍ୟ ମାନଙ୍କ ଭିତରେ ସୀମିତ ନୁହଁ ବରଂ ସମଗ୍ର ବସୁଧାକୁ ଘେରି ରହିଥିବା ପରିବେଶ ବା ପର୍ଯ୍ୟାବରଣକୁ ନେଇ ଗଠିତ। ଏଣୁ ଏ ବସୁଧାର ସମସ୍ତ ଜଡ଼, ଜୀବ, ପଶୁ, ପକ୍ଷୀ ଆଦି ଆମ ପରିବାରର ପର୍ଯ୍ୟାୟଭୁକ୍ତ। ଆମ ସଂସ୍କୃତି ଏହି ସମଗ୍ର ପରିବାରକୁ ପରମ ପିତା ପରମାତ୍ମାଙ୍କ ସର୍ଜନା ବୋଲି ଗ୍ରହଣ ରଖିଛି।
ଇଶୋପନିଷଦରେ କୁହାଯାଇଛି -
"ଇଶାବାଶ୍ୟମିଦମ ସର୍ବଂ
ଯତ୍ କିଞ୍ଚିତ୍ ଜଗତ୍ୟାମ୍ ଜଗତ୍।
ତେନ ତ୍ୟକ୍ତେନ ଭୁଞ୍ଜିଥାଃ
ମା ଗୃଧଃ କସ୍ୟ ସ୍ଵିଦ ଧନମ୍।"
ଅର୍ଥାତ୍ ଏ ସାରା ସଂସାର ସେଇ ପରମାତ୍ମାଙ୍କର। ସେ ସଚରାଚର ପ୍ରାଣୀଙ୍କ ପାଇଁ ଏ ସୃଷ୍ଟି ରଚନା କରିଛନ୍ତି। ଉପଭୋଗ କରିବା ପାଇଁ ଯାହା କିଛି ସେ ଦେଇଛନ୍ତି; ତାହା ସମସ୍ତଙ୍କ ପାଇଁ, କେବଳ ମାନବ ମାତ୍ର ପାଇଁ ନୁହଁ। ଏହି ସମସ୍ତ ସାଧନକୁ ବସୁଧା ରୂପକ ପରିବାରର ସବୁ ସଦସ୍ୟ ମିଳିମିଶି ବଞ୍ଚିବା ପାଇଁ ଯାହାର ଯେତିକି ଆବଶ୍ୟକତା ରହିଛି ସେତିକି ମାତ୍ର ଗ୍ରହଣ କରିବା ଉଚିତ। ଯଦି କେହି ଲୋଭବଶତଃ ଅଧିକା ସାଧନର ସଂଗ୍ରହରେ ମନୋନିବେଶ କରେ ତାହା ଚୌର୍ଯ୍ୟ ପ୍ରବୃତ୍ତି ସହ ସମାନ। ଏହା ହିଁ କୁଟୁମ୍ବ ଭାବର ସ୍ଵଛ ନିଦର୍ଶନ। ଅନ୍ୟ ଅର୍ଥରେ ଏହା ମଧ୍ୟ ଆମ ମାନବ ଜୀବନର ଚରମ ଉଦ୍ଦେଶ୍ୟ ଯାହାକୁ ଉପନିଷଦ କୁଟୁମ୍ବବୋଧର ଆଖ୍ୟା ଦେଇଛି। ଏହି ବିପୁଳାଚ ପୃଥିବୀରେ କୁଟୁମ୍ବର ଅର୍ଥ ଯାହା ଭିତରେ ନିଜ ରକ୍ତ ସମ୍ପର୍କୀୟ ପରିବାରର ସବୁ ସଦସ୍ୟ ତ ଆସନ୍ତି ଏହାଛଡ଼ା ପରିବାର ପରିସରରେ ଓ ବାହାରେ ଥିବା ଅନ୍ୟ ସମସ୍ତ ଜଡ଼, ଚେତନ, ଜୀବ, ଜନ୍ତୁ, ବୃକ୍ଷ, ଲତା ଆଦି ମଧ୍ୟ ଆସିଥାନ୍ତି।
ବସୁଧା ଆମର ମାଆ। ତେଣୁ ପ୍ରତ୍ୟୁଷରୁ ଉଠିବା ମାତ୍ରେ ଆମେ ତାଙ୍କୁ ପ୍ରଣାମ କରିଥାଉଁ ଏବଂ ଆଦରପୂର୍ବକ କହୁ -
"ସମୁଦ୍ର ବସନେ ଦେବୀ ପର୍ବତ ସ୍ତନ ମଣ୍ଡଲେ।
ବିଷ୍ଣୁପତ୍ନୀ ନମସ୍ତୁଭ୍ୟଂ ପାଦସ୍ପର୍ଶଂ କ୍ଷମସ୍ୱମେ।"
ଅର୍ଥାତ୍ "ହେ ମାଆ ! ତୋ ଉପରେ ପାଦ ଥୋଇ ମୋତେ ଚାଲିବାକୁ ହେବ। ସେଥିପାଇଁ ମୋତେ କ୍ଷମା କରିଦେ।"
ସମସ୍ତ ନଦୀ ଆମକୁ ଅମୃତ ତୁଲ୍ୟ ଜଳ ଦାନ କରୁଛନ୍ତି, ଏହାକୁ ଉପଲବ୍ଧି କରି ଭକ୍ତକବି ମଧୁସୂଦନ ରାଓ ତାଙ୍କ 'ପୃଥିବୀ ପ୍ରତି' କବିତାରେ ଲେଖିଛନ୍ତି,
"କେତେ କେତେ ଶୋଭା ଧରିଛୁ ଜନନୀ
ତୋହରି ବିପୁଳ ଦେହେ।
ମାତୃ ସ୍ତନ ସମ ନୀଳ ପର୍ବତରୁ
ନିର୍ଝର ଝରଇ ସ୍ନେହେଁ।
ସୁଧା ଧାରା ସମ ସରିତର ସ୍ରୋତ
ବହୁଅଛି ତୋ ବକ୍ଷରେ
ସେ ଅମୃତ ପାନ ସ୍ଥାବର ଜଙ୍ଗମ
କରୁଛନ୍ତି କି ସୁଖରେ।"
ତେଣୁ ନଦୀ ସବୁ ଆମ ପାଇଁ ମାତୃ ତୁଲ୍ୟ।
ଭୋଜନ ସମୟରେ "ସହନୌ ଭୁନକ୍ତୁ" ଆଦି ବୈଦିକ ମନ୍ତ୍ରପାଠ କରିବାର ବିଧି ଆମ ସଂସ୍କୃତିରେ ଅଛି। ଏହାର ଅର୍ଥ ହେଉଛି ଯାହା କିଛି ଖାଇବା ସବୁ ମିଳିମିଶି ବାଣ୍ଟିକୁଣ୍ଟି ଖାଇବା। ଭାରତୀୟ ସଂସ୍କୃତିରେ ଏହି ପାରିବାରିକ ମହାନତା ତଥା କୁଟୁମ୍ବର ପରିପୂର୍ଣ୍ଣତା କେବଳ ପରିବାରଜନଙ୍କ ଭିତରେ ସିମୀତ ନ ଥାଏ। ଘର ଅଗଣାରେ ଥିବା ତୁଳସୀ ଚଉଁରା, ଘର ଭିତରେ ଥିବା ପାଳିତ ପଶୁ, ପକ୍ଷୀ ଓ ବାହାରରେ ବଞ୍ଚିଥିବା ସମସ୍ତ ଜୀଵ ଜନ୍ତୁ ମଧ୍ୟ ପରିବାରର ଏକ ଏକ ଅଭିନ୍ନ ଅଙ୍ଗଭାବରେ ଗ୍ରହଣ କରିଥାଏ। ଏମିତିକି ଗାଁ ଦାଣ୍ଡରେ ବୁଲୁଥିବା ଶ୍ୱାନ ଯାହା ଦ୍ୱାରା ଆମ ଘର ଓ ଗ୍ରାମର ଜଗୁଆଳି କାର୍ଯ୍ୟ ସମ୍ପାଦନ ହୋଇଥାଏ ସେ ମଧ୍ୟ ଆମ ପରିବାର ମଧ୍ୟରେ ଆସେ। ଏ ଦୃଷ୍ଟିରୁ ଘରେ ଧାନରୁ ଚାଉଳ ପ୍ରସ୍ତୁତି ବେଳେ ଯେଉଁ କୁଣ୍ଡା ଓ ଖୁଦ ବାହାରି ଥାଏ ତାକୁ କେବଳ ନିଜ ଗୃହପାଳିତ ପଶୁ ପକ୍ଷୀ ନୁହେଁ, ଗାଡ଼ିଆର ମାଛ ଓ ଅନ୍ୟ ପଶୁ ପକ୍ଷୀଙ୍କୁ ମଧ୍ୟ ଦିଆଯାଇ ଥାଏ। ଯାହା ଆମ ଭାରତୀୟ କୁଟୁମ୍ବ ବ୍ୟବସ୍ଥାର ଏକ ନିଦର୍ଶନ।
ବେଦ ଉପନିଷଦ ତଥା ଆରଣ୍ୟକ ଗ୍ରନ୍ଥ ଆଦିରେ କୁଟୁମ୍ବର ଯେଉଁ ଅଵଧାରଣା ଅଛି ତାହା ହିଁ ଆମ ଭାରତୀୟ ମନିଷୀମାନଙ୍କର ଚିନ୍ତନ ଯାହା ବିଭିନ୍ନ ଯୁଗରେ ଆମ ସଂସ୍କୃତିର ପ୍ରବାହରେ ନିରନ୍ତର ଭାବରେ ବହି ଚାଲିଛି ଓ ଏଯାବତ୍ ସୁରକ୍ଷିତ ଅଛି। ଏଥିରେ ଆଧୁନିକତାର ଚାପରେ ଯେଉଁ କିଛି ବିଘଟନ ବା ଅଧୋଗତି ଦେଖାଯାଉଛି ତାର ସୁରକ୍ଷା ଓ ପୁନରୁତ୍ଥାନ ପାଇଁ "ଇଶାବାଶ୍ୟ..." ଭାବକୁ ସ୍ମରଣ କରି ଆମକୁ ଆଗକୁ ଯିବାକୁ ହେବ।
କ୍ରମଶଃ..
୨୪. ୫. ୧୮

No comments:
Post a Comment