Sunday, 27 May 2018

*ସମଗ୍ର ବସୁଧା...- ୫*

ପରିବାରକୁ ବିଶ୍ବର ସବୁଠୁ ବଡ଼ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଏ। ଏହା ହିଁ ଦୁନିଆର ସର୍ବ ବୃହତ ପ୍ରୟୋଗଶାଳା। ପୃଥିବୀର ସବୁଠୁ ବଡ଼ ସଂସଦ ହେଲା ପରିବାର। ଘର ଓ ପରିବାର ଦୁଇଟି ପର୍ଯ୍ୟାୟବାଚୀ ଶବ୍ଦ। ସଂସ୍କୃତରେ ଏହି ଦୁଇଟି ଶବ୍ଦର ସୁନ୍ଦର ବ୍ୟାଖ୍ୟା ରହିଛି। 'ଗୃହଣାତି ଇତି ଗୃହମ' - ଯେଉଁଠି ଅତିଥି ଆଗନ୍ତୁକ ମାନଙ୍କୁ ଅଭ୍ୟର୍ଥନାର ସହ ଆଦରରେ ଗ୍ରହଣ କରାଯାଏ ତାହା ହିଁ ଗୃହ ବା ଘର। ସେହିପରି ପରିବାର ହେଉଛି "ପରିତଃ ବାରୟତି ସ୍ୱଦୋଷାନ ଯସ୍ମିନ।" ଅର୍ଥାତ୍ ଯେଉଁଠି ବ୍ୟକ୍ତି ତାର ଦୋଷଗୁଣ ଦୂରକରି ମାର୍ଜିତ ହେବାର ସୁଯୋଗ ନେଇଥାଏ। କୁଳ କୁଟୁମ୍ବ ଆଦି ଶବ୍ଦ ପରିବାରର ସମାନ ଅର୍ଥକୁ ବୁଝାଏ। କୁଳର ଆଧାର ହେଲା  ଅନ୍ୟର କୁଶଳ ଯାଚନାରେ ନିଜକୁ ଉତ୍ସର୍ଗ କରିବା ବା ଅନ୍ୟର ସୁଖ ସୁବିଧା ପାଇଁ ନିଜର ସୁଖ ସୁବିଧାକୁ ସ୍ୱତଃ ଜଳାଞ୍ଜଳି ଦେବା। ତ୍ୟାଗମୟୀ - ଯଜ୍ଞମୟୀ ଜୀବନଶୈଳୀର ବିକାଶ ଓ ବିସ୍ତାର ଏହି ପରିବାର ଶୈଳୀରୁ ଅନୁଶୃତ। ଯାହା ଆମ ଭାରତୀୟ ବସୁଧୈବ କୁଟୁମ୍ବକମ୍ ବିଚାରର ନିଦର୍ଶନ। ଭାରତ ହେଉଛି ତ୍ୟାଗପୂତ ତପସ୍ୱୀ ମାନଙ୍କର ଦେଶ। ଭୋଗ ଏଠାରେ ସମର୍ପଣର ହେତୁ। ସମ୍ଭବତଃ ଏହି ମାଟିର ସଂସ୍କୃତିରୁ ଜନ୍ମ ନେଇଛି ଦାନ କରିବାରେ ସଂତୃପ୍ତି ହାସଲ କରିବା, ଯାହା ଅନ୍ୟ ପାଶ୍ଚାତ୍ୟ ଜଗତରେ ବିରଳ। ଭୋଗବାଦ ହିଁ ସେମାନଙ୍କର ଆଧାର। ଏ ଦୃଷ୍ଟିରୁ ପରିବାରର ଅର୍ଥ ହେଲା ପରକୁ ଆପଣାର କରିନେବାର ଆତ୍ମୀୟତା ଓ ସେଥିପାଇଁ ଆବଶ୍ୟକ ହେଉଥିବା ଶ୍ରମ, ଦାନ ତଥା ତ୍ୟାଗକୁ ସ୍ୱଇଚ୍ଛାରେ ଶ୍ରଦ୍ଧାରେ ଗ୍ରହଣ କରିନେବା।  ଏଥିପାଇଁ କୁହାଯାଇଛି -

"ବୈକୁଣ୍ଠ ସମାନ ଆହା ଅଟେ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।"

ଏ ଦୃଷ୍ଟିରୁ ଆମ ଭାରତୀୟ ଭାବନା ହେଉଛି ପରିବାରର କୁଳ ସଦସ୍ୟମାନେ ନିଜ ନିଜ ଶକ୍ତି ଓ ସାମର୍ଥ୍ୟ ଅନୁଯାୟୀ ନିରନ୍ତର ସେବା ଓ ଶ୍ରମଦାନ ପୂର୍ବକ ଅନ୍ୟମାନଙ୍କର କୁଶଳ କାମନା କରିବା।
ବେଦ ଅନୁସାରେ ଏହି ପରିବାରର ଆଧାର ହେଉଛନ୍ତି ଜନ୍ମଦାତ୍ରୀ ମାଆ ତଥା ଜାୟା। ମନୁ ସ୍ମୃତି ମଧ୍ୟ ଏହି ଚିନ୍ତନକୁ ସ୍ୱୀକାରକରି ଗୃହିଣୀ ତଥା କୁଳବଧୁଙ୍କୁ ଏହି ମର୍ଯ୍ୟାଦା ଦେଇଛନ୍ତି। ମହର୍ଷି ବାଲ୍ମୀକି ମଧ୍ୟ ଏହାର ଅଧ୍ୟୟନକରି ରାମାୟଣରେ  "ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ" ଉପଲବ୍ଧିକୁ ଉଲ୍ଲେଖ କରିଛନ୍ତି।
ଅଥର୍ବ ବେଦ କହୁଛି -
"ମାତାଃ ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ।"

ଭୂମିକୁ ମାଆ ମାନୁଥିବାରୁ ଭାରତ କୁଳ ପରିବାରର ସଦସ୍ୟ ଭାବରେ ସପ୍ତକୁଳ ପର୍ବତ, ସପ୍ତକୁଳ ନଦୀ, ସପ୍ତକୁଳ ପୁରୀ ଆଦିଙ୍କୁ ଗ୍ରହଣ କରି ନେଇଛନ୍ତି। କୈଳାସବାସୀ ଶିବ ଓ ହିମାଳୟର ସୁତା ପାର୍ବତୀ ଜଗତର ମାତା ପିତା ଭାବରେ ପ୍ରତିପାଦିତ। "ଜଗତ ପିତରୋୖ ବନ୍ଦେ ପାର୍ବତୀ ପରମେଶ୍ୱରୋୖ।"

ସଂସ୍କାରର ପ୍ରଶିକ୍ଷଣ କେନ୍ଦ୍ର ହେଲା ପରିବାର। ସେଥିରେ ନିଜ ପର ଭାବ ଭୁଲି ଉଦାର ଚରିତ୍ର ମାନଙ୍କର ନିର୍ମାଣ ହୁଏ । ପରିଣାମରୁ ହଁ  ଏ ସମଗ୍ର ବସୁଧା ଏକ କୁଟୁମ୍ବ ଜ୍ଞାନ କରାଯାଏ। ଏହାକୁ ଦୃଷ୍ଟିରେ ରଖି  ମନୁ କହିଛନ୍ତି -
"ଅୟଂ ନିଜଃ ପରୋବେତି ଗଣନା ଲଘୁ ଚେତସାମ୍।
ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।।"

କ୍ରମଶଃ...

୨୮. ୫. ୧୮

No comments: