ସୁପ୍ରସିଦ୍ଧ ହିନ୍ଦୀ କବି ରାମଧାରୀ ସିଂହ ଦିନକର ୧୯୫୫-୫୬ ରେ ବିଦେଶ ଭ୍ରମଣ କରିଥିଲେ। ଏହି ଯାତ୍ରା ଅବସରରେ ସେ କାହିରା ଯାଇଥିଲେ। ସେ ତାଙ୍କ ଭ୍ରମଣ କାହାଣୀରେ ଲେଖିଛନ୍ତି, "ଆମ ଦଳରେ ସବୁ ଯାତ୍ରୀ ଆରବୀୟ ଥିଲେ। ସମସ୍ତଙ୍କ ମନକୁ ପାଇବା ଭଳି ମୁଁ ଗୋଟିଏ ବିଷୟ ଚର୍ଚ୍ଚା ପାଇଁ ଉତ୍ଥାପନ କଲି। ବିଷୟଟି ହେଲା - ଭାରତୀୟ ସଂସ୍କୃତି ଉପରେ ଆରବ ସଂସ୍କୃତିର ପ୍ରଭାବ। ଚର୍ଚ୍ଚା ଆରମ୍ଭ କରି ମୁଁ ସେମାନଙ୍କୁ ପ୍ରଥମେ ଶୁଣାଇଲି ଯେ ଭାରତୀୟ ଜ୍ୟୋତିଷ ଉପରେ ଆରବର କି ପ୍ରଭାବ ପଡ଼ିଛି। ଏହାଛଡ଼ା ମୁଁ କହିଥିଲି ଯେ କିପରି ଆରବର ତସବୁଫ (ସତ୍ ଗ୍ରନ୍ଥ) ଭାରତ ଆସିଲା, ହିନ୍ଦୀ ଭାଷାର ଦୁଇ ମହାକବି ଜାୟସୀ ଓ କବୀରଙ୍କ ଭିତରେ ଏହା କିପରି ଅଭିବ୍ୟକ୍ତ ହେଲା। କିନ୍ତୁ ଡା. ହୁସେନ ମୋତେ ଆଉ କୁହାଇ ନ ଦେଇ ମୋ କଥାରେ ହସ୍ତକ୍ଷେପ କରି କହିଲେ, ଆପଣ ଯାହା କହୁଛନ୍ତି ତାହା କିଛି ମାତ୍ରାରେ ଠିକ୍। କିନ୍ତୁ ଆମକୁ ଏ କଥା ମନେରଖିବାକୁ ହେବ ଯେ ମୁସଲମାନମାନେ ଭାରତକୁ ଯିବା ପୂର୍ବରୁ ଭାରତର ସଂସ୍କୃତି ଆରବରେ ପହଞ୍ଚି ଯାଇଥିଲା। ଯେଉଁ ତସବୁଫ କବୀରଙ୍କ ଠାରେ ମିଳେ ତା'ର ମୂଳ ଉପନିଷଦରେ ଅଛି। ଯେତେବେଳେ ଏହି ତସବୁଫ ଆରବରେ ଉତ୍ପନ୍ନ ହେଲା ତା ପୂର୍ବରୁ ଆରବୀ ଦୁନିଆଁ ଉପରେ ଉପନିଷଦର ପ୍ରଭାବ ପଡ଼ି ସାରିଥିଲା। ପ୍ରକୃତରେ ଇସ୍ଲାମୀ ତସବୁଫର ଜନ୍ମ କାହାଣୀ ପଛରେ ଭାରତର ବହୁତ ବଡ଼ ହାତ ଅଛି। ଆରବ ଭାରତରୁ କେବଳ ରହସ୍ୟବାଦର ସାରତତ୍ତ୍ୱ ନେଇ ନାହିଁ ପରନ୍ତୁ ଅଙ୍କ, ବୈଦିକ ଗଣିତ ଆଦି ବହୁତ ବିଷୟ ଆରବକୁ ଭାରତରୁ ଆସିଛି। ଏଠାରେ ତାହା ୟୁନାନ ଶାସ୍ତ୍ର ସହ ମେଳ ଖାଉଛି। (ଦେଶ ବିଦେଶ ପୃ - ୧୨୨-୧୨୩)
ଆରବୀ ବିଦ୍ୱାନ ଅତା ହୁସେନଙ୍କ କଥାର ଐତିହାସିକ ପ୍ରମାଣ ରହିଛି। ଆରବୀ ଭାଷାର ଭାରତୀୟ ବିଦ୍ୱାନ ମୁନ୍ସୀ ଦେବୀ ପ୍ରସାଦ ଲେଖିଛନ୍ତି, "ମୁସଲମାନଙ୍କ ତବାରିଖ ଦେଖିଲେ ଜାଣିହେବ ଯେ ସେମାନେ ଭାରତୀୟ ବିଦ୍ୱାନଙ୍କୁ ଆରବକୁ ଡକାଇ ସଂସ୍କୃତର ଭଲ ଭଲ ଗ୍ରନ୍ଥଗୁଡ଼ିକର ଅନୁବାଦ କରାଇଥିଲେ। ବନୀ ଉମୈୟାଙ୍କ ପରେ ୧୩୭ ହିଜରୀ ଜାତିର ଖଲିଫାଙ୍କ ଉଦୟ ହେଲା। ଯେଉଁଥିରେ ଖଲିଫା ହାରୁନ ରସିଦ ଓ ମାମୁନ ରସିଦ ବଡ଼ ଗୁଣଗ୍ରାହୀ ଓ ବିଦ୍ୟାରସିକ ଥିଲେ। ତାଙ୍କ ସମୟରେ ଆରବୀ ଭାଷା ନାନା ପ୍ରକାର ଭୁଷଣରେ ଭୂଷିତ ହୋଇଥିଲା। ଯେଉଁଥିରେ ଏକ ଭୂଷଣ ଥିଲା ସଂସ୍କୃତ ଭାଷାର ଅନୁବାଦ। ଅବ୍ବାସୀ ଖଲିଫାମାନେ ନିଜ ସୁବିଖ୍ୟାତ ରାଜଧାନୀ ବାଗ୍ଦାଦର ଗୋଟିଏ ବଡ଼ କାରଖାନାରେ ବିଦେଶୀ ଭାଷାଗୁଡ଼ିକର ପୁସ୍ତକ ଅଧ୍ୟୟନ ପାଇଁ ଗୋଟିଏ ବଡ଼ ଗ୍ରନ୍ଥାଗାର ନିର୍ମାଣ କରିଥିଲେ। ଯାହାର ନାମ ଥିଲା ବୈତୁଲ ହିକମତ (ବିଦ୍ୟା ଭବନ) । ଦେଶର ବିଦ୍ୱାନଙ୍କୁ ଡାକି ସେଠାରେ ନିଯୁକ୍ତ କରାଯାଉଥିଲା। ଆରବୀ ଭାଷାର ବଡ଼ ବଡ଼ ପଣ୍ଡିତଙ୍କୁ ଏଇ ସବୁ ଗ୍ରନ୍ଥଗୁଡ଼ିକୁ ଅନୁବାଦ କରିବା କାମରେ ଲଗାଯାଉଥିଲା। ଯଦ୍ୱାରା ସେହି ଉଦ୍ଦେଶ୍ୟରେ ଶହ ଶହ ବହି ଋଷ, ୟୁନାନୀ, ମିଶର, ସୁରୟାନୀ, ଇବରାନୀ, ଇରାନୀ ଓ ସଂସ୍କୃତ ଭାଷାର ଗ୍ରନ୍ଥଗୁଡ଼ିକର ଉଲଥା ଆରବୀ ଭାଷାରେ ଅନୁଦିତ ହୋଇଯାଇଥିଲା। ଯାହା ଭିତରେ ଦେଵବାଣୀ ସଂସ୍କୃତର ପ୍ରଭାବ ଆରବ ଉପରେ ଏପରି ପଡ଼ିଥିଲା ଯେ ବହୁତ ଦୂର ହେବା ପରେ ମଧ୍ୟ ସେମାନେ ବହୁତ ଅର୍ଥ ଖର୍ଚ୍ଚ କରି ହିନ୍ଦୁସ୍ଥାନର ପଣ୍ଡିତମାନଙ୍କୁ ନିଜ ଦେଶକୁ ଡକାଇ ନେଉଥିଲେ। ନିଜ ଦେଶର ମେଧାବୀ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ବିଦ୍ୟାଲାଭ କରିବାପାଇଁ ଭାରତ ପଠାଉଥିଲେ।
ମନସୁର ଖଲିଫା ଦିବାନ ଖଲିଦ ବିନ ଜାଫର କାଶ୍ମୀର ଯାଇ ସଂସ୍କୃତ ପଢ଼ିଥିଲେ। ଖାଲିଦ ବରମକୀଙ୍କ ପୁଅ ୟାହା ନିଜର ଏକ ଏଜେଣ୍ଟ ହିନ୍ଦୁସ୍ଥାନରେ ରଖିଥିଲେ ଯିଏ ହିନ୍ଦୁମାନଙ୍କ ବିଦ୍ୟା ଓ କଳା ସମ୍ବନ୍ଧୀୟ ପୁସ୍ତକଗୁଡ଼ିକୁ ଖୋଜି ଖୋଜି ଆରବୀରେ ଅନୁଦିତ କରୁଥିଲେ।"
ଦେବୀ ପ୍ରସାଦ ନିଜ ଆଲେଖ୍ୟରେ ଆରବୀ ଅନୁଦିତ ଗ୍ରନ୍ଥଗୁଡ଼ିକ ଓ ଅନୁବାଦରେ ହୋଇଥିବା ପରିବର୍ତ୍ତନର ଉଲ୍ଲେଖ କରିଛନ୍ତି। ଅନ୍ୟ ସ୍ରୋତ ଦ୍ୱାରା ମଧ୍ୟ ସଂସ୍କୃତରୁ ଆରବୀ, ଫରାସୀ, ହିବୃ, ଲାଟିନ ଭାଷାର ଅନୁବାଦ ଗ୍ରନ୍ଥର ବିବରଣ ମିଳେ। ଏହିପରି ପଞ୍ଚତନ୍ତ୍ରର ଅନୁବାଦ ମଧ୍ୟ ଆରବୀ, ହିବୃ, ଫରାସୀ, ଫ୍ରେଞ୍ଚ, ଇଟାଲୀୟନ, ଜର୍ମାନ, ଉର୍ଦୁ ଆଦି ପୃଥିବୀର ପଚାଶ ଭାଷାରେ ହୋଇଛି। ଏଇଭଳି ଖଗୋଳୀୟ ଗଣିତ ଗ୍ରନ୍ଥ "ବ୍ରହ୍ମ୍ୟସ୍ଫୁଟ ସିଦ୍ଧାନ୍ତ" ଏକ ଉଲ୍ଲେଖନୀୟ ଗ୍ରନ୍ଥ ଅଟେ। ଏଇ ଗ୍ରନ୍ଥକୁ ୭୭୦ ଖ୍ରୀଷ୍ଟାବ୍ଦରେ ଆରବୀ ଭାଷାରେ ଅନୁଦିତ କରାଗଲା। ଯାହା ଦଶମ ଓ ଏକାଦଶ ଶତାବ୍ଦୀ ବେଳକୁ ମିଶର ଦେଇ ଇଉରୋପରେ ପହଞ୍ଚିଲା ଓ ଏହାଦ୍ୱାରା ବିଶ୍ୱରେ ଅଙ୍କର ଭାଷା ପ୍ରଚଳିତ ହେଲା। ଏହି 'ଇଲମେ ହିନ୍ଦସା' ଆଜିର ଜ୍ଞାନ ବିଜ୍ଞାନର ମୂଳଗ୍ରନ୍ଥ ଅଟେ।
କ୍ରମଶଃ....
୧୬. ୫. ୧୮

No comments:
Post a Comment