Wednesday, 9 May 2018

*ଆମ ସଂସ୍କୃତିର ବୈଶ୍ବିକ ସମ୍ବନ୍ଧ - ୧*

ଭାରତୀୟ ସଂସ୍କୃତିର ବୈଶ୍ବିକ ସମ୍ବନ୍ଧ କଥା ବିଚାର କରିବାକୁ ହେଲେ ପ୍ରଥମେ ଆମକୁ ଆଧୁନିକ ସଭ୍ୟତାର ଘେରରୁ ବାହାରି ମୂଳ ଭାରତୀୟ ଦୃଷ୍ଟିକୋଣ ନେଇ ବିଶ୍ୱକୁ ଦେଖିବାକୁ ହେବ। ଏହା କିଛି କଷ୍ଟକର କଥା ନୁହଁ, କାରଣ ସାମ୍ରାଜ୍ୟବାଦୀଙ୍କ କବଳରୁ ଦେଶ ଆଜି ମୁକ୍ତ।

ଆଜି ଭାରତ ସ୍ୱାଧୀନ ହୋଇଛି ସତ କିନ୍ତୁ ରାଜନୈତିକ ସ୍ୱାଧୀନତା ପ୍ରାପ୍ତ କରିବାରେ ସତୁରୀରୁ ଅଧିକା ବର୍ଷ ବିତିଯାଇଥିଲେ ମଧ୍ୟ ଆମ ଉପରେ ଲଦି ଦିଆଯାଇଥିବା ପରାଧୀନ ବୈଦେଶିକ ପାଶ୍ଚାତ୍ୟ ଇଂରେଜମାନଙ୍କ ବିଚାର ବଳୟରୁ ଏ ଯାଏ ଆମେ ମୁକ୍ତ ହୋଇପାରୁ ନାହୁଁ ବରଂ ଅନ୍ଧଭଳି ତାଙ୍କରି ଆଡ଼କୁ ଅଗ୍ରସର ହେବାରେ ଲାଗିଛୁ। 

ସାମ୍ରାଜ୍ୟବାଦୀ ଚିନ୍ତାଧାରା ଯେ କେବଳ ଆମ ସ୍ୱାଧୀନତାର ଅପହରଣ କରି ନେଇଥିଲା ତାହା ନୁହଁ ସେମାନେ ଶହ ଶହ ବର୍ଷ ଧରି ଆମ ସଭ୍ୟତା ଓ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାକୁ ଚାହିଁଥିଲେ। ତାଙ୍କର ଇଚ୍ଛା ଥିଲା ଉପନିବେଶ ସ୍ଥାପନ ଆଳରେ ସେମାନଙ୍କର ବିଚାରଧାରା ଓ ସଂସ୍କୃତିକୁ ଆମ ଉପରେ ଲଦି ଦେବା ଓ ପ୍ରକୃତରେ ତାହା ହିଁ ହେଲା। ଏହି କ୍ରମରେ ଦେଖିବାକୁ ଗଲେ ଆମ ଭାରତୀୟ ଚିନ୍ତନରେ ସ୍ୱତନ୍ତ୍ରତା ରହିଛି।

ଅତୀତରେ ଭାରତୀୟମାନେ ଯେଉଁଠିକି ଯାଇଛନ୍ତି ବା ପ୍ରଭୁତ୍ୱ ବିସ୍ତାର କରିଛନ୍ତି ସେଠାକାର ସଭ୍ୟତା ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖି ତାର ବିକାଶରେ ସହାୟକ ହୋଇଛନ୍ତି ଆଉ ସେଠାକାର ଜଣେ ଯୋଗ୍ୟତମ ବ୍ୟକ୍ତିଙ୍କୁ ଚୟନ କରି ସେ ଦେଶର ଶାସନଭାର ତାଙ୍କ ହାତରେ ଅର୍ପଣ କରିଛନ୍ତି। ଯାହାର ବହୁ ଦୃଷ୍ଟାନ୍ତ ଇତିହାସରୁ ଦେଖିବାକୁ ମିଳେ। ଯାହା ଥିଲା ଭାରତୀୟ ଓ ପାଶ୍ଚାତ୍ୟ ଉପନିବେଶ ସ୍ଥାପନ ଭିତରେ ପାର୍ଥକ୍ୟ।

ସାମ୍ରାଜ୍ୟବାଦୀମାନେ ଯେଉଁ ଆଡ଼େ ଗଲେ  ସେ ଦେଶକୁ ଅଧିକାର କଲେ, ତାଙ୍କ ରାସ୍ତାରେ ଯେଉଁ ସ୍ୱାଧୀନଚେତା ମହାମାନବମାନେ ଯେ କେହି ତାଙ୍କ ଗତିକୁ ଅଵରୋଧ କଲା ସେମାନଙ୍କୁ ହଟାଇବା ପାଇଁ ଏଇ ନିଷ୍ଠୁର ନର ରାକ୍ଷସମାନେ ଯେତେ ପାରିଲେ ସେତେ ନରସଂହାର କରିବାକୁ ପଛାଇଲେ ନାହିଁ ଏବଂ ସେଠିକା ସଂସ୍କୃତିକୁ ହତ୍ୟା କଲେ। ସଭ୍ୟତା ସଂସ୍କୃତିକୁ ହତ୍ୟାକରି ନିଜ ସଭ୍ୟତା ନିଜ ସଂସ୍କୃତି ତଥା ନିଜ ଚଳଣୀକୁ ଜୋର ଜବରଦସ୍ତ ତାଙ୍କରି ଉପରେ ଲଦି ଦେଲେ। ଏହା ଦ୍ୱାରା ବିଶ୍ବରୁ ଅନେକ ସଭ୍ୟତା ସଂସ୍କୃତି ଲୋପ ପାଇଗଲା ଓ ଆଉ କିଛି ଲୋପ ପାଇବା ରାସ୍ତାରେ। ଯାହା ଆଜି ଆମ ପାଇଁ ମଧ୍ୟ ସାଂସ୍କୃତିକ ବିପର୍ଯ୍ୟର କାରଣ ସାଜିଛି। ନୋହିଲେ କଣ ଆମେ ଆମ ବୈଦିକ ଶାସ୍ତ୍ରୀୟ ପବିତ୍ର ଦେବପୂଜନ ଓ ଶୁଭ ମାଙ୍ଗଳିକ କାର୍ଯ୍ୟ ଗୁଡ଼ିକରେ ପୂଜାଉପାସନାର ସାଂସ୍କୃତିକ ପଦ୍ଧତିକୁ ଛାଡ଼ି ମଦ ପିଇ ଉଦଣ୍ଡ ନୃତ୍ୟ କରୁଥାନ୍ତୁ ! ଏ ପରିପ୍ରେକ୍ଷୀରେ ଆମର ମୂଳ ବୈଦିକଧର୍ମୀ ବୈଶ୍ବିକ ହିତ ବିଚାରଧାରାକୁ ପୁନର୍ଜିବିତ ଓ ପରିପୁଷ୍ଟ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ନତୁବା ଅଧ୍ୟାତ୍ମ ଦର୍ଶନରୁ ଏ ବିଶ୍ୱ ମାନବ ସଭ୍ୟତା ଭୋଗମୁଖୀ ରାକ୍ଷସର କବଳରେ ପଡ଼ି ସତ୍ତା ହରାଇବ।

କ୍ରମଶଃ...

୯. ୫. ୧୮

No comments: