Saturday, 26 May 2018

*ସମଗ୍ର ବସୁଧା...-୪*

ସନ୍ଥ ତୁଳସୀଦାସ ରାମଚରିତ ଲେଖି ଭାରତୀୟ କୁଟୁମ୍ବର ମହତ୍ତ୍ୱକୁ ପୁନଃ ପ୍ରସ୍ଥାପିତ କରିଥିଲେ।

ରହିମ, ରସଖାନ ଓ ବିହାରୀ ଆଦି କବିଗଣ ବହୁତ ନୀତିନିଷ୍ଠ ଦୋହା ମାଧ୍ୟମରେ ସମାଜ ଓ ପରିବାରର ଆଦର୍ଶ ନିୟମକୁ ଉପସ୍ଥାପିତ କରି ସମାଜରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଥିବା ଅସାମଞ୍ଜସ୍ୟକୁ ଦୂର କାରବାରେ ସମର୍ଥ ହୋଇଥିଲେ।

ଭୂଷଣ ଭଳି କବି ସମ୍ପୂର୍ଣ୍ଣ ଭାରତକୁ ଏକ କୁଟୁମ୍ବ ମନେକରି ଶାସନ କରୁଥିବା ହିନ୍ଦୁ ହୃଦୟର ସମ୍ରାଟ ଛତ୍ରପତି ଶିବାଜୀଙ୍କୁ ନିଜ ରଚନା ମାଧ୍ୟମରେ କାଳଜୟୀ କରିଥିଲେ।

ପରାଧୀନ ଭାରତରେ ସୁସୁପ୍ତ ବ୍ୟକ୍ତିତ୍ୱକୁ ଜଗାଇବା ପାଇଁ ସ୍ଵାମୀ ବିବେକାନନ୍ଦ ସମ୍ପୂର୍ଣ୍ଣ ଭାରତବର୍ଷରେ ଆଧ୍ୟାତ୍ମିକତାର ଗଙ୍ଗା ବୁହାଇ ଆମେରିକା ଧର୍ମ ମହାସଭାରେ ଭାରତର ସେହି ଏକାତ୍ମ କୁଟୁମ୍ବବୋଧର ବିଚାରକୁ 'ମୋର ପ୍ରିୟ ଭାଇ ଓ ଭଉଣୀମାନେ'  ସମ୍ବୋଧନ କରି ବିଶ୍ୱର ଗୁରୁ ହୋଇଗଲେ।

ସେହି ସମୟ ଥିଲା ଅଧ୍ୟାତ୍ମ, ସମାଜ ଓ ସାହିତ୍ୟ ସହ ଏକାଠି କାମ କରିବାର ସମୟ। ମହାନ ବିପ୍ଲବୀ ମହର୍ଷି ଅରବିନ୍ଦ ମାଣିକତଲା ବମ୍ ବିସ୍ଫୋଟରେ ଗିରଫ ହୋଇ ଆଲିପୁର ଜେଲରେ ବନ୍ଦୀ ଜୀବନ କାଟିଲେ। ସେହି ଜେଲରେ ସେ ଦିବ୍ୟ ଜନନୀ ଭାରତ ମାତାଙ୍କ ଅଖଣ୍ଡ ସ୍ୱରୂପକୁ ଧ୍ୟାନ କରି ଜେଲ ଜୀବନରୁ  ମୁକ୍ତି ପରେ ପଣ୍ଡିଚେରୀ ଆଶ୍ରମରେ ଏହି ଭରତମାତାଙ୍କ ଅଖଣ୍ଡ ଭାରତର ମାନଚିତ୍ରକୁ ସ୍ୱୟଂ ନିଜସ୍ୱ ପରିବାର ଜ୍ଞାନରେ ପୂଜା କରୁଥିଲେ।

ସେବେଳରେ ବଙ୍କିମଚନ୍ଦ୍ର ତାଙ୍କରି ପ୍ରସିଦ୍ଧ ଉପନ୍ୟାସ ଆନନ୍ଦମଠ ଲେଖିବା ଆରମ୍ଭ କରିଥିଲେ। ଏହା ସେବେଳର ସମଗ୍ର ବଙ୍ଗ ପ୍ରଦେଶର ଅନୁଭୂତ ହେଉଥିବା ମରୁଡ଼ି ଓ ସନ୍ନ୍ୟାସ ଆନ୍ଦୋଳନର ପୃଷ୍ଠଭୂମିର ଏକ ବଳିଷ୍ଠ ଓ ଅଭୂତପୂର୍ବ ଉପନ୍ୟାସ ଥିଲା। ଯେଉଁଥିରେ ମରୁଡ଼ି ଜନିତ କ୍ଷୁଧା ଏବଂ ପରାଧୀନ ଭାରତରୁ ମୁକ୍ତି ପାଇଁ ସ୍ୱାଧୀନତା ସଂଗ୍ରାମର ଅଦମ୍ୟ କାମନା ବିହିତ ଥିଲା। ଯାହା ସର୍ବ ଧର୍ମ ସର୍ବ ସମ୍ପ୍ରଦାୟରେ ଥିବା ବିଭେଦତାକୁ ଚୁରମାର କରି ଏକ ବଳିଷ୍ଠ ଭାରତୀୟ ପରିବାରବୋଧକୁ ପ୍ରତିଷ୍ଠା କରି ସେ ସମୟର ପ୍ରଶାସକ ତଥା ଇଂରେଜମାନଙ୍କ ହୃଦୟକୁ ଥରାଇ ଦେଇଥିଲା। ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କ ଆନନ୍ଦମଠ ଉପନ୍ୟାସ ଭିତରେ ମରୁଡ଼ି ଜନିତ କ୍ଷୁଧା ଏବଂ ସ୍ୱାଧୀନତା ସଂଗ୍ରାମର ଅଦମ୍ୟ କାମନା ସହିତ ଭାରତୀୟ ପରିବାରର ଆଦର୍ଶ ଭାବ ତଥା କୁଟୁମ୍ବବୋଧକୁ ପୁନଃ ଜାଗ୍ରତ କରିପାରି ଥିଲା।  'ବନ୍ଦେମାତରମ ' ର ଉଦ଼ଘୋଷର ସାରାଂଶ ଏହି ଭାରତୀୟ କୁଟୁମ୍ବ ଧାରାକୁ ହିଁ ଏଯାବତ ଶାଶ୍ୱତ କରିରଖିଛି।

କବିବର ରବୀନ୍ଦ୍ରନାଥଙ୍କ କଥା ସାହିତ୍ୟ ସେସମୟର ଗ୍ରାମୀଣ ଏବଂ ପରିବର୍ତ୍ତିତ ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବଜନିତ ମୁଣ୍ଡ ଟେକୁଥିବା ବିଛିନ୍ନତାବୋଧକୁ ସମାହିତକରି ଏକ ସୁଦୃଢ଼ ସମାଜ ଓ ପରିବାରର ନିର୍ମାଣ କରିବାରେ ସତତ ଚେଷ୍ଟିତ ଥିଲା।

ଶରତ ଚନ୍ଦ୍ରଙ୍କ ସାହିତ୍ୟ ଭାରତୀୟ ପୃଷ୍ଠଭୂମିରେ ନାରୀର ଭୂମିକାକୁ ପ୍ରସ୍ତୁତ କରିଛି। ସେ ତଥାକଥିତ ପତିତା ସ୍ତ୍ରୀମାନଙ୍କ ଉଚ୍ଚ ଆଦର୍ଶ ଉନ୍ମୁଖ ଚରିତ୍ରର ସ୍ନେହିଳ ଚିତ୍ରଣ କରିଛନ୍ତି। ନାରୀର ଅନେକ ରୂପର ସମ୍ମୋହନ ଶରତ ସାହିତ୍ୟର ଆଧାର ଅଟେ। ଯାହା ପରିବାରର ମୁଖ୍ୟ ଆଧାର ଶିଳା ଭାବରେ ନାରୀ ଚରିତ୍ରର ମହତ୍ତ୍ୱକୁ ବହୁ ଭାବରେ ପ୍ରସ୍ତୁତ କରିଛି।

ଓଡ଼ିଶାର ପ୍ରସିଦ୍ଧ 'ସବୁଜ ଲେଖକ' କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରସିଦ୍ଧ କାହାଣୀ 'ମାଂସର ବିଳାପ' ରେ ରହିଥିବା ଶ୍ୱାନ ଓ ହରିଣର ଅଦ୍ଵିତୀୟ ମିତ୍ରତାକୁ ଯଥାର୍ଥବାଦୀ ପରାଧୀନତାର ବୋଝ ତଳେ ପେଷି ହେଉଥିବା ମାନବ ମୂଲ୍ୟର ସଂଘର୍ଷ, କ୍ରୁର ଇଂରେଜ ଶାସକଙ୍କ ପାଖରେ ମୁଣ୍ଡ ବିକିଥିବା ଜମିଦାରଙ୍କ କିଂକର୍ତ୍ତବ୍ୟବିମୁଢ଼ତାର ମାର୍ମିକ ଚିତ୍ରଣ ଦେଖିବାକୁ ମିଳିଥାଏ। ବିଷୟବସ୍ତୁରେ ଥିବା କରୁଣ ବିକଳ ସମ୍ବେଦନଶୀଳ ଭାବବୋଧର ମାର୍ମିକ ବର୍ଣ୍ଣନା ଭାରତୀୟ ପରିବାରବୋଧକୁ ମାନବୀୟ ଚିତ୍ରଣଠାରୁ ବହୁ ଉର୍ଦ୍ଧ୍ବକୁ ନେଇ ଅଯାଚିତ ଭାବେ ବଣରେ ବୁଲୁଥିବା ହରିଣ ଛୁଆ ଓ ଘରେ ପୋଷି ଥିବା ଶ୍ଵାନର ଚରିତ୍ରର ଶ୍ରେଷ୍ଠତାକୁ ପ୍ରତିପଦାନ କରିଛି।

କ୍ରମଶଃ...

୨୭. ୫. ୧୮

No comments: