Wednesday, 23 May 2018

*ଆମ ସଂସ୍କୃତିର...-୧୫*

ଆଧୁନିକ ଯୁଗରେ ଭାରତୀୟ ସଂସ୍କୃତିର ବୈଶ୍ବିକ ଭୂମିକାର ବୀଜାରୋପଣ ସ୍ୱାମୀ ବିବେକାନନ୍ଦଙ୍କ ଶିକାଗୋ ଭାଷଣରୁ ଆରମ୍ଭ ହୋଇଥିବା ମନେହୁଏ। ସେଦିନରୁ ଭାରତୀୟ ଆଧ୍ୟାତ୍ମିକ ଗୁରୁମାନଙ୍କର  ବିଦେଶ ଯାତ୍ରା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି। ଏହା ସହ ଇସ୍କନ ଓ ଅନ୍ୟାନ୍ୟ ବହୁ ନୂତନ ସାଧନା ପ୍ରିୟ ଆଧ୍ୟାତ୍ମିକ ସଂଗଠନ ବିଶ୍ୱ ଜୀବନକୁ ଅନୁପ୍ରାଣିତ କରିବାରେ ଲାଗିଛନ୍ତି। ଆଜି ଭାରତୀୟ ଯୋଗ ସଂସ୍କୃତି ବିଶ୍ୱ ସ୍ତରରେ ପହଞ୍ଚି 'ବିଶ୍ୱ ଯୋଗ ଦିବସ' ଭାବରେ ପାଳନ କରାଯିବାର ନିର୍ବିରୋଧ ସାମର୍ଥ୍ୟ ହାସଲ କରିଛି। ଏହା ମାଧ୍ୟମରେ ଭାରତୀୟ ସଂସ୍କୃତିର ହଜାର ବର୍ଷର ବିଶ୍ୱସନୀୟତା ଦୃଢ଼ୀଭୂତ ହୋଇ ପାରିଛି।

ପୃଥିବୀର ବିଭିନ୍ନ ମହାଶକ୍ତିମାନଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ପ୍ରକ୍ରିୟାକୁ ଅନୁଧ୍ୟାନକରି ଆମେରିକାର ବିଶିଷ୍ଟ ଚିନ୍ତାନାୟକ ସାମୁଏଲ ହଣ୍ଟିଙ୍ଗଟନ କହନ୍ତି, 'ଏବେ ବିଶ୍ୱର ସଭ୍ୟତା ସବୁ ସଂଘର୍ଷର ଘେରରେ ପଡ଼ି ଯାଇଛନ୍ତି। ପ୍ରତ୍ୟକ୍ଷ ଆତଙ୍କବାଦୀ ଘଟଣା ଗୁଡ଼ିକୁ ଦେଖିଲେ ଏହା ସ୍ପଷ୍ଟ ହେଇଯାଉଛି। କିନ୍ତୁ ଲାଗୁନି ଏହା ସମ୍ପୂର୍ଣ୍ଣ ସତ୍ୟ ଭାବରେ ଭବିଷ୍ୟତରେ ତିଷ୍ଠି ରହିବ। ବିଶ୍ୱରେ କେବଳ ଯେ ବର୍ବର ଶକ୍ତି ଅଛନ୍ତି ତାହା ନୁହଁ ଏହା ସହ ସମ୍ବେଦନଶୀଳ ଶକ୍ତିର ମଧ୍ୟ ଅଭ୍ୟୁଦୟ ହେଉଛି। ସମ୍ଭବତଃ ଏହି ସମ୍ବେଦନଶୀଳ ମାନବିକତା ପାଇଁ ଆଜି ବି ଆମ ବିଶ୍ୱ ଜୀବନ ସକ୍ରିୟ ରହିଛି।'

ଏଥିରେ ଉଲ୍ଲେଖ ଥିବା କୁମାର୍ଗ ପରିଚାଳିତ ବର୍ବର ଶକ୍ତିମାନେ ପରସ୍ପର ମଧ୍ୟରେ ଲଢ଼େଇ କରିବାରେ ବ୍ୟସ୍ତ। ସେମାନଙ୍କ ଅନ୍ତ ଯେ ସୁନିଶ୍ଚିତ ଏହା ନିଃସନ୍ଦେହ। ଏ ସଂଘର୍ଷ ମଧ୍ୟରୁ ନିଶ୍ଚିତ ରୂପରେ ମାନବ ସଭ୍ୟତାର ଆଧାର ରୂପେ ମାନବିକତା ଧର୍ମର ଅଭ୍ୟୁଦୟ ଘଟିବ। ଏଥିରେ ସାମିଲ ହୋଇଥିବା ତୃତୀୟ ଶକ୍ତିର ରାଷ୍ଟ୍ରମାନଙ୍କ ଦ୍ୱାରା ବିଶ୍ୱ ପୋଷିତ ହେବ। ଏହି ତୃତୀୟ ଶକ୍ତିର ପ୍ରମୁଖ ରାଷ୍ଟ୍ର ହୋଇ ଆମ ଭାରତବର୍ଷ ବିଶ୍ୱରେ ନୂତନ କରି ବିଶ୍ବହିତାୟ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବାର ନେତୃତ୍ୱ ନେବ ଏବଂ ଏଥିରୁ ହିଁ ଭାରତର ଆଦ୍ୟ ସଂସ୍କୃତିର ଅସ୍ମିତା ଓ ପରିଚିତି ପ୍ରକାଶ ପାଇବ।

ଭାରତ ରାଷ୍ଟ୍ର ଆଦି ଋଷିମାନଙ୍କର ସୃଜନରୁ ସମ୍ଭବ ହୋଇଛି। ଏହାର ଲକ୍ଷ୍ୟ ପୂର୍ବ ନିର୍ଦ୍ଧାରିତ। ଆଗାମୀ ଦିନରେ ଏହି ଚିନ୍ତନକୁ ଜାଗରିତ କରି ରଖିବା ପାଇଁ ଆମ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସେବା ମନୋଭାବର ଅନୁଷ୍ଠାନ ଗୁଡ଼ିକୁ ନିରନ୍ତର ସାଧନା ଉପରେ ଦୃଢ଼ ରହିବାକୁ ହେବ। ଆଗାମୀ ବିଶ୍ୱର ଭବିଷ୍ୟତ ଭାରତର ଭାଗ୍ୟ ଦ୍ୱାରା ଯେ ନିର୍ଦ୍ଧାରିତ ହେବ ଏହା ସୁସ୍ପଷ୍ଟ।  ଏକାତ୍ମ ଧାରଣା ଉପରେ ପ୍ରତିଷ୍ଠିତ ବିଶ୍ୱ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହୋଇଥିବା ଆମ ସର୍ଵଜନହିତାୟ ଭାରତୀୟ ସଂସ୍କୃତିର ବିଜୟ ଯେ ସୁନିଶ୍ଚିତ ଏଥିରେ ସନ୍ଦେହ ନାହିଁ।

୨୩. ୫. ୧୮

No comments: