ୟୁନାନ ଓ ରୋମ ସହିତ ଦକ୍ଷିଣ ଭାରତର ବାଣିଜ୍ୟିକ ତଥା ସାଂସ୍କୃତିକ ସମ୍ବନ୍ଧ ଚଉଦଶହ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିଲା। ରୋମର ସୁନ୍ଦରୀ ଯୁବତୀ ମାନେ ଭାରତର ମଲମଲ ଓ ମୋତିର ହାର ପ୍ରତି ବହୁମାତ୍ରାରେ ଆକୃଷ୍ଟ ଥିଲେ। ବିଶିଷ୍ଟ ଐତିହାସିକ ଭଗବତ୍ ଶରଣ ଉପାଧ୍ୟାୟ ଲେଖିଛନ୍ତି ଯେ ଥରେ ରୋମ୍ ର କିଲା ଓ ବଜାର ଉପରେ ଦସ୍ୟୁ ମାନେ ଆକ୍ରମଣ କରି ଅଧିକାର କରିନେଲେ। ସେତେବେଳେ ସେଠାବର ଭାରତୀୟ ବ୍ୟବସାୟୀମାନେ ତିରିଶ ମହଣ ଗୋଲ ମରିଚ ଦେଇ ଦସ୍ୟୁ ମାନଙ୍କଠାରୁ ରୋମ୍ କୁ ମୁକ୍ତ କରିଥିଲେ। ସେଦିନର ଭାରତୀୟ ବ୍ୟବସାୟିକ ଔଜଲ୍ୟତା ପାଇଁ ବୋଧେ, ସେହି ଗୋଲମରିଚ(ମସଲା ଦ୍ରବ୍ୟ)ର ଆକର୍ଷଣ ହିଁ ଭାରତକୁ ଶହ ଶହ ବର୍ଷ ପରାଧୀନତା ଆଣି ଦେଇଥିଲା।
ପ୍ରାଚୀନ ଭାରତରେ ବିଶ୍ୱ ବାଣିଜ୍ୟକୁ କେବଳ ମସଲା ଦ୍ରବ୍ୟ ଯେ ଅଭିହିତ କରିଥିଲା ତାହା ନୁହଁ କପା ତୁଳାର ସୂକ୍ଷ୍ମ ବସ୍ତ୍ର, ହସ୍ତଶିଳ୍ପ ସାମଗ୍ରୀ ଓ ରେଶମ ବସ୍ତ୍ର ମଧ୍ୟ ବିଶ୍ୱ ବ୍ୟବସାୟୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ରେଶମୀ ବସ୍ତ୍ରର ବ୍ୟବସାୟ ଅତ୍ୟନ୍ତ ସମୃଦ୍ଧ ଥିଲା। ଏଇ ବ୍ୟବସାୟର ପ୍ରଭାବ ଏତେ ଥିଲା ଯେ ଭାରତକୁ ବିଶ୍ୱସମୁଦାୟ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ସ୍ୱତନ୍ତ୍ର ଭାବେ ଏକ ମାର୍ଗର ପ୍ରତିଷ୍ଠା ହେଇଗଲା ଯାହାର ନାମ ଥିଲା 'ରେଶମୀ ମାର୍ଗ'। ସେ କାଳର ରେଶମୀ ବସ୍ତ୍ର ବ୍ୟବସାୟର ପ୍ରସିଦ୍ଧି ଥିବା କଥା ବିଭିନ୍ନ ଶିଳା ଲେଖ ମାନଙ୍କରୁ ଦେଖିବାକୁ ମିଳେ। ରେଶମୀ ବସ୍ତ୍ରର ବ୍ୟବସାୟ ମିଶର, ରୋମ, ମଧ୍ୟ ଏସିଆର ଦେଶ ଇରାକ, ଇରାନ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଦକ୍ଷିଣ ଭାରତର ଚୋଳ ରାଜାମାନଙ୍କ ସମୟ ପର୍ଯ୍ୟନ୍ତ ଏହି ବ୍ୟବସାୟ ବହୁ ଉତ୍କର୍ଷତା ଲାଭ କରିଥିଲା। ପ୍ରାଚୀନ ଭାରତରେ ସମ୍ପାଦିତ ହେଉଥିବା ରେଶମୀ ବସ୍ତ୍ର ବାଣିଜ୍ୟ କାରବାର ସହିତ ଭାରତୀୟ ସଂସ୍କୃତି ମଧ୍ୟ ସେହି ସବୁ ଦେଶକୁ ସମ୍ପ୍ରସାରିତ ହୋଇଥିଲା। ଏହି ବାଟରେ ଭାରତୀୟ ସଂସ୍କୃତିର ଛାପ ରୋଡ଼େସିଆ-ଜିମ୍ବାୱେରେ ଦେଖିବାକୁ ମିଳିଥିଲା। ଦକ୍ଷିଣ ରୋଡ଼େସିଆରେ ଏବେ ବି ଭାରତୀୟ ସଂସ୍କୃତିର କେତେକ ଅବଶେଷ ମିଳୁଛି।
ଭାରତର ବ୍ୟବସାୟୀମାନେ ସାଧାରଣତଃ ଚାରିଟି ପୁରୁଣା ରାସ୍ତା ଦେଇ ଚୀନ ସହ ସମ୍ପର୍କ ରଖୁଥିଲେ। ସେଗୁଡ଼ିକ ହେଲା -
୧) ଗିଲଗିଟ ଦେଇ
୨) ହିମାଳୟର ପୂର୍ବାଞ୍ଚଳରେ ଥିବା ବର୍ମା ଦେଇ
୩) ମଧ୍ୟ ଏସିଆ ଦେଇ
୪) ସମୁଦ୍ର ପଥ - କଳିଙ୍ଗ ସାଗର ସୁମାତ୍ରା ଦେଇ
କାନ୍ଦାହାର(ଗାନ୍ଧାର), ଇରାନ, ତୁର୍କମେନିଆ, ସିକିୟାଙ୍ଗ, ଚୀନ ଓ ଦକ୍ଷିଣରେ ତିବ୍ବତ୍ ତଥା ଉତ୍ତରରେ ସାଇବେରିଆ (ଶିବାବର୍ତ୍ତ) ଆଦି ଦେଶ ଗୁଡ଼ିକ ସ୍ଥଳ ପଥ ଦେଇ ପରସ୍ପର ଯୋଡ଼ି ହୋଇଥିଲେ। ଚୀନରେ ବୌଦ୍ଧ ଧର୍ମ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ପହଞ୍ଚିଥିଲା। ଚତୁର୍ଥ ଶତାବ୍ଦୀରେ ଚୀନା ବୌଦ୍ଧମାନେ କୋରିଆରେ ବୌଦ୍ଧ ଧର୍ମ ପ୍ରସାର କରିଥିଲେ। କୋରିଆରୁ ଏହି ଧର୍ମ ଜାପାନକୁ ପ୍ରସାରିତ ହୋଇଥିଲା। ତତ୍ ପୂର୍ବରୁ ଜାପାନରେ ଅଗ୍ନି ଓ ସୂର୍ଯ୍ୟଙ୍କ ପୂଜା ପ୍ରଚଳିତ ଥିଲା। ଯାହାକୁ ଶାନ୍ତୋ ଧର୍ମ କୁହାଯାଉଥିଲା। ସମ୍ଭବତଃ ଭୌଗୋଳିକ ଓ ସାଂସ୍କୃତିକ କାରଣ ଯୋଗୁ ବିଶ୍ୱରେ ଜାପାନକୁ ଉଦିତ ସୂର୍ଯ୍ୟର ଦେଶ କୁହାଯାଉଥିଲା। ଏହି ସାଂସ୍କୃତିକ ସମୃଦ୍ଧି କାରଣରୁ ସେଠାରେ ଶାନ୍ତୋ ଓ ବୌଦ୍ଧ ଧର୍ମର ସମନ୍ବିତ ରୂପ ଦେଖିବାକୁ ମିଳିଲା।
କ୍ରମଶଃ...
୨୦. ୫. ୧୮

No comments:
Post a Comment