ଆମ ଭାରତୀୟ ପରମ୍ପରାର ବୈଶ୍ବିକ ସମ୍ପର୍କ, ସମ୍ବନ୍ଧ ଓ ବ୍ୟାବହାରିକ ନୀତିର ବ୍ୟାଖ୍ୟା କରିବାକୁ ଯାଇ
ଇଶୋପନିଷଦ କହିଛି : -
"ଇଶାବାଶ୍ୟମିଦମ ସର୍ବଂ ଯତ୍ କିଞ୍ଚିତ୍ ଜଗତ୍ୟାମ୍ ଜଗତ୍। ତେନ ତ୍ୟକ୍ତେନ ଭୁଞ୍ଜିଥାଃ ମା ଗୃଧଃ କସ୍ୟ ସ୍ଵିଦ ଧନମ୍।"
ଅର୍ଥାତ୍ ଏଇ ଜଗତରେ ଜୀବନ ଧାରଣ ପାଇଁ ଯାହାର ଯେତିକି ଦରକାର, ସେ ସେତିକି ଗ୍ରହଣ କରିବା ଉଚିତ। ତା' ଠାରୁ କିଞ୍ଚିତ ବି ଅଧିକା ଉପଯୋଗ କରିବା ଗର୍ହିତ ପାପ, ଯାହା ଚୋରି କରିବା ସହିତ ସାମାନ। ଏଇ ଇଶୋପନିଷଦକୁ ଆଧାର କରି ଭାରତୀୟ ମନିଷୀଗଣ ବ୍ୟକ୍ତିର ନ୍ୟୁନତମ ଆବଶ୍ୟକତାକୁ ନେଇ ପ୍ରକୃତି, ବିକୃତି ଓ ସଂସ୍କୃତିର ଅବତାରଣା କରିଛନ୍ତି। କ୍ଷୁଧା ନିବାରଣପାଇଁ ଯେତିକି ଆବଶ୍ୟକ ସେତିକି ହିଁ ଗ୍ରହଣ କରିବା ପ୍ରକୃତି ପର୍ଯ୍ୟାୟର, କିନ୍ତୁ ନିଜର ନ୍ୟୁନତମ ଆବଶ୍ୟକତା ଠାରୁ ଅଧିକା ସଂଗ୍ରହ କରିବା ବା ଗ୍ରହଣ କରିବା ଅର୍ଥ ଅନ୍ୟପାଇଁ ସଞ୍ଚିତ ଥିବା ଖାଦ୍ୟକୁ ଲୋଭଗ୍ରସ୍ତ ହୋଇ ଆତ୍ମସାତ୍ କରିବା ଯାହା ବିକୃତିର ପରିଚାୟକ। ଏହା ବ୍ୟତୀତ ଯେଉଁଠି ନିଜର ଜୀବନ ଧାରଣ ପାଇଁ ଉଦ୍ଦିଷ୍ଟ ଥିବା ଖାଦ୍ୟକୁ ନିଜ ପେଟରୁ କାଟି ଅନ୍ୟ କୌଣସି କ୍ଷୁଧାର୍ଥ ବ୍ୟକ୍ତିକୁ ଅର୍ପଣ କରିବାର ଯେଉଁ ମହନୀୟତା ରହିଛି ସେୟା ହିଁ ସଂସ୍କୃତିର ଗୁଣ ବହନ କରେ। ଏତଦ୍ୱାରା ଆମେ ଏଇ ଧାରଣାରେ ଉପନୀତ ହେବା ଯେ ଭୋଗବାଦ ହେଉଛି ଚୌର୍ଯ୍ୟ ପ୍ରକୃତିର, ତ୍ୟାଗ ହିଁ ଆମ ଭାରତୀୟ ପରମ୍ପରାରେ ସୃଷ୍ଟ ସଂସ୍କୃତିର ଧାରା। ଏଣୁ ଆମକୁ ଏତିକି ବୁଝିବାକୁ ହେବ ଯେ ଅନ୍ୟର ଧନ ସମ୍ପଦକୁ ଶୋଷଣ କରି ବିକୃତି ରୂପକ ଅପସଂସ୍କୃତିର ଚରିତ୍ର ଗଠନ କରିବା ନା କୌଣସି ଏକ ବିପଦଗ୍ରସ୍ତ ଭୁଭୁକ୍ଷୁ ଜନତାର କ୍ଷୁଧା ନିବାରଣ ଓ ଦୁଃଖ ମୋଚନ ପାଇଁ ସେବା ଯୋଗାଇଦେଇ ସ୍ଥିର, ମହାର୍ଘ, ଶାଶ୍ୱତ ସଂସ୍କୃତିସମ୍ପନ୍ନ ମାନବ କଲ୍ୟାଣର ଚରିତ୍ର ନିର୍ମାଣ କରିବା !
ଏହି ବିଚାରକୁ ନେଇ କେବଳ ଭାରତ ନୁହେଁ, ବରଂ ସମସ୍ତ ଦେଶ, ଯେଉଁମାନେ ସାମ୍ରାଜ୍ୟବାଦୀଙ୍କ କବଳରୁ ମୁକ୍ତ ହୋଇଛନ୍ତି, ମୂଳ ସଂସ୍କୃତିକୁ ଫେରି ପାଇବାକୁ ଚେଷ୍ଟା କରୁଛନ୍ତି। ପରିବର୍ତ୍ତନଶୀଳ ବିଶ୍ୱ ପ୍ରତ୍ୟେକ ଯୁଗରେ ବିକୃତିଗୁଡ଼ିକୁ ପରିତ୍ୟାଗ କରି ଆଗକୁ ବଢ଼ି ଥାଏ। ଆଧୁନିକ ଭାରତର ଧାରଣା ଏବେ ପୁରୁଣା ହୋଇଗଲାଣି। ଆଧୁନିକତାର ବିକୃତିକୁ ଲୋକେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଯୁଗ ଯୁଗରୁ ପ୍ରଚଳିତ ପ୍ରଥା ଓ ପରମ୍ପରାଗୁଡ଼ିକ ବର୍ତ୍ତମାନର ପିଢିକୁ ଆକର୍ଷିତ କରି ପାରୁନାହିଁ। ଅତୀତର ବହୁ ପ୍ରମାଣିତ ସତ୍ୟଗୁଡିକୁ ବିକୃତି ବୋଲି ନିନ୍ଦିତ କରି ଆଧୁନିକ ମାନବ ସେଗୁଡିକୁ ହେୟ ଜ୍ଞାନ କରୁଛି। ଏହି ପରିବର୍ତ୍ତନ ଚକ୍ରରେ ଆଧୁନିକ ଶବ୍ଦାବଳୀ ଓ ପରିଭାଷା ମଧ୍ୟ ନିରର୍ଥକ ହୋଇପଡୁଛି। ସାର୍ବଜନୀନତା ସ୍ଥାନରେ ବ୍ୟକ୍ତି ସ୍ୱାଧୀନତା ବିଷୟ ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି। ସମୁଦାୟ, ସଙ୍ଗଠନ ଓ ସଂସ୍ଥାରେ ମଧ୍ୟ ବ୍ୟକ୍ତିର ମହତ୍ତ୍ୱ ଅଧିକ ବଢ଼ି ଯାଇଛି।
କୌଣସି ସମୁଦାୟର ସଂସ୍କୃତି ବାସ୍ତବରେ ତାହାର ଆହାର, ବିହାର, ଆଚାର, ବ୍ୟବହାରରେ ପ୍ରକଟିତ ହୋଇଥାଏ। ଏହା ହିଁ ସେହି ସମାଜକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଅଧୁନା ଏତିକି ଭିତରେ ଏହା ସୀମିତ ନ ରହି ସୃଜିତ ସମ୍ପର୍କ ଓ ସମ୍ବନ୍ଧର ରୂପାନ୍ତରଣ ହୋଇଛି କେବଳ ଅର୍ଥ ଓ ରାଜନୀତି ଭିତରେ।
ସାମ୍ପ୍ରତିକ କାଳରେ କେବଳ ଅଧୁନାତନ ଘଟଣା ସମ୍ପର୍କରେ ସୂଚନା ଦ୍ଵାରା ନୁହେଁ, ପରନ୍ତୁ ଭାଷା ଓ ଶବ୍ଦର ଅର୍ଥ ପରମ୍ପରାର ଉପଯୋଗ ମଧ୍ୟ ସତର୍କତାର ସହ କରିବାକୁ ପଡ଼େ। ଏଥିପାଇଁ ବୈଶ୍ବିକତାର ବର୍ତ୍ତମାନ ଅବସ୍ଥାରେ ନିଜର ପରିଚିତି ସୁନିଶ୍ଚିତ କରିବା ପାଇଁ ପଶ୍ଚାତ୍ୟର ଅଖଣ୍ଡ ପ୍ରଭୁତ୍ୱକୁ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଭାରତୀୟ ସଂସ୍କୃତିର ପକ୍ଷ ପଶ୍ଚାତ୍ୟରେ ସୁଦୃଢ଼ ହେବା ଆରମ୍ଭ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ଏପରି ଭିନ୍ନତା ସ୍ଥାପିତ କରିବାର କାରଣ ହେଲା ଭାରତର ସଂସ୍କୃତି ଓ ପଶ୍ଚାତ୍ୟର କଲଚର ଭିତରେ ଥିବା ଶବ୍ଦାର୍ଥ। ଏହି ଶବ୍ଦରେ ଥିବା ଭାବାର୍ଥ ଓ ଗୂଢ଼ାର୍ଥକୁ ବୁଝିବାକୁ ହେବ।
କ୍ରମଶଃ....
୧୦. ୦୫. ୧୮

No comments:
Post a Comment