Wednesday, 30 May 2018

*ବିସ୍ଥାପନ ସାହିତ୍ୟରେ କୁଟୁମ୍ବ - ୧*

ଭୂସ୍ବର୍ଗ କାଶ୍ମୀରକୁ ହାତେଇବା ପାଇଁ ପାକିସ୍ଥାନ ଆଜି ଦିନରାତି ଏକ କରିଦେଇଛି। ସେହି ପ୍ରଦେଶରେ ଅନେକ ପ୍ରକାର ଆକ୍ରମଣ ହେଉଛି। ସେଠାକାର ଲୋକଙ୍କ ଜୀବନର ଅଧା ସମୟ ଲଢ଼ିବା ମରିବା ସ୍ଥିତିରେ ଯୁଦ୍ଧରେ ବିତୁଛି। ସୀମାବର୍ତ୍ତୀ ଗ୍ରାମମାନଙ୍କରେ ତ ଦିନ ପ୍ରତିଦିନ ଗୁଳି ବର୍ଷା ହେଉଛି। ସେଠିକାର ଅଧିବାସୀଙ୍କୁ କେତେବେଳେ ଘର ଛାଡ଼ିବାକୁ ପଡୁଛି ତ ପୁଣି କେତେବେଳେ ଘରକୁ ଫେରିବାକୁ ହେଉଛି।  ବୁଝିହୁଏ ନାହିଁ ଏଇଭଳି ସ୍ଥିତିରେ ଏକ ଗଣ ତନ୍ତ୍ର ଦେଶ କିପରି ଶାନ୍ତିରେ ଶ୍ଵାସ ନେଉଛି। ଯେତେବେଳେ କୁନି କୁନି ଛୁଆଙ୍କୁ କାଖରେ ବାନ୍ଧି ସ୍ତ୍ରୀଲୋକଟିଏ ସୁରକ୍ଷିତ ସ୍ଥାନଟିଏ ଖୋଜି ବୁଲୁଛି। ସ୍ଥାନ ନ ମିଳେ ତ ରାସ୍ତାରେ ବସି ରାତି କାଟିଦେଉଛି। ଇଆଡ଼େ ସୀମାରେ ତା ଘର କାନ୍ଥରେ ଗୁଳି ମାଡ଼ ଚାଲୁଛି। କିଛି ଅଭାଗା ତ ଘରର ମୋହ ନ ଛାଡ଼ି ସେହି ଘରେ ଶହୀଦ ହୋଇଯାଉଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟର କଥା ସୀମାରେ ନୁହେଁ, ଖୋଦ କାଶ୍ମୀର ଘାଟିରେ କଶ୍ମୀରବାସୀଙ୍କ ଦ୍ଵାରା କାଶ୍ମୀର ବାସୀ ବିତାଡ଼ିତ ହୋଇଛି।

୧୯୯୦ ମସିହାରେ କାଶ୍ମୀରରୁ ହିନ୍ଦୁ ପଣ୍ଡିତମାନେ ବିସ୍ଥାପିତ ହେଲେ। ସେମାନେ ହରାଇଲେ ତାଙ୍କ ଜନ୍ମସ୍ଥଳୀ, ଆସ୍ଥାସ୍ଥଳୀ, ଘର, ବଗିଚା ଓ କୁଟୁମ୍ବ। କାଶ୍ମୀର ଇସ୍ଲାମିକ ଆତଙ୍କ ଚରମ ଅବସ୍ଥାରେ ଥିଲା। ଏହା କାଶ୍ମୀରରେ ଆବାହମାନ କାଳରୁ ବାସ କରି ଆସିଥିବା ଏକ ପଣ୍ଡିତ ଜାତିକୁ ଘାଟିରୁ ନିଷ୍କାସିତ କରିଦେଲା। ଏହା ସେହି ଇତିହାସକୁ ପୁଣି ସ୍ମରଣ କରାଇଦେଲା, ଯେତେବେଳେ ସିକନ୍ଦର ବୁତ ଶିକନ ଦ୍ୱାରା କାଶ୍ମୀରରେ ହଜାର ହଜାର ଲୋକଙ୍କୁ ବଳ ପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଧାର୍ମିକ ଉନ୍ମାଦର ଏହି କ୍ରମ ସେବେଠୁ ଏବେ ପର୍ଯ୍ୟନ୍ତ ସକ୍ରିୟ ରହିଛି, କେବେ ତୀବ୍ର ତ କେବେ ମନ୍ଦ ଗତିରେ।

ଆମ ଦେଶରେ ବିଦେଶରୁ ଆସି ଇହୁଦୀ, ପାର୍ସୀ, ଜୋରାଷ୍ଟ୍ରିଆନ ଶରଣାର୍ଥୀ ରହିଥିଲେ। କିନ୍ତୁ କାଶ୍ମୀର ପଣ୍ଡିତଙ୍କ କଥା ଅଲଗା। ଏମାନେ ନିଜ ଦେଶରେ ଗୋଟିଏ ପ୍ରଦେଶରୁ ବିତାଡ଼ିତ ହୋଇ ଅନ୍ୟ ପ୍ରଦେଶକୁ କିମ୍ବା ସେହି ପ୍ରଦେଶର ଅନ୍ୟ ସ୍ଥାନରେ ରହୁଥିବା ଶରଣାର୍ଥୀ।

ବିସ୍ଥାପନ ପ୍ରଭାବିତ ଲୋକ ବ୍ୟକ୍ତିଗତ, କୁଟୁମ୍ବ ଓ ସମୁଦାୟ ବା ଜାତି ବିଶେଷ ସ୍ତରରେ ବଞ୍ଚିବା ମରିବା ଭଳି ବିଷମ ପରିସ୍ଥିତିରେ ନିଜ ଅସ୍ତିତ୍ୱ ଓ ଅସ୍ମିତାର ସଂଘର୍ଷ କରୁଥିଲେ। ସହିତ୍ୟିକଗଣ ଧାର୍ମିକ ଆତଙ୍କ, ନିର୍ବାସନର ଦୁଃଖ, ହତ୍ୟା ଆଦି ଅନେକ କଥାକୁ ଯଥା ଜଟିଳତା, ପୀଡ଼ା, ସନ୍ଦେହ, ଶଙ୍କା, କ୍ରୋଧ ଓ ପ୍ରତିକାର ସହ ସରଳତାର ସୌନ୍ଦର୍ଯ୍ୟ, ଇତିହାସର ଚେତନା, ପ୍ରଶ୍ନାକୁଳ ମନ , ମୁକ୍ତିକାମୀ ଉଦ୍ଦାତ ଚେତନା, ଆଶାବାଦିତା ସହ ଆରମ୍ଭରୁ ସକ୍ରିୟ ଅଛନ୍ତି।

କାଶ୍ମୀରର ଏକ ଲୋକ କଥା ଅଛି, 'ଗର୍ ବନ୍ଦହ୍ୟ ଗର୍ ସାସା, ବର ନେର୍ ହି ନ ଜାଂହ।' ଅର୍ଥାତ୍ ହେ ଘର ! ତୋ ଉପରେ ହଜାରେ ଘର ଆଶ୍ରିତ। ତେଣୁ ତୋ ଦ୍ୱାର ଛାଡ଼ି ଆଉ କୁଆଡ଼େ ଯିବାର ଆମେ ଚିନ୍ତା କରି ପାରିବୁ ନାହିଁ। ଯେଉଁଠି ପରିବାରର ମୂଳ ଲୋକମାନେ ରହି ଆସିଛନ୍ତି ତାହାକୁ ଆମେ ଘର କହୁଛୁ। ସେଠାରେ ପୂର୍ଣ୍ଣ ପ୍ରସ୍ଫୁଟିତ ପରିବାର ରହିଥାଏ। ଯେଉଁ ଭୂମିରେ ଘର ଛିଡ଼ା ହୋଇଛି ତାହା ହିଁ ଭିଟାମାଟି ବା ଆମର ପ୍ରିୟ ମାତୃଭୂମି। ତାକୁ ଛାଡ଼ି ଦିଲ୍ଲୀରେ, ଜମ୍ମୁରେ ଓ ଅନ୍ୟ ଅପରିଚିତ ସ୍ଥାନରେ ଖୋଲା ଆକାଶ ତଳେ ଦିନ ବିତାଇବାର ଦୁଃଖ ଏଇ ସାହିତ୍ୟରେ ରହିଛି। କେବଳ ହିନ୍ଦୀ ଭାଷାରେ ନୁହେଁ ଅପିତୁ ରାଜ୍ୟର ସବୁ ଭାଷା ଯଥା ଡୋଗ୍ରୀ, କାଶ୍ମୀରୀ, ଉର୍ଦୁ, ପଞ୍ଜାବୀ, ଇଂରାଜୀ ଆଦି ଭାଷାର ଲେଖକମାନେ ଏହା ବିଷୟରେ ପ୍ରାଞ୍ଜଳ ଭାବରେ ଲେଖିଛନ୍ତି।

ହିନ୍ଦୀ ଭାଷାରେ ଲେଖା ଯାଇଛି -

"ରାସନ ଔର ରିଲିଫ ସେ
ଏକ ବିସ୍ଥାପିତ କା ଭବିଷ୍ୟ
ହାଂଫତା-କାମ୍ପତା
ଥର-ଥରାତା
ସହମା ହୁଆ
ରୋଜ ହୋତା ହୈ ଖଡ଼ା
ଏକ ଲମ୍ବୀ କତାର ମେ
କି ବୁଲାୟା ଜାଏଗା
ଉସକା ନାମ ଭି ସାଂଝ ହୋନେ ତକ।"
        (ମହାରାଜ କୃଷ୍ଣ ସନ୍ତୋଷୀ)
ବିସ୍ଥାପିତ କୁଟୁମ୍ବ ପାଇଁ ଅସ୍ତ ବ୍ୟସ୍ତ ଜୀବନର ସମସ୍ୟା ସେହି ସାହିତ୍ୟରେ ଉଲ୍ଲେଖ ହୋଇଛି। ଘର ଖୋଜା, ଘର ମାଲିକର ଦୁର୍ବ୍ୟବହାର ଓ ହୃଦୟ ଭିତରେ ଜଳୁଥିବା କ୍ରୋଧାଗ୍ନି ଆଦିର ଅନୁଭବ ମଧ୍ୟ ସେହି ଲେଖାରେ ପ୍ରତିଫଳିତ।

କ୍ରମଶଃ...

୩୧. ୫. ୧୮

No comments: