Wednesday, 30 May 2018

*ସମଗ୍ର ବସୁଧା...- ୭*

ଭାରତୀୟ ସାହିତ୍ୟ ଆମ ସଂସ୍କୃତିର ପରିଚାୟକ। ଆମ ସଂସ୍କୃତ ସାହିତ୍ୟର ଦୁଇଟି ଅମୂଲ୍ୟ ଗ୍ରନ୍ଥ ହେଲା ମହର୍ଷି ବାଲ୍ମୀକିଙ୍କ ଦ୍ଵାରା ପ୍ରଣୀତ 'ରାମାୟଣ'
ଓ ମହର୍ଷି ବ୍ୟାସଦେବଙ୍କ ପ୍ରଣୀତ 'ମହାଭାରତ'। ଏହି ଦୁଇ ଗ୍ରନ୍ଥରେ ପରିବାରର ସାମୂହିକତା ବିଷୟରେ ଅନେକ ନିଦର୍ଶନ ରହିଛି। ରାମାୟଣରେ ରହିଛି ନ୍ୟାୟ ଧର୍ମ ଓ ସେବାର ପ୍ରତୀକାତ୍ମକ ଵର୍ଣ୍ଣନା। ଯେଉଁଥିରେ ପିତୃସତ୍ୟ ପାଳନ ଠାରୁ ସୀତାଙ୍କ ବନବାସ, ରାବଣରୂପୀ ଦୁରାଚାରୀ ରାକ୍ଷସର ବଧ ସହ ଲବ କୁଶଙ୍କ ଦ୍ଵାରା ସର୍ଵଜନ ହିତାୟ ରାମରାଜ୍ୟର ପ୍ରତିଷ୍ଠାର ପ୍ରୟାସ କରାଯାଇଛି। କିନ୍ତୁ ମହାଭାରତରେ ପରିବାରର ସ୍ୱଜନମାନଙ୍କ ମଧ୍ୟରେ ଥିବା ମତ ବିରୋଧୀ ଚିନ୍ତନକୁ ଦୂର କରିବା ପାଇଁ ପ୍ରଚେଷ୍ଟା ହୋଇଛି। ଯେଉଁଥିରେ ପାଣ୍ଡବମାନେ କୃଷ୍ଣ ଭଗବାନଙ୍କ ସହାୟତା ନେଇ ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଉଦ୍ବିଗ୍ନ ହୋଇଛନ୍ତି ତ କୌରବମାନେ ସ୍ୱାର୍ଥାନ୍ଧ ଅହଂକାର ସମ୍ପନ୍ନ ଆତ୍ମବଡ଼ିମାକୁ ଶ୍ରେୟ ଦେବାର ଅପଚେଷ୍ଟା କରିଛନ୍ତି। ଏଥିରୁ ସୂତ୍ରପାତ ହୋଇଛି ସଂକୀର୍ଣ୍ଣତାର କଳହ ଓ ଯୁଦ୍ଧ। ପରେ କିନ୍ତୁ ପ୍ରତିଷ୍ଠା ହୋଇଛି ଗ୍ଲାନି ରହିତ ଉଦାରବାଦୀ ବୈଶ୍ବିକ ପରିବାରକୁ ପୁଷ୍ଟ କରୁଥିବା ନ୍ୟାୟିକ ଚେତନା।

ଆମ ବୈଦିକ ପରମ୍ପରାରୁ ସୃଷ୍ଟ ଶାସ୍ତ୍ରମାନଙ୍କ ମଧ୍ୟରେ ଶ୍ରୀମଦ୍ଭଗବତ ଗୀତା ଏକ ସୂଚୀନିପୁଣ ସର୍ବ ଧର୍ମ ସର୍ବ ସଂସ୍କୃତି ସମନ୍ଵୟର ଏକ ଆଦି ଗ୍ରନ୍ଥ ଯେଉଁଥିରେ ଈଶ୍ୱର ଓ ଅନୁସନ୍ଧିତ୍ସୁ ଭକ୍ତମାନଙ୍କ ମଧ୍ୟରେ କଥୋପକଥନ ଶୈଳୀରେ ଜ୍ଞାନ, ଭକ୍ତି ଓ କର୍ମଯୋଗର ବର୍ଣ୍ଣନା କରାଯାଇଛି। ସମଗ୍ର ଜଗତ ଓ ସମସ୍ତ ବିଶ୍ୱବାସୀଙ୍କ ହିତ ଚିନ୍ତନରେ ଏହା ବ୍ୟାପ୍ତ । ଏଥିରେ ମଧ୍ୟମ ପାଣ୍ଡବ ଅର୍ଜୁନ ନିଜର ସଂକୀର୍ଣ୍ଣ ମାନବୀୟ ପରିବାର ଜ୍ଞାନ ନେଇ କ୍ଷୋଭରେ ଲିପ୍ତ ଥିଲାବେଳେ ଅର୍ଜୁନଙ୍କର ସଖା ଶ୍ରୀକୃଷ୍ଣ ନାମଧାରୀ ଈଶ୍ୱର ସତ୍ ଚିତ୍ ଆନନ୍ଦକୁ ଉପଲବ୍ଧ କରାଇବା ପାଇଁ ସଖା ଅର୍ଜୁନଙ୍କୁ ବୈଶ୍ବିକ ପରିବାରର ଦର୍ଶନ କରାଇଥିଲେ। ଯାହା ଥିଲା ବିଶ୍ୱରୂପ ଦର୍ଶନ।

ରାଜ୍ୟ ସୁଖ ଲୋଭରେ ସ୍ୱଜନଙ୍କୁ ମାରିବା ପାଇଁ କରାଯାଉ ଥିବା ଯୁଦ୍ଧକୁ ମହାନ ପାପ ବୋଲି କହି ମୋହ ଗ୍ରସ୍ତ ଅର୍ଜୁନ ଦୁର୍ଯୋଧନ ଦ୍ୱାରା ନିହତ ହେବାକୁ ଶ୍ରେୟ ମଣିଥିଲେ। କିନ୍ତୁ ଭଗବାନଙ୍କ ପରାମର୍ଶ ଥିଲା ଏ ବିଶ୍ୱ ଏକ ପରିବାର। ଏଥିରେ ସ୍ୱାର୍ଥ, ସ୍ୱଜନ ଭାବନାରେ ବିଗଳିତ ନ ହୋଇ ପରମାର୍ଥିକ ତଥା ଦେବତା, ମନୁଷ୍ୟ, ପଶୁ, ପକ୍ଷୀ, ବୃକ୍ଷ, ଲତା ଆଦି ସଚରାଚର ଜଗତକୁ ଏକାତ୍ମ ଦୃଷ୍ଟିରେ ଦେଖିବା ଉଚିତ। ଏଥିପାଇଁ ସେ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ। ଯାହା ଥିଲା ବିଶ୍ୱକୁ ଏକ ପରିବାର ଜ୍ଞାନ କରିବାର ଦିବ୍ୟ ଐଶ୍ୱରୀୟ ଦର୍ଶନ ମାତ୍ର।

୩୦. ୫. ୧୮

No comments: