Saturday, 12 May 2018

*ଆମ ସଂସ୍କୃତିର... - ୫*

ବିଶ୍ୱ ସହିତ ଭାରତୀୟ ସଂସ୍କୃତିର ନାନା ସମ୍ବନ୍ଧ ସୂତ୍ର ଯୋଡ଼ି ହୋଇ ରହିଛି। ଏହା ଭିତରୁ ଏକ ପ୍ରମୁଖ ସୂତ୍ର ହେଲା - ଭାଷା। ଭାଷାର ସ୍ରୋତରୁ ଜଣାପଡ଼େ ଯେ ୟୁନାନ, ରୋମ, ଜର୍ମାନୀ, ଋଷ, ଇଂଲଣ୍ଡ, ହଲାଣ୍ଡ, ସ୍କେଣ୍ଡେନେବିଆ, ସ୍ପେନ, ଫ୍ରାନ୍ସ ଓ ବଲଗେରିଆର ଲୋକମାନଙ୍କର ମୂଳ ସୂତ୍ର ଭାରତୀୟ ବଂଶ ସହିତ ଯୋଡ଼ି ହୋଇ ରହିଥିଲା। ଏମାନଙ୍କ ଭାଷାର ମୂଳ ସମ୍ବନ୍ଧକୁ ବ୍ୟକ୍ତ କରୁଥିବା ଶବ୍ଦ ସମାନ ଅଟେ। ସେହି ଶବ୍ଦର ଉଦ୍ଗମ ସଂସ୍କୃତ ବା ବୈଦିକ ଭାଷା ଅଟେ। ଯେପରି ସଂସ୍କୃତର ପିତର ଓ ମାତର ଶବ୍ଦ ଲାଟିନରେ ପିଟର ଓ ମେଟର, ଇଂରାଜୀରେ ଫାଦର ଓ ମଦର, ଗ୍ରୀକରେ ପଟେର ଓ ମେଟେର, ଜର୍ମାନୀରେ ୱଟେର ଓ ମୁଟେର, ତଥା ଫରାସୀରେ ପେଦର ଓ ମାଦର। ହଜାର ମାଇଲ ଦୂରରେ ରହୁଥିବା ମନୁଷ୍ୟମାନଙ୍କ ମଧ୍ୟରେ ମୂଳ ସମ୍ବନ୍ଧରେ ଶବ୍ଦର ସମାନତା ଦ୍ୱାରା ଏହା ପ୍ରମାଣିତ ହୁଏ ଯେ ବିଶ୍ୱର ବିଭିନ୍ନ ଭୂଭାଗକୁ ଭାରତୀୟ ବଂଶର ବହିର୍ଗମନ ହୋଇଛି। ଏହାର ଭୁରି ଭୁରି ପ୍ରମାଣ ଭାରତର ପ୍ରାଚୀନ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ। ଯେପରି ୟୁନାନୀଙ୍କ ଉତ୍ପତ୍ତି ବିଷୟ ମହାଭାରତର ଏକ କଥା ଅନୁସାରେ - ଯଦସ୍ତୋ ଯାଦବା ଜାତାଃ, ତୁର୍ବସୋଃ ଯବନାଃ ସ୍ମୃତାଃ (ମହାଭାରତ, ଆଦିପର୍ବ - ୮୫.୩୪)।

ୟୁନାନର ପୁରୁଣା ଲେଖକମାନେ ଭାରତ ଓ ୟୁନାନର ସମ୍ବନ୍ଧ ବିଷୟରେ ଗବେଷଣା କରିଛନ୍ତି। ସେଥିରୁ ଜଣାପଡ଼େ ଯେ ସେଠାରେ ବିଷ୍ଣୁଙ୍କ ପୂଜା ହରକୁଲେଶ/ସୁରକୁଲେଶ ନାମରେ କରା ଯାଉଥିଲା।ଭାରତରେ ମଧ୍ୟ ହରକୁଲେଶ ବ୍ରାଣ୍ଡ ନାମରେ ସାଇଲେଲ କମ୍ପାନୀ ରହିଛି। ୟୁନାନର କେତେକ ନଗରର ନାମ ଭାରତୀୟ ନାଁ ଅନୁସାରେ ରଖାଯାଇଛି। ଗାର୍ବେ ଆଦି ବିଦ୍ୱାନଗଣ ୟୁନାନ ଉପରେ ଭାରତର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ଏହା ସର୍ଵଜ୍ଞାତ ଯେ ୟୁରୋପ ୟୁନାନର ଋଣୀ। ୟୁନାନ, ମିଶ୍ର ଓ ପାରସ୍ୟ ସହିତ ଭାରତର ସମ୍ବନ୍ଧ ଅତ୍ୟନ୍ତ ପ୍ରାଚୀନ। ଏହି ସମ୍ପର୍କ କାରଣରୁ ଭାରତରେ ପାର୍ସୀମାନେ ରହିବା ପାଇଁ ଆଧାର ପାଇଥିଲେ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପଞ୍ଜାବର କିଛି ଅଞ୍ଚଳ ପାର୍ସୀ ରାଜା ଦାରାଙ୍କ ଅଧୀନରେ ଥିଲା। ଦାରା ଭାରତୀୟ ଯୋଦ୍ଧାଙ୍କୁ ସାଥିରେ ନେଇ ଗ୍ରୀସ ଉପରେ ଆକ୍ରମଣ କରିଥିଲେ। ପାର୍ସୀଙ୍କ ସହ ଭାରତୀୟ ମଧ୍ୟ ଗ୍ରୀସରେ ମିଶିଥିଲେ। ଭାରତ ଓ ୟୁନାନ ସମ୍ପର୍କ ବିଷୟରେ କେତୋଟି ପ୍ରାମାଣିକ ପୁସ୍ତକ ମିଳେ। ତା' ଭିତରୁ ମେଘାସ୍ଥିନିଜଙ୍କ ପୁସ୍ତକ 'ଇଣ୍ଡିକା' ଓ ଟଲ୍ମୀଙ୍କ ପୁସ୍ତକ "ଭାରତ କା ଭୂଗୋଳ" ଅନ୍ୟତମ। ମଧ୍ୟ ଏସିଆ ଓ ଋଷିଆର କାସ୍ପିୟନ ସାଗର ଅଞ୍ଚଳରୁ ମିଳିଥିବା ପ୍ରତ୍ନତତ୍ତ୍ୱ ସଂସ୍କୃତ ଓ ବୈଦିକ ସଂସ୍କୃତିର ସାକ୍ଷ୍ୟ ପ୍ରଦାନ କରୁଛି। ମଧ୍ୟ ଏସିଆର ପ୍ରତ୍ନତତ୍ତ୍ୱରେ ସଂସ୍କୃତ ଓ ପାଲି ଭାଷାର ପ୍ରୟୋଗ ମିଳିଥାଏ। ସେଠାକାର ମୁଦ୍ରା ଉପରେ ସଂସ୍କୃତର ଚିହ୍ନ ଦେଖାଯାଏ। ସେହି ମୁଦ୍ରାରେ ସୁଲତାନ ଶବ୍ଦର ସଂସ୍କୃତ ରୂପ 'ସୁରତ୍ରାଣ' ଲେଖାଯାଇଛି।  ଗବେଷକ ଶ୍ରୀ ରାମବିଳାସ ଶର୍ମା ୟୁରୋପର ଭାଷା ଓ ସଂସ୍କୃତିର ବିକାଶରେ ସଂସ୍କୃତର ଯୋଗଦାନକୁ ବିଲିୟମ ଜୋନ୍ସ ଓ କାର୍ଲ ମାର୍କ୍ସଙ୍କ କଥନ ଦ୍ୱାରା ରେଖାଙ୍କିତ କରିଛନ୍ତି। ଏଥିରୁ ଜଣାପଡ଼େ ଯେ ନିଶ୍ଚିତ ରୂପେ ବିଶ୍ବ ସଂସ୍କୃତିର ବିକାଶରେ ଭାରତୀୟ ସଂସ୍କୃତିର ବଳିଷ୍ଠ ଭୂମିକା ରହିଛି।

କ୍ରମଶଃ....

୧୩. ୫. ୧୮

No comments: