ପ୍ରାଚୀନ ଭାରତରେ ବୈଶ୍ବିକ ସମ୍ପର୍କ ପାଇଁ ସଂସ୍କୃତ ହିଁ ଏକ ନିର୍ଦ୍ଦିଷ୍ଟ ଭାଷା ରୂପେ କ୍ରିୟାଶୀଳ ଥିଲା। ଭାରତୀୟ ସାହିତ୍ୟ ବେଦ, ପୁରାଣ, ଉପନିଷଦ ଆଦି ସେ କାଳରେ ଦେବ ଭାଷା କୁହାଯାଉଥିବା ସଂସ୍କୃତରେ ହିଁ ରଚନା କରାଯାଉଥିଲା। ସଂସ୍କୃତରେ ରଚିତ କାଳିଦାସଙ୍କ 'ଶାକୁନ୍ତଳମ' ରେ ବର୍ଣ୍ଣିତ ବନ ଉପବନ, ପଶୁ ପକ୍ଷୀ ସବୁ କିଛି ଏକ ପରିବାରର ସଦସ୍ୟମାନଙ୍କ ଭଳି ରାଜ୍ୟର ରାଜାଙ୍କ ଦ୍ୱାରା ସଂରକ୍ଷିତ ହେଉଥିଲା। ଯାହାର ସନ୍ଦେଶ ଥିଲା ସମଗ୍ର ରାଜ୍ୟ ତଥା ରାଷ୍ଟ୍ର ହିଁ ଏକ ପରିବାର। ରାଜା ଦୁଷ୍ମନ୍ତ ନିଜର ରାଜ୍ୟ ସମୀପବର୍ତ୍ତୀ ବନକୁ ଏକ ପରିବାରର ମୋହ ନେଇ ସଂରକ୍ଷିତ କରିଥିଲେ। ଋଷି କଣ୍ୱ ନିଜ ଆଶ୍ରମରେ ଶକୁନ୍ତଳା ଓ ପୁଷ୍ପବଲ୍ଲରୀ ଭିତରେ କୌଣସି ଭେଦ ଦେଖି ପାରୁ ନ ଥିଲେ।
ସେହିଭଳି ଗୀତଗୋବିନ୍ଦର ରଚୟିତା ଦିବ୍ୟଦୃଷ୍ଟ ଜୟଦେବ ମଧ୍ୟ ନିଜକୁ ଭାରତୀୟ ଜନପଦ ମଧ୍ୟରେ ସୀମିତ ନକରି ସମଗ୍ର ବିଶ୍ୱର ଭକ୍ତି ସିଦ୍ଧ ଭକ୍ତ ସମାଜକୁ ଏକ ପରିବାର ତଥା କୁଟୁମ୍ବର ଆଖ୍ୟା ଦେଇଥିଲେ। ଜୟଦେବଙ୍କ ପରମ୍ପରାରେ ହିନ୍ଦୀର ଆଦିକବି ବିଦ୍ୟାପତିଙ୍କ ରଚନା ଗୁଡ଼ିକରେ କୃଷ୍ଣଭକ୍ତି ସହିତ ତନ୍ତ୍ରପୀଠର ମହତ୍ତ୍ୱ ମିଶି ପ୍ରେମ ଓ ଭକ୍ତିର ସାମଞ୍ଜସ୍ୟରେ ଅନେକ ସମ୍ପ୍ରଦାୟର ବିକାଶ ହେଇଛି। ମଧ୍ୟକାଳର ସମସ୍ତ ସାହିତ୍ୟ ଅନେକାନେକ ଭକ୍ତ ପରିବାରଙ୍କ ସାହିତ୍ୟ ଅଟେ। ଯାହାକୁ ଆମେ ବ୍ୟାପକ ଭାବେ ଭକ୍ତି ସମ୍ପ୍ରଦାୟ କହୁଛୁ। ଭଗବାନ ଓ ଭକ୍ତ ସହ ସମ୍ବନ୍ଧ ଥିବା ପ୍ରତ୍ୟେକ ସମୁଦାୟ ବିନା ପନ୍ଥର ବାଛ ବିଚାରରେ ଏକ କୁଟୁମ୍ବ ଭାବରେ ବିଚାର କରାଯାଇଛି। ଏହି କାରଣରୁ ସମ୍ଭବତଃ ଆମ ଭାରତୀୟ ସଂସ୍କୃତି ଅନେକାନେକ ଭକ୍ତ ସମ୍ପ୍ରଦାୟକୁ ସହଜ ଭାବରେ ଗ୍ରହଣ କରି 'ସର୍ବ ପନ୍ଥ ସମାଦର' ଅର୍ଥାତ୍ ଏକ ହିଁ ଭକ୍ତ କୁଟୁମ୍ବର ଭାବନା ଏଯାବତ ରଖି ଆସିଛି।
ଆମର କୁଟୁମ୍ବ ଭାବନା ଏତେ ଶକ୍ତିଶାଳୀ ଯେ ଯେତେବେଳେ ଆମେ ଶିବଙ୍କ ଆରାଧନା କରନ୍ତି ସେତେବେଳେ ତାଙ୍କର ପୂରା ପରିବାର ଆମର ଆରାଧ୍ୟ ହୋଇଯାଏ। ଏପରିକି ନନ୍ଦୀ ଓ ନାଗରାଜ ମଧ୍ୟ ଆମର ଆରାଧ୍ୟ ହୋଇଯାଆନ୍ତି। ଆଚାର୍ଯ୍ୟ ବିଷ୍ଣୁକାନ୍ତ ଶାସ୍ତ୍ରୀ ତାଙ୍କ ଲିଖିତ "ସାଂସ୍କୃତିକ ରାଷ୍ଟ୍ରବାଦ" ପ୍ରବନ୍ଧରେ ଏକ ସୁନ୍ଦର ଶ୍ଳୋକର ଉଦ୍ଧାର କରି କହିଛନ୍ତି ଯେ,
"ମାତା ଚ ପାର୍ବତୀ ଦେବୀ
ପିତା ଦେବୋ ମହେଶ୍ଵରଃ।
ବାନ୍ଧବାଃ ଶିବଭକ୍ତାଶ୍ଚ
ସ୍ବଦେଶୋ ଭୁବନ ତ୍ରୟମ୍।।"
ଅର୍ଥାତ୍ ଭଗବତୀ ପାର୍ବତୀ ବା ପର୍ବତକୁ ଧାରଣ କରିଥିବା ଏଇ ଧରିତ୍ରୀ ମୋର ମାଆ ଅଟେ। ଦେବାଧିଦେବ ପରମେଶ୍ୱର ଶିବ ହେଉଛନ୍ତି ମୋର ବାପା ଯିଏ କଲ୍ୟାଣର ସାଧନ କରାନ୍ତି। ଏଣୁ ଏଥିରେ ଉଲ୍ଲେଖ ଅଛି ଶୈବ ଉପାସକ ତଥା ଭକ୍ତ ସମ୍ପ୍ରଦାୟ ମଧ୍ୟ ଏକ ପରିବାର ଭୁକ୍ତ ଅଟନ୍ତି। ଶିବ ଭକ୍ତଙ୍କ ପାଇଁ ତ୍ରିଭୁବନ ବ୍ୟାପି ଶିବ ଓ ଶିବଙ୍କ ନିବାସ ସ୍ଥଳୀ ଏକ ଓ ଅଭିନ୍ନ।
ଆଧୁନିକ ସଭ୍ୟତାର ଚାପରେ ଈଶ୍ୱର ଓ ଈଶ୍ୱରୀୟ କୁଟୁମ୍ବ ସହ ତାଦାତ୍ମ୍ୟ ହୋଇ ନିଜକୁ ବ୍ୟାପକ କରିବାର ଏହି ପରମ୍ପରା ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ତଥାପି ଆମ ଏକାତ୍ମ ବିଚାରର ଭାରତୀୟ ସଂସ୍କୃତି ଓ ସାହିତ୍ୟ ତାକୁ ବାରମ୍ବାର ସ୍ମରଣ କରିବା ସହ ବିଶ୍ୱ ଜନମାନସ ପଟରେ ଏଯାବତ ନିରନ୍ତର ଉଚ୍ଚାରଣ କରିଚାଲିଛି।
କ୍ରମଶଃ
୨୬. ୫. ୧୮

No comments:
Post a Comment