Thursday, 24 May 2018

*ସମଗ୍ର ବସୁଧା...-୨*

ରାମାୟଣରେ ବର୍ଣ୍ଣିତ ସମ୍ପୂର୍ଣ୍ଣ କାହାଣୀ ମୁଖ୍ୟତଃ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବନବାସ ସମୟର କାହାଣୀ ଅଟେ। ରାମରାଜ୍ୟ ଅର୍ଥାତ୍ ସମ୍ପୂର୍ଣ୍ଣ ଜମ୍ବୁଦୀପ, ଯେଉଁଥିରେ ବିନ୍ଧ୍ୟାଞ୍ଚଳ, ଦଣ୍ଡକାରଣ୍ୟ ସହ ହିମାଳୟର ତରାଇ ଅଞ୍ଚଳ ସମ୍ମିଳିତ, ଯେଉଁଠୁ ଭକ୍ତ ହନୁମାନ ଲକ୍ଷ୍ମଣଙ୍କ ଶକ୍ତିଭେଦ ସମୟରେ ବିଶଲ୍ୟକରଣୀ ଭଳି ଅମୋଘ ଔଷଧ ଆଣିବା ପାଇଁ ଗନ୍ଧମାର୍ଦ୍ଦନକୁ ଉଠାଇ ନେଇ ଆସିଥିଲେ। ଏତେ ବଡ଼ ବିଶାଳ ଭୁଭାଗରେ ରାମଙ୍କ କୁଟୁମ୍ବ ରହୁଥିଲା। ଏକ ସାମାନ୍ୟ ଗୁଣ୍ଡୁଚି ମୂଷାଠାରୁ ଆରମ୍ଭ କରି ଜାମ୍ବବାନ, ନଳ, ନୀଳ, ହନୁମାନଙ୍କ ସହ ସମସ୍ତ ବାନରସେନା ଏପରିକି ରାକ୍ଷସରାଜ ରାବଣର ଭାଇ ଵିଶ୍ରବା ନନ୍ଦନ ବିଭୀଷଣଙ୍କ ସହ ସମସ୍ତ ପ୍ରଜା ମଧ୍ୟ ଏହି ରାମଙ୍କ ବିଶାଳ କୁଟୁମ୍ବର ଏକ ଏକ ଅଂଶ ଥିଲେ। ଲଙ୍କା ବିଜୟ ପରେ ସୁବର୍ଣ୍ଣମୟୀ ଲଙ୍କା ପ୍ରତି ଆସକ୍ତ ଥିବା ଲକ୍ଷ୍ମଣଙ୍କୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର କହୁଛନ୍ତି,

"ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ ଲକ୍ଷ୍ମଣ।
ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ।।"

ଏଥିରୁ ଅନୁମିତ ହୁଏ ଜନନୀ ଓ ଜନ୍ମଭୂମି ଭାରତୀୟ କୁଟୁମ୍ବ ବ୍ୟବସ୍ଥାର ଶ୍ରେଷ୍ଠ ଏବଂ ଅଭିନ୍ନ ଆଧାର ଥିଲା। ଯାହା ଯୁଗ ଯୁଗ ଧରି ଭାରତୀୟ ମାନସ ପଟରେ ସାହିତ୍ୟ ଓ ସଂସ୍କୃତିର ମହତ୍ତ୍ୱ ନେଇ ବଞ୍ଚି ରହିଛି।

ମହାଭାରତ ହେଉଛି ସାଂସାରିକ ମାୟା ଓ ସଂକୀର୍ଣ୍ଣ ମୋହ ବଳୟରୁ ନିଜକୁ ମୁକ୍ତିଲାଭ କରିବାର ଏକ  ବିଶିଷ୍ଟ କାବ୍ୟ ଗ୍ରନ୍ଥ। ଯେଉଁଥିରୁ ଭଗବତ ଗୀତା ଭଳି ସାଧନର ମାର୍ଗ ପରିଦୃଷ୍ଟ। ଯାହା ପରିବାରର ସଂକୀର୍ଣ୍ଣତାରୁ ମୁକ୍ତିର ମାର୍ଗ ଦେଖାଇଛି।

ସେଇଭଳି ଭଗବାନ ବୁଦ୍ଧଙ୍କ ଜୀବନରୁ ଆମେ କିଭଳି ସଂକୀର୍ଣ୍ଣ ପରିବାର ବୋଧରୁ ନିଜକୁ ମୁକୁଳାଇ ଆଣି ଏକ ଉଦାର ସଂଘୀୟ ସାମାଜିକ ନିର୍ବାଣ ପ୍ରାପ୍ତିର ପଥକୁ ଅନୁଶୃତ କରିପାରିବା ତାହାର ସୂଚନା ମିଳେ। ପ୍ରଥମ ଶତାବ୍ଦୀରେ ରଚିତ ଅଶ୍ଵଘୋଷ ମହାକାବ୍ୟ 'ବୁଦ୍ଧ ଚରିତମ' ରେ ସମସ୍ତ ଭୂମି, ବନ ଉପବନ ସହିତ ରାଜକୁମାର ଗୌତମ ଏକାକାର ହୋଇଯିବା କଥା କୁହାଯାଇଛି। ବୁଦ୍ଧଙ୍କ ଜନ୍ମ ଲୁମ୍ବିନୀ ନାମକ ଉପବନରେ ହୋଇଥିଲା ଯେଉଁଠି ସମସ୍ତ ବୃକ୍ଷ ଲତା ଏହି ଅବତାରକୁ ସ୍ୱାଗତ କରିଥିଲେ। ବୁଦ୍ଧଙ୍କ ସମ୍ପୂର୍ଣ୍ଣ ଜୀବନ ଚରିତ "ବସୁଧୈବ କୁଟୁମ୍ବକମ୍" କୁ ସାକାର କରୁଛି। ପ୍ରତ୍ୟେକ ବୌଦ୍ଧ ଜାତକ କଥା ଗୁଡ଼ିକରେ ଏହି ଦର୍ଶନ ପରିବ୍ୟାପ୍ତ। ପ୍ରତ୍ୟେକ ପ୍ରାଣୀ ଠାରେ ଇଶ୍ୱରଙ୍କ ସ୍ୱରୂପ ବିରାଜିତ ଓ ପ୍ରାଣୀ ହିଁ ଈଶ୍ୱରଙ୍କ ସତ୍ତାର ସାଦୃଶ୍ୟ। ଏହି ସନାତନ ଅଵଧାରଣାକୁ  ଭଗବାନ ବୁଦ୍ଧ ମଧ୍ୟ ଅବିକଳ ସ୍ୱୀକାର କରିନେଇଥିବା ଜଣାଯାଏ। ତାଙ୍କ ଦୃଷ୍ଟିରେ ବାନରଠାରୁ ହସ୍ତି ଯାଏ ଏକାତ୍ମ ବିଚାର ନେଇ ସମସ୍ତେ ସମାନ। ଯାହା ଏ ସମଗ୍ର ବିଶ୍ୱକୁ ଏକ ପରିବାର ମଧ୍ୟରେ ରୂପାୟିତ କରିବାର ଉଦାର ଉଦାହରଣ ନିହିତ କରିଛି।

କ୍ରମଶଃ...

୨୫. ୫. ୧୮

No comments: