Sunday, 20 May 2018

*ଆମ ସଂସ୍କୃତିର...-୧୩*

ପୃଥିବୀର ଦକ୍ଷିଣ ପୂର୍ବ ଦେଶଗୁଡ଼ିକ ଯଥା -
ବର୍ମା, କାମ୍ବୋଡ଼ିଆ, ଥାଇଲେଣ୍ଡ, ମାଲେସିଆ, ଇଣ୍ଡୋନେସିଆ/ଜାଭା, ଭିଏତନାମ ଓ ଲାଓସର ଭାରତୀୟ ନାମ କ୍ରମଶଃ ବ୍ରହ୍ମଦେଶ, କମ୍ବୋଜ, ଶ୍ୟାମ, ମଳୟ, ଜବ ଦେଶ, ଚମ୍ପା ଓ ଲବ ଦେଶ। ଏହି ଦେଶ ଗୁଡ଼ିକରେ ଭାରତୀୟ ସଂସ୍କୃତିର ପ୍ରଭାବ ଓ ଅବଶେଷ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏଥିରେ ଶୈବ, ବୈଷ୍ଣବ ଓ ବୌଦ୍ଧ ମତଗୁଡ଼ିକର ଅଦ୍ଭୁତ ସମନ୍ୱୟ ଘଟିଛି।

ଯେପରି କମ୍ବୋଜ ରାଜା ସୂର୍ଯ୍ୟବର୍ଦ୍ଧନ ବୌଦ୍ଧ ଧର୍ମୀ ଥିଲେ ତା' ସହିତ ମହାଦେବ (ଶିବ)ଙ୍କର ମଧ୍ୟ ଅନନ୍ୟ ଭକ୍ତ ଥିଲେ। ସେ ତିଆରି କରିଥିବା ମନ୍ଦିରରେ ବୈଦିକ ତଥା ପୌରାଣିକ ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକ ସହିତ ବୋଧିସତ୍ୱର ଦଶଭୁଜୀ ମୂର୍ତ୍ତି ମଧ୍ୟ ରହିଛି। ଏହି ଦେଶର ରାଜାମାନେ ମନ୍ଦିର ଓ ମୂର୍ତ୍ତି  ତିଆରି କରିବାରେ ଗଭୀର ରୁଚି ରଖୁଥିଲେ। ସେବେଳରେ ଏକୁଟିଆ ସୂର୍ଯ୍ୟବର୍ଦ୍ଧନ ହିଁ ଏକ ହଜାର ମନ୍ଦିର ନିର୍ମାଣ କରି ସେସବୁକୁ ଭକ୍ତିମାର୍ଗ, ଶିକ୍ଷା ଓ ସଂସ୍କୃତିର କେନ୍ଦ୍ର ଭାବରେ ବ୍ୟବହାର କରାଇଥିଲେ।  ସୂର୍ଯ୍ୟବର୍ଦ୍ଧନଙ୍କ ପତ୍ନୀ ଜୟରାଜ ଦେବୀ, ସଂସ୍କୃତ ଭାଷାର ଜଣେ ପ୍ରଖ୍ୟାତ ବିଦୁଷୀ ଥିଲେ। ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ କମ୍ବୋଜ ସାମ୍ରାଜ୍ୟ ତାର ଅସ୍ତିତ୍ୱକୁ ରକ୍ଷା କରିପାରିଥିଲା। ଏହାକୁ ଫୁନାନ ସାମ୍ରାଜ୍ୟ କୁହାଯାଉଥିଲା। ଏହାର ସ୍ଥାପନା ଶୈଳରାଜ କୌଣ୍ଡିନ୍ୟ କରିଥିଲେ।

ଥାଇ ଲୋକଙ୍କ ଦେଶ ଥାଇଲାଣ୍ଡ ତଥା ଶ୍ୟାମର ଭାଷା, ଲିପି, ସାହିତ୍ୟ ଓ ସଂସ୍କୃତିକୁ ନିରୀକ୍ଷଣ କଲେ ଏହା ଯେ ସମ୍ପୂର୍ଣ୍ଣ ଭାରତୀୟ ସଂସ୍କୃତି ଥିଲା  ନିଃସନ୍ଦେହରେ କୁହାଯାଇପାରେ। ଭାରତଭଳି ଏଠିକାର ଲୋକପ୍ରିୟ ଗ୍ରନ୍ଥ ହେଲା ରାମାୟଣ। ଏଠିକାର ରାଷ୍ଟ୍ରୀୟ ଗ୍ରନ୍ଥାଳୟରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ସଂସ୍କୃତ ଗ୍ରନ୍ଥ ଗଛିତ ଅଛି। ଏଠିକାର ପ୍ରାଚୀନ ରାଜଧାନୀର ନାମ ଥିଲା ମିଥିଳା। ତ୍ରୟୋଦଶ ଶତାବ୍ଦୀରେ କୁବ୍ଲଇ ଖାଁ ଏହି ଦେଶରେ ବର୍ବର ଆକ୍ରମଣ କରିଥିବା ଇତିହାସରେ ଉଲ୍ଲେଖ ଅଛି। 

ଚଉଦଶହ ଶତାବ୍ଦୀରେ ଶ୍ୟାମର ପଶ୍ଚିମାଞ୍ଚଳରେ ଜଣେ ରାଜା ଥିଲେ ରାମାଧିପତି ଓ ତାଙ୍କ ରାଜଧାନୀର ନାମ ଥିଲା ଅଯୋଧ୍ୟା। ରାମାଧିପତି କିନ୍ତୁ ଥିଲେ ବୌଦ୍ଧ। ତା' ସହିତ ସେ ମଧ୍ୟ ଶିବ ଓ ବିଷ୍ଣୁଙ୍କ ପରମ ଭକ୍ତ ଥିଲେ। ୧୮୩୯ରେ ରାମପ୍ରଥମ ଅଯୋଧ୍ୟାରୁ ନିଜ ରାଜଧାନୀକୁ ଆଜିର ବେଙ୍କକ୍ କୁ ସ୍ଥାନାନ୍ତରିତ କରିଥିଲେ।

ଜାଭାର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ପର୍ବତ ଅଛି। ଏହାକୁ ମେରୁ ପର୍ବତ କୁହାଯାଏ। ଏଠାରେ ସମସ୍ତ ଦେବତା ବାସ କରନ୍ତି ବୋଲି ବିଶ୍ୱାସ ଅଛି। ବାଲ୍ମିକୀ କୃତ ରାମାୟଣରେ ଏହି ଦ୍ବୀପର ମଧ୍ୟ ଉଲ୍ଲେଖ ରହିଛି। ଏଠାରୁ ସଂସ୍କୃତ ଓ ପାଲି ଭାଷାରେ ଲିଖିତ ଶିଳାଲେଖ ସହିତ ଗଣେଶ, ଶିବ, ନନ୍ଦୀ ଆଦି ମୂର୍ତ୍ତି ଗୁଡ଼ିକର ଅବଶେଷ ମିଳୁଛି। ଏଥିରୁ ଜାଣିହୁଏ ଏହା ବୌଦ୍ଧ ତନ୍ତ୍ରର ଏକ ପ୍ରମୁଖ ଉପାସନାସ୍ଥଳୀ ଥିଲା।

ଏହିପରି ଚମ୍ପା ଅର୍ଥାତ୍ ଆଜିର ଭିଏତନାମ ମଧ୍ୟ ଭାରତର ପ୍ରାଚୀନ ସଂସ୍କୃତିର ପ୍ରତିନିଧିତ୍ୱ କରୁଥିବା ଦେଶ ଅଟେ। ଭିଏତନାମରେ ରାମାୟଣ ସଂସ୍କତି ଭରି ରହିଛି। ଏଠାକାର ପୁରୁଣା ରାଜଧାନୀର ନାମ ଇନ୍ଦ୍ରପୁରୀ ଥିଲା। ନବମ ଶତାବ୍ଦୀରେ ରାଜା ଇନ୍ଦ୍ରବର୍ଦ୍ଧନ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ତ୍ରୟୋଦଶ ଶତାବ୍ଦୀରେ ଏଠି ମଧ୍ୟ କୁବ୍ଲାଇ ଖାଁ ଏହି ଦେଶକୁ ଆକ୍ରମଣ କରିଥିଲା କିନ୍ତୁ ଏଠାରେ ତାକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।

ଭଗବାନ ରାମଙ୍କ ପୁତ୍ର ଲବଙ୍କ ନାଁ ଅନୁସାରେ ଲବ ଦେଶ ଅର୍ଥାତ୍ ଆଜିର ଲାଓସ ଦେଶ ସ୍ଥାପିତ ହୋଇଛି। ଏଠାକାର ରାଷ୍ଟ୍ରଭାଷା ସଂସ୍କୃତ ଓ ମତ ପ୍ରଚାରର ଭାଷା ପାଲି ଥିଲା। ଏଠିକାର ଗ୍ରନ୍ଥାଳୟରେ ଜ୍ୟୋତିଷ ଶାସ୍ତ୍ର, ରାଜନୀତି ଶାସ୍ତ୍ର, ଲକ୍ଷଣ ଶାସ୍ତ୍ର ଆଦି ଭାରତୀୟ ଜ୍ଞାନ ପରମ୍ପରାର ପୁସ୍ତକ ସବୁ ଉପଲବ୍ଧ ଅଛି। ଏଥିରୁ ପ୍ରମାଣିତ ହେଉଛି ଯେ ଦକ୍ଷିଣ ଏସିଆ ଦେଶମାନଙ୍କ ସହିତ ଭାରତର ସାଂସ୍କୃତିକ ସମ୍ପର୍କ ଅତି ପ୍ରାଚୀନ।

କ୍ରମଶଃ...

୨୧. ୫. ୧୮

No comments: