Thursday, 1 March 2018

*ଭାରତ ଓ ନ୍ୟୁୟର୍କର ନାରୀମାନଙ୍କ ମଧ୍ୟରେ ଅନ୍ତର*


ଥରେ ନ୍ୟୁୟର୍କରେ ଭାଷଣ ଦେବା ଅବସରରେ ସ୍ୱାମୀ ବିବେକାନନ୍ଦ କହିଲେ, ମୋତେ ବଡ଼ ଆନନ୍ଦ ମିଳିବ ଯଦି ମୋ ଦେଶର ସ୍ତ୍ରୀମାନେ ଆପଣଙ୍କ ଦେଶ ପରି ବୌଦ୍ଧିକରେ ପ୍ରଗତି କରିବେ। ପରନ୍ତୁ ମୁଁ ସେଇଭଳି ଉନ୍ନତି ଚାହିଁବି ଯେଉଁଥିରେ ପବିତ୍ର ଜୀବନ ସହ ସତୀତ୍ୱ ଅକ୍ଷୁର୍ଣ୍ଣ ରହିଥିବ। ମୁଁ ଆମେରିକାର ସ୍ତ୍ରୀମାନଙ୍କ ଜ୍ଞାନ ଓ ବିଦ୍ୱତାର ବଡ଼ ପ୍ରଶଂସକ, କିନ୍ତୁ ମୋତେ ଏହା ଅନୁଚିତ ଲାଗେ ଯେତେବେଳେ ଆପଣମାନେ ଅଭଦ୍ର ଆଚରଣକୁ ଭଦ୍ରତାର ରଙ୍ଗ ଦେଇ ତାକୁ ଲୁଚାଇବାର ଚେଷ୍ଟା କରନ୍ତି। କେବଳ ବୌଦ୍ଧିକ ବିକାଶ ହୋଇଗଲେ ମନୁଷ୍ୟର ପରମ କଲ୍ୟାଣ ସିଦ୍ଧ ହୁଏ ନାହିଁ। ମୋ ଦେଶ ଭାରତବର୍ଷରେ ନୈତିକତା ଓ ଆଧ୍ୟାତ୍ମିକତାକୁ ଉନ୍ନତିର ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ଆମେ ତାହା ପ୍ରାପ୍ତ କରିବା ପାଇଁ ଉଦ୍ୟମ କରିଥାଉଁ। ଯଦିଓ ଭାରତର ସ୍ତ୍ରୀମାନେ ସେତେ ସୁଶିକ୍ଷିତ ନୁହଁନ୍ତି, ତଥାପି ତାଙ୍କ ଆଚାର-ବିଚାର ଅତ୍ୟନ୍ତ ପବିତ୍ର।

ପ୍ରତ୍ୟେକ ସ୍ତ୍ରୀ ନିଜ ପତି ବ୍ୟତୀତ ଅନ୍ୟ ସମସ୍ତ ପୁରୁଷଙ୍କୁ ପୁତ୍ରବତ୍ ଦେଖିବା ଉଚିତ। ସେହିପରି ପ୍ରତ୍ୟେକ ପୁରୁଷ ନିଜ ପତ୍ନୀ ବ୍ୟତୀତ ଅନ୍ୟ ସମସ୍ତ ନାରୀଙ୍କୁ ମାତୃବତ୍ ଦେଖିବା ଉଚିତ। ଯେତେବେଳେ ମୁଁ ସେହି ଅଭଦ୍ର ଆଚରଣକୁ ଯାହାକୁ ଆପଣମାନେ ବୀରତା ଓ ସାଧୁତା ବୋଲି କହୁଛନ୍ତି, ମୋ ଚାରିପଟେ ଦେଖୁଛି ସେତେବେଳେ ମୋର ହୃଦୟ ଘୃଣାରେ ଭରି ଯାଉଛି। ଯେତେବେଳ ପର୍ଯ୍ୟନ୍ତ ଆପଣ ସ୍ତ୍ରୀ ପୁରୁଷ ଭେଦ ଭୁଲି ପ୍ରତ୍ୟେକ ମାନବ ଭିତରେ ମାନବତାର ଦର୍ଶନ କରି ନାହାନ୍ତି ସେପର୍ଯ୍ୟନ୍ତ ଏହି ଦେଶର ସ୍ତ୍ରୀମାନଙ୍କର ଯଥାର୍ଥ ଉନ୍ନତି ହୋଇପାରିବ ନାହିଁ। ଏହି ସ୍ଥିତି ପ୍ରାପ୍ତ ନ କରିବାଯାଏ ଆପଣଙ୍କର ସ୍ତ୍ରୀ ମାନଙ୍କୁ ଖେଳନା ଠାରୁ ଅଧିକ କିଛି ବୁଝାଯିବ ନାହିଁ। ଏହି କାରଣରୁ ଏଠାରେ ଅଧିକ ବିବାହ ବିଚ୍ଛେଦ ହେଉଛି।
ଏଠିକାର ପୁରୁଷମାନେ ସ୍ତ୍ରୀମାନଙ୍କ ସମ୍ମାନ କଥା ବେଶୀ ଚିନ୍ତା କରନ୍ତି ଓ ତାଙ୍କୁ ଉଚ୍ଚ ଆସନ ଦିଅନ୍ତି। ପରନ୍ତୁ କିଛି କ୍ଷଣ ପରେ ସେମାନେ ତାଙ୍କର ଚାପଲୁସ କରିବାରେ ଲାଗିପଡ଼ନ୍ତି। ଏମାନେ ତାଙ୍କର ସୁନ୍ଦରତା, ନଖ-ଶିଖର ପ୍ରଶଂସା କରିବା ଆରମ୍ଭ କରିଦିଅନ୍ତି। ତୁମକୁ ଏ ସବୁ କରିବାକୁ କିଏ ଅଧିକାର ଦେଇଛି ? କେହି ପୁରୁଷ ଏତେ ପ୍ରଗଳ୍ଭ କେମିତି ହୋଇଯାଏ ଯେ ସେ ସ୍ତ୍ରୀମାନଙ୍କ ସହ ଏପରି ବ୍ୟବହାର କରେ ? ପୁଣି ସ୍ତ୍ରୀମାନେ ଏହାକୁ ସହନ୍ତି କଣ ପାଇଁ ? ଏହା ମନୁଷ୍ୟର ନୀଚ୍ଚ ଭାବକୁ ପ୍ରକଟ କରିଥାଏ। ଏହା ଦ୍ୱାରା ଉଚ୍ଚ ଆଦର୍ଶ ମିଳିବା କେବେ ବି ସମ୍ଭବ ନୁହେଁ।
ଆମକୁ ସ୍ତ୍ରୀ-ପୁରୁଷ ଭେଦର ଚିନ୍ତା କରିବା ଦରକାର ନାହିଁ। କିନ୍ତୁ କେବଳ ଏତିକି ଚିନ୍ତା କରିବା ଦରକାର ଯେ ଆମେ ସବୁ ମନୁଷ୍ୟ ଏବଂ ଆମେ ସମସ୍ତେ ପରସ୍ପର ସହାୟତା ପାଇଁ ଜନ୍ମ ହେଇଛନ୍ତି।
ଆମେ ଏଠାରେ ଦେଖିବା ଯେ ଯଦି କୌଣସି ନବ ଯୁବକକୁ କୌଣସି ନବ ଯୁବତୀ ସହ ଏକାଠି ହେବାର ଅବସର ମିଳିଗଲା, ତେବେ ସେହି ନବ ଯୁବକଟି ସେହି ନବ ଯୁବତୀର ରୂପ ଲାବଣ୍ୟର ପ୍ରଶଂସା କରିବା ଆରମ୍ଭ କରିଦିଏ ଏବଂ ବିବାହ ପୂର୍ବରୁ ସେ ଦୁଇ ଶହ ସ୍ତ୍ରୀଙ୍କ ସହ ପ୍ରେମାଚାର କରିସାରିଥାଏ। ମୁଁ ଯଦି ଏଇ ବିବାହ ଇଛୁକ ମାନଙ୍କ ଭିତରୁ ଜଣେ ହୋଇଥାନ୍ତି ତେବେ ଏଭଳି ବ୍ୟବହାର ନ କରି ମୋର ପ୍ରେମ ପାତ୍ରକୁ ହିଁ ବାଛି ନେଇଥାନ୍ତି।

ଯେତେବେଳେ ମୁଁ  ଭାରତବର୍ଷରେ ଏଭଳି ବ୍ୟବହାର ସମ୍ବନ୍ଧରେ ଶୁଣିଲି ସେତେବେଳେ ଏ ସବୁ ଅଧ୍ୟୟନ କରିବାକୁ ମୋ ପାଖରେ ସମୟ ନ ଥିଲା। ମୋତେ କୁହାଗଲା ଏ ବ୍ୟବହାର ନିର୍ଦୋଷ ଅଟେ। ଏହା କେବଳ ମଜା ମୌଜ ପାଇଁ କରାଯାଉଛି। ସେତେବେଳେ ମୋର ବି ଧାରଣା ହୋଇଥିଲା ଯେ, ହଁ ଏ ସବୁ ଠିକ ତ। ସେତେବେଳଠାରୁ ଏଇ ସମୟ ଭିତରେ ମୋତେ ଅନେକ ସ୍ଥାନ ଯିବାର ଅବସର ମିଳିଛି। ଏବେ ମୋର ଦୃଢ଼ ବିଶ୍ୱାସ ହୋଇଯାଇଛି ଯେ ଏହା ଅନୁଚିତ ଅଟେ ଓ ଏହା ଅତ୍ୟନ୍ତ ଦ୍ଵେଷପୂର୍ଣ୍ଣ ଅଟେ। ଆପଣମାନଙ୍କ ଭଳି ପାଶ୍ଚାତ୍ୟବାସୀ ନିଜ ନିଜର ଆଖି ବନ୍ଦ କରିଦେଇ ଏହାକୁ ନିର୍ଦୋଷ ବୋଲି କହୁଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ର ଏବେ ଯୌବନ ଅବସ୍ଥାରେ ପ୍ରଦାର୍ପଣ କରିଛି। ତା ସହିତ ସେ ଅନଭିଜ୍ଞ, ଚଞ୍ଚଳ ଓ ଐଶ୍ୱର୍ଯ୍ୟ ସମ୍ପନ୍ନ ଅଟେ। ଏହି ଗୁଣ ଭିତରୁ ଯଦି କୌଣସି ଗୋଟିଏର ପ୍ରଭାବ ଦେଖାଯାଏ ତେବେ ବହୁତ ଅନର୍ଥ ହୁଏ। ଯଦି ସବୁ ଏକାଠି ଆସିଯାନ୍ତି ତେବେ ସେମାନେ କେତେ ଯେ ଅନିଷ୍ଟ କରିବେ, ତାଙ୍କ କଥା କଣ ବା କହିବା ?

ଭାରତରେ ସ୍ତ୍ରୀ ଜୀବନର ଆଦର୍ଶର ଆରମ୍ଭ ଓ ଅନ୍ତ ମାତୃତ୍ୱରେ ହି ହୋଇଥାଏ।  ପ୍ରତ୍ୟେକ ହିନ୍ଦୁର ମନରେ ସ୍ତ୍ରୀ ଶବ୍ଦର ଉଚ୍ଚାରଣ ମାତ୍ରେ ମାତୃତ୍ୱର ସ୍ମରଣ ହୋଇଥାଏ। ଆମର ଏଠାରେ ପରମାତ୍ମାଙ୍କୁ ଜଗନ୍ମାତା , ଜଗଜ୍ଜନନୀ ଆଦି ନାମରେ ସମ୍ବୋଧନ କରାଯାଏ। ବାଲ୍ୟାବସ୍ଥାରେ ପ୍ରତ୍ୟେକ ହିନ୍ଦୁ ବାଳକ ପ୍ରତିଦିନ ପ୍ରାତଃ କାଳରେ ଗୋଟିଏ ଢାଳରେ ଜଳ ଭରି ତା ମାଆ ପାଖକୁ ନେଇଯାଏ, ମାଆ ସେଥିରେ ନିଜ ଆଙ୍ଗୁଠି ବୁଡ଼ାଇ ଦିଏ, ପୁଅ ସେହି ଜଳକୁ ପାନ କରି ହର୍ଷିତ ହୋଇଥାଏ।

ପାଶ୍ଚାତ୍ୟ ଦେଶରେ ସ୍ତ୍ରୀକୁ ପତ୍ନୀ ଦୃଷ୍ଟିରେ ଦେଖା ଯାଏ। ସେଠାରେ ସ୍ତ୍ରୀଙ୍କୁ ପତ୍ନୀତ୍ୱ ଭିତରେ କଳ୍ପନା କରାଯାଏ। ପରନ୍ତୁ ଏହାର ବିପରୀତ ପ୍ରତ୍ୟେକ ଭାରତୀୟ  ନାରୀ ଭିତରେ ମାତୃତ୍ୱର କଳ୍ପନା କରିଥାଏ। ପାଶ୍ଚାତ୍ୟ ଦେଶରେ ଘରର ମୁଖିଆ ପତ୍ନୀ ଅଟେ, ଭାରତୀୟ ଗୃହରେ ଗୃହର ମୁଖିଆ  ମାଆ ଅଟେ। ପାଶ୍ଚାତ୍ୟ ଗୃହରେ ଯଦି ବି ମାତା ଥିବେ, ତେବେ ମଧ୍ୟ ତାଙ୍କୁ ପତ୍ନୀ ଅଧୀନରେ ରହିବାକୁ ପଡ଼େ। କାରଣ ସେଠାରେ ଗୃହ ସ୍ୱାମିନୀ ପତ୍ନୀ ଅଟେ। ଆମ ଦେଶରେ ମାତା ହିଁ ଘରର ସବୁ କିଛି। ପତ୍ନୀ ତାଙ୍କର ଆଜ୍ଞା ପାଳନ କରନ୍ତି। ଆଦର୍ଶ ଭିନ୍ନ ଥିବା କାରଣରୁ ଦୁଇ ପ୍ରକାର ଜୀବନ ଶୈଳୀରେ ଆକାଶ ପାତାଳ ଅନ୍ତର ହୋଇଯାଉଛି।

କ୍ରମଶଃ...

୧. ୩. ୧୮

No comments: