Friday, 30 March 2018

*ଆନନ୍ଦମଠ-୫*

ମହେନ୍ଦ୍ର "ବନ୍ଦେ ମାତରମ" କହି କାଳୀ ମୂର୍ତ୍ତିକୁ ପ୍ରଣାମ କଲା। ତା'ପରେ ବ୍ରହ୍ମଚାରୀ ତାକୁ ନେଇ ଅନ୍ୟ ସୁଡ଼ଙ୍ଗ ଦେଇ ଉପରକୁ ଉଠିଗଲେ। ଉପରକୁ ଉଠିବା ମାତ୍ରେ ସେମାନେ ଦେଖିଲେ ସକାଳର କଅଁଳ କିରଣ ଓ ପକ୍ଷୀମାନଙ୍କର କଳରବ। ସେଠାରେ ପଥରରେ ନିର୍ମିତ ମନ୍ଦିର ମଧ୍ୟରେ ଦଶଭୁଜା ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ଯାହା ସୂର୍ଯ୍ୟଙ୍କ ସୁନେଲି କିରଣରେ ଜ୍ୟୋତିର୍ମୟ ହୋଇ ହସି ଉଠୁଥିଲେ। ବ୍ରହ୍ମଚାରୀ ସେହି ପ୍ରତିମାକୁ ପ୍ରଣାମ କରି କହିଲେ ଏହା ହେଉଛି ମାଆଙ୍କର ସେହି ରୂପ ଯାହା ଆମକୁ ଗଢ଼ିବାକୁ ହେବ। ଦଶଭୁଜା ଦଶ ଦିଗରେ ବିସ୍ତାରିତ ହୋଇଛି, ପ୍ରତ୍ୟେକ ଭୁଜାରେ ନାନା ପ୍ରକାର ଅସ୍ତ୍ର ନାନା ପ୍ରକାର ଶକ୍ତିଦ୍ୱାରା ଶୋଭିତ, ପାଦତଳେ ଶତ୍ରୁ  ବିମର୍ଦିତ, ପଦାଶ୍ରିତ ବୀର-କେଶରୀ ଶତ୍ରୁ ଦମନରେ ନିଯୁକ୍ତ ! କହୁ କହୁ ସତ୍ୟାନନ୍ଦ(ବ୍ରହ୍ମଚାରୀ)ଙ୍କ କଣ୍ଠ ରୁଦ୍ଧ ହୋଇଗଲା।

ତା'ପରେ ବି ସେ ପୁଣି କହିଲେ, ଦିଗଭୁଜା ନାନା ପ୍ରହରଣ ଧାରିଣୀ ଶତ୍ରୁ ବିମର୍ଦିନୀ ବୀରେନ୍ଦ୍ର ପୃଷ୍ଠ ବିହାରିଣୀ-ଦକ୍ଷିଣେ ଭାଗ୍ୟ ରୂପିଣୀ ଲକ୍ଷ୍ମୀ ବାମେ, ବାଣୀ ବିଦ୍ୟା ବିଜ୍ଞାନ ଦାୟିନୀ, ସାଙ୍ଗରେ ବଳରୂପୀ କାର୍ତ୍ତିକେୟ, କାର୍ଯ୍ୟସିଦ୍ଧିରୂପୀ ଗଣେଶ; ଆସ ଆମେ ଦୁଇଜଣ ମାଆଙ୍କୁ ପ୍ରଣାମ କରିବା।"

ଦୁଇଜଣଯାକ କରଯୋଡ଼ି ମଥା ସିଧା କରି ଏକାସାଙ୍ଗରେ ଉଚ୍ଚାରଣ କଲେ -

"ସର୍ବମଙ୍ଗଳ-ମାଙ୍ଗଲେ ୍ୟ ଶିବେ ସର୍ବାର୍ଥ ସାଧିକେ।
ଶରଣେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ।।

ଭକ୍ତିଭାବରେ ପ୍ରଣାମକରି ଦୁଇଜଣଯାକ ଉଠିପଡ଼ିବା ବେଳେ ମହେନ୍ଦ୍ର ପଚାରିଲା - ମାଆଙ୍କ ଏପରି ମୂର୍ତ୍ତି ଆମେ କେବେ ଦେଖି ପାରିବା ?

ବ୍ରହ୍ମଚାରୀ କହିଲେ, "ଯେଉଁଦିନ ମାଆଙ୍କ ସବୁ ସନ୍ତାନ ମାଆକୁ ମାଆ ବୋଲି ଡାକିବେ, ସେଇଦିନ ସେ ପ୍ରସନ୍ନ ହେବେ।"

କ୍ରମଶଃ...

୩୦. ୩. ୧୮

No comments: