ଭାରତର ବିଶେଷତା ହେଉଛି ତାହାର ଆଧ୍ୟାତ୍ମିକ ଚେତନା, ସେହି ଚେତନାର ବୈଚାରିକ ପ୍ରବାହ, ଯାହା ଭିତରେ ଭୂଗୋଳର ସୀମା ନାହିଁ, ଖଗୋଳର ବନ୍ଧନ ନାହିଁ । ତାହା ହେଉଛି 'ସର୍ବେ ଭବନ୍ତୁ ସୁଖୀନଃ' ରୂପେ ପ୍ରବାହିତ ହେଉଥିବା ଅମୃତଧାରା।
ଏହା ଭିତରୁ ଦେଶ ସମ୍ବନ୍ଧିତ ସ୍ମୃତି ଓ ଏହାର ଇତିହାସରୁ ଦେଶପ୍ରେମର ଭାବନାକୁ ଅଲଗା କରାଯାଇ ପାରିବ ନାହିଁ। ଏଠାରେ ମୁକ୍ତ ବାୟୁମଣ୍ଡଳରୁ ଉନ୍ମୁକ୍ତ ଶ୍ଵାସ ନେବାର ପୂର୍ଣ୍ଣ ସ୍ୱାଧୀନତା ଅଛି।
ତଥାପି ବୁଝିହୁଏ ନାହିଁ, ଏପରି କିଛି ବୁଦ୍ଧିଜୀବୀ ଅଛନ୍ତି ଯେଉଁମାନଙ୍କୁ ବନ୍ଦେ ମାତରମ ଭିତରେ ଦେଶ ନଷ୍ଟ ହେଇଯିବାର ବିପଦ ଦେଖାଯାଏ। ଆଉ କିଛି ବୁଦ୍ଧିଜୀବୀ ଅଛନ୍ତି ଯେଉଁମାନଙ୍କର ଦେଶର ବର୍ତ୍ତମାନ ସମସ୍ୟା ସହିତ କୌଣସି ସମ୍ପର୍କ ନଥାଏ। ତାଙ୍କ ପାଖରେ କିଛି ଛପା କବିତାର ବହି ଅଛି, ବହୁତ ସମ୍ମାନ ପତ୍ର ଅଛି ଓ ମୋଟା ଅଙ୍କର ସମ୍ପତ୍ତିି ଅଛି। ସେମାନେ ପୁରସ୍କାର ଫେରାଇବାର ଘୋଷଣା କରନ୍ତି, କିନ୍ତୁ ଫେରାନ୍ତି ନାହିଁ, ଫେରାନ୍ତି ଯଦି କେବଳ ସେହି ସମ୍ମାନ ପତ୍ରଟି ଫେରାନ୍ତି। ଭାରତୀୟ ମୁଦ୍ରା ଫେରାନ୍ତି ନାହିଁ। ବିଚିତ୍ର ଏମାନଙ୍କର ବ୍ୟବହାର। ସାହିତ୍ୟିକ ମଧ୍ୟ ଏଭଳି ନାଟକ କରିପାରନ୍ତି ! ସାହିତ୍ୟିକମାନଙ୍କର, ସ୍ତମ୍ଭ ଲେଖକମାନଙ୍କର ଏଭଳି ବ୍ୟବହାର ଦେଶରେ ପ୍ରଥମ ଥର ଦେଖିବାକୁ ମିଳିଲା। ଏମାନଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଏମାନଙ୍କ ପ୍ରତିବଦ୍ଧତା କୌଣସି ରାଜନୈତିକ ଦଳ ସହିତ ରହିଛି। କୌଣସି ରାଜନୈତିକ ବିଚାରଧାରା ସହ ରହିଛି। ସେହି ଦଳର ଇଙ୍ଗିତରେ ଏମାନେ ଏହି କୁକୃତ୍ୟ କରିଥିଲେ। ପ୍ରଶ୍ନ ହେଉଛି ଏମାନଙ୍କ ପାଖରେ କଣ ଦେଶ ଠାରୁ ବଳି ବଡ଼ ହେଉଛି ଦଳ ? ପୁରସ୍କାର ପ୍ରାପ୍ତିଠାରୁ ଏମାନଙ୍କୁ କଣ ଅଧିକ ଗୌରବ ମିଳିଛି ପୁରସ୍କାର ଫେରାଇବାରେ ?
ଏହି ପ୍ରଶ୍ନ ଏବେର ସହିତ୍ୟିକମାନଙ୍କୁ କଷ୍ଟ ଦିଏ।
ବୋଧହୁଏ ଏମାନଙ୍କର ଋଷ ଦେଶର ସେହି ଲେଖକଙ୍କ କଥା ବିସ୍ମରଣ ହୋଇଗଲାଣି ଯିଏ ଲେଖିଥିଲେ, "ଜଣେ ଲେଖକ ହିସାବରେ ମୋତେ ବେଳେବେଳେ ନିଜ ଦେଶର ସମସ୍ୟାକୁ ଦେଖି ଅସନ୍ତୋଷ ଓ କଟୁତା ଅନୁଭଵ ହେଉଛି, କିନ୍ତୁ ମୁଁ ସାଧୁତାର ସହ ଜଣାଇଦେବାକୁ ଚାହେଁ ଯେ କୌଣସି ପରିସ୍ଥିତିରେ ମୋର ଦେଶକୁ ଅନ୍ୟ କେଉଁ ଦେଶଦ୍ୱାରା ବଦଳାଇବାକୁ ଚାହିଁବି ନାହିଁ। ମୋ ଦେଶର ଇତିହାସକୁ ଅନ୍ୟ କେଉଁ ଦେଶର ଇତିହାସ ଭଳି କରିବାକୁ ଚାହିଁବି ନାହିଁ, ଯାହାକୁ ଭଗବାନ ମୋ ପୂର୍ବପୁରୁଷଙ୍କ ହାତରେ ଦେଇଥିଲେ।"
ବହୁତ କିଛି ଅଭାବ ଆମ ଦେଶରେ ଥାଇପାରେ, କିନ୍ତୁ ଦେଶପ୍ରେମର ଭାବଧାରା ହିଁ ଆମକୁ ବଞ୍ଚିବାର ରାହା ଦେଖାଇଛି ଆମକୁ ସୁଖରେ ବଢ଼ାଇଛି। ଅନେକ ବିବିଧତା ଓ ଅନେକ ଐତିହାସିକ ସଙ୍କଟ ପରେ ମଧ୍ୟ ଏ ଦେଶର ଅସ୍ମିତା ଅତୁଟ ରହିବା ଏହାର ଆଧ୍ୟାତ୍ମିକ ଚେତନାର ପରିଣାମ ଅଟେ। ବିଂଶ ଶତାବ୍ଦୀରେ ଅନେକ ମହାପୁରୁଷ, ଅନେକ ସ୍ୱାଧୀନତା ସଂଗ୍ରାମୀ, ଅନେକ କ୍ରାନ୍ତିକାରୀ ଦେଶକୁ ସ୍ୱାଧୀନ କରିବା ସହ ସେହି ଆଧ୍ୟାତ୍ମିକ ଚେତନାର ଚିରନ୍ତନ ପ୍ରବାହକୁ ଜାଗ୍ରତ ଓ ଗତିମାନ କଲେ।
ସେତେବେଳେ ଦେଶ ଗଢ଼ିହୋଇଯାଏ ଯେତେବେଳେ ଦେଶର ହଜାର ଅଭାବ ଅସୁବିଧା ଭିତରେ ମଧ୍ୟ ଦେଶବାସୀ ଦେଶକୁ ଭଲ ପାଉଥିବେ। ପ୍ରାଣଠାରୁ ଅଧିକ ଭଲ ପାଉଥିବେ। ଭୁଲ ତ୍ରୁଟିର ସମୀକ୍ଷା କରୁଥିବେ। ଦେଶର ପାରମ୍ପରିକ ଗୌରବ ଉପରେ କେହି ଆଘାତ ନ କରୁ ସେଥିପାଇଁ ଜାଗ୍ରତ ଥିବେ। ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ଦୟାନନ୍ଦ ସରସ୍ବତୀ ଓ ତାଙ୍କ ପୂର୍ବରୁ ମଧ୍ୟଯୁଗୀୟ ସନ୍ଥମାନେ ମଧ୍ୟ ଏହି କାମ କରିଥିଲେ। ସଂସାରର ସବୁ ଦେଶରେ ଏହାହିଁ ଦେଶ ଗଠନର ରହସ୍ୟ।
କିନ୍ତୁ ଆଜିର ଏଇ ଆଧୁନିକ ବୁଦ୍ଧିଜୀବୀ କେଉଁ ରାସ୍ତାରେ ଯାଉଛନ୍ତି ?
କଣ ପାଇଁ ସେମାନଙ୍କୁ ଏ ଦେଶର ପରମ୍ପରା, ଏ ଦେଶର ଐତିହ୍ୟ ଖଟା ଲାଗୁଛି ?
ଏହାର ଉତ୍ତର ବୋଧହୁଏ ମିଳିଯିବ ମାର୍କ୍ସଙ୍କ ୧୦ ଜୁନ ୧୮୫୩ ଚିଠିରେ।
ଆମ ଦେଶ ଅଧ୍ୟାତ୍ମ ଅଧିଷ୍ଠାନ ଉପରେ ତିଆରି ହୋଇଛି ଓ ହିମାଳୟ ପରି ଛିଡ଼ା ହୋଇଛି।
କିନ୍ତୁ ଏମାନଙ୍କ ବୁଦ୍ଧି କହୁଛି କାଶ୍ମୀରକୁ ଅଲଗା କରିଦିଅ ।
ଏଇ ମାର୍କ୍ସ ପୁତ୍ରମାନେ ଇଂରାଜୀ ମାର୍କ୍ସବାଦୀ ଲେଖକ ଇ. ପି. ଟାପ୍ସନଙ୍କୁ ଯଦି ପଢ଼ନ୍ତେ ....
ସେ ଲେଖିଛନ୍ତି - "ଭାରତ ଆମ ପାଇଁ ଖାଲି ମହତ୍ତ୍ୱପୂର୍ଣ୍ଣ ନୁହେଁ, ଏହା ଦୁନିଆର ସମସ୍ତଙ୍କ ପାଇଁ ବୋଧହୁଏ ସବୁଠାରୁ ବେଶୀ ମହତ୍ତ୍ୱପୂର୍ଣ୍ଣ ଦେଶ, ଯାହା ଉପରେ ସାରା ସଂସାର ନିର୍ଭର କରେ। ହିନ୍ଦୁ ସମାଜରେ ଦୁନିଆର ସବୁ ଦେଶରୁ ଆସିଥିବା ପ୍ରଭାବ ସମାହିତ ହୋଇଅଛି। ପୂର୍ବ ପଶ୍ଚିମର ଏମିତି କୌଣସି ବିଚାର ନାହିଁ, ଯାହା ହିନ୍ଦୁ ତତ୍ତ୍ୱଜ୍ଞାନ ଭିତରେ ନାହିଁ।"
୧୨. ୩. ୧୮

No comments:
Post a Comment