ଭାରତ ଏକ ପ୍ରାଚୀନ ସଂସ୍କୃତିସମ୍ପନ୍ନ ରାଷ୍ଟ୍ର। ଅନେକ ପ୍ରକାର ଗମ୍ଭୀର ସମସ୍ୟା ସହ ଲଢ଼ି ତାକୁ ପରାସ୍ତ କରି ଏଇ ରାଷ୍ଟ୍ର ଆଗକୁ ବଢ଼ି ଚାଲିଛି। ସମସ୍ୟାଗୁଡ଼ିକୁ ନିଷ୍କ୍ରିୟ କରିବା ବା ସମାପ୍ତ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରିଛି। କିଛି ଚେଷ୍ଟା ଜନ ଆନ୍ଦୋଳନ ରୂପେ ହୋଇଛି, କିଛି ସନ୍ଥମାନଙ୍କ ପ୍ରବଚନ ଦ୍ୱାରା ହୋଇଛି ତ କେତେ ଥର ରାଜ୍ୟ ଶାସନର ଆଇନ ପ୍ରଣୟନ ଦ୍ୱାରା ହୋଇଛି। ବାହାର ଶତ୍ରୁ ସହ ଲଢ଼ିବାରେ ଯୁଦ୍ଧର ଭୂମିକା ମଧ୍ୟ କିଛି କମ ନୁହଁ। ତଥାପି ଜନଶ୍ରୁତି ଓ ଇତିହାସର ଅନେକ କଥା ସାକ୍ଷୀ ଅଛି ଯେ ପ୍ରତ୍ୟେକ ଯୁଗରେ ନିର୍ମିତ ହୋଇଥିବା ସାହିତ୍ୟ ସମସ୍ୟାକୁ ସମାଧାନ କରିବାରେ ଯେଉଁ ସଫଳତା ପାଇଛି ତାହା ଅନ୍ୟ ସବୁ ଚେଷ୍ଟାଠାରୁ ନିଶ୍ଚିତ ଅଧିକ ପରିଣାମକାରୀ ହୋଇଛି। ସାହିତ୍ୟ ବ୍ୟତୀତ ଅନ୍ୟ ଯେତେ ଚେଷ୍ଟା ହୋଇଛି ଅତୀତ ବା ବର୍ତ୍ତମାନ ସମୟରେ, ସେସବୁ ବିରୋଧରେ ଛୋଟ ବଡ଼ ପ୍ରତିକ୍ରିୟା ସୃଷ୍ଟି ହୁଏ ବେଳେବେଳେ ତାହା ନୂଆ ସମସ୍ୟାକୁ ଜନ୍ମ ଦେଇଥାଏ। କିନ୍ତୁ ସମାଧାନ ଦେଉଥିବା ସାହିତ୍ୟ ମନୁଷ୍ୟର ମନ ଉପରେ ଯେଉଁ ପ୍ରଭାବ ପକାଏ ତାହା ସବୁବେଳେ ସକାରାତ୍ମକ ହୁଏ। ଧୀରେ ଧୀରେ ସତ୍ୟ ସାହିତ୍ୟର ପ୍ରଭାବ ଦ୍ୱାରା ବ୍ୟକ୍ତି, ସମାଜ, ରାଜ୍ୟ ଓ ଧର୍ମର ସମସ୍ୟା ଦୂର କରିବାରେ ସହନଶୀଳତା କାମ କରେ। ବିବେକର ଜାଗୃତି ହୁଏ ଓ ମନରୁ ଭ୍ରମ ଦୂର ହୋଇ ସମନ୍ଵୟର ରାସ୍ତା ଦୃଶ୍ୟମାନ ହୁଏ। ସାହିତ୍ୟର ବିରାଟ ପ୍ରଭାବଶାଳୀତାର ପ୍ରମାଣ ଓ ନିଜ ନିଜ ସମୟର ବିଭିନ୍ନ ସମସ୍ୟା ସହ ଲଢ଼ି ସେଥିରୁ ମୁକୁଳି ଆସିଥିବା କଥା ସମଗ୍ର ବିଶ୍ୱରେ ଦେଖିବାକୁ ମିଳେ। ଆମେରିକାରେ କଳା ମାନଙ୍କ ବିରୋଧରେ ନିର୍ମମତା, ୟୁରେସିଆ ଦେଶମାନଙ୍କରେ ଶ୍ରମିକମାନଙ୍କର ଘୋର ଶୋଷଣର ସମସ୍ୟା, ଭାରତରେ ପରାଧୀନତାର ସମସ୍ୟା ଓ ଏବେ ଏବେ ତିନି ତଲାକ ବିରୋଧରେ ଜାଗୃତିରେ ସାହିତ୍ୟର ମହାନ ଭୂମିକା ରହିଛି।
କ୍ରମଶଃ...
୨୨. ୩. ୧୮

No comments:
Post a Comment