Saturday, 24 March 2018

*ସମସ୍ୟା ସମାଧାନରେ...*

ସନ୍ଥ ତୁଳସୀ ଦାସଙ୍କ ସାହିତ୍ୟର ଅବତରଣ ସମୟରେ ଆମ ଦେଶରେ ପ୍ରାୟ ପ୍ରାୟ ଆଜି ଭଳି ପରିସ୍ଥିତି ଥିଲା। କେବଳ ଜନ ସଂଖ୍ୟାକୁ ଛାଡ଼ି ଦେଲେ ଚରିତ୍ରହୀନତା, ଧାର୍ମିକ ଉଗ୍ରତା, ଗରିବୀ, କ୍ଷମତା ଓ ଶାସକୀୟ ଉନ୍ମାଦତା, ମୋଗଲ ଆକ୍ରମଣ, ପରାଧୀନତା ତଥା ଆନ୍ତରିକ କଳହରେ ଦେଶ ତ୍ରସ୍ତ ଥିଲା। ଶସ୍ତ୍ର ବଳରେ ସମସ୍ୟା ସୁଧୁରୁ ନ ଥିଲା। ଶିକ୍ଷିତ ଓ ବିଜ୍ଞ ବର୍ଗ ସ୍ୱାର୍ଥୀ ବ୍ୟାଖ୍ୟାରେ ଲିପ୍ତ ଥିଲେ। ମୋଗଲମାନେ ନ୍ୟାୟ ନୁହଁ କ୍ଷମତାର ରାଜନୀତି କରୁଥିଲେ। ହିନ୍ଦୁ ରାଜା ତାଙ୍କ ସହ ଏକ ହୋଇ ଲଢ଼ିବେ କଣ ? ସେମାନେ ପରସ୍ପର ଲଢୁଥିଲେ।

ସେତିକିବେଳେ ସନ୍ଥ ତୁଳସୀ ରାଷ୍ଟ୍ରର ବହୁସଂଖ୍ୟକ ମନକୁ ପଢ଼ିଲେ, ତାଙ୍କର ଆବଶ୍ୟକତାକୁ ବୁଝିଲେ ଓ ତାର ଉପଚାରର ଔଷଧ ଖୋଜିଲେ ଯାହା ନିଃସ୍ୱାର୍ଥ ରାଷ୍ଟ୍ରୀୟତାର ଉଦ୍ୟୋଗଶାଳାରେ ଆସ୍ଥାର ନ୍ୟାୟିକ ରଙ୍ଗରେ ଧୋଇ ସାହିତ୍ୟ ରୂପେ ଜନ ଗଣଙ୍କ ମଧ୍ୟରେ ପ୍ରସାଦ ରୂପେ ବିତରଣ କରାଗଲା। ସାହିତ୍ୟିକ ତୁଳସୀ ଦାସ ସମସ୍ୟା ଗୁଡ଼ିକୁ କ୍ରମବଦ୍ଧ କଲେ। ପୁଣି ତାର ଗୋଟି ଗୋଟି କରି ସମାଧାନ ଖୋଜିଲେ। ତାଙ୍କର ଏହି କ୍ରମବଦ୍ଧତା ଭିତରୁ ପ୍ରଥମ କ୍ରମରେ ଥିଲା ରାଷ୍ଟ୍ରରେ ଅସୁରକ୍ଷାର ଭାବ ଓ ନେତୃତ୍ୱ ପ୍ରତି ଅବିଶ୍ୱାସର ସଙ୍କଟ। ଏହାର ନିରାକରଣ ପାଇଁ ସେ ଏପରି ଏକ ଚରିତ୍ର ଖୋଜିଲେ ଯାହାଙ୍କ ସମୟରେ ଅନେକ ଶାସକ ତଥା ରାଜାମାନଙ୍କ ମଧ୍ୟରୁ ସେ ନିଷ୍କଳଙ୍କ ଥିବେ। ଏହିପରି ଲକ୍ଷଣ ସେ ପ୍ରଭୁ ରାମଚନ୍ଦ୍ରଙ୍କ ଠାରୁ ପାଇଥିଲେ।  ଏହି ଚରିତ୍ର ମାଧ୍ୟମରେ ସେ ଶାସକ ଓ ତତ୍କାଳୀନ ଜନ ସମୁଦାୟକୁ ଜାଗ୍ରତ କଲେ ଯେ ଶାସନ କିପରି ହେବା ଉଚିତ। ସେ ନିଜ ସାହିତ୍ୟ ମାଧ୍ୟମରେ ଘୋଷଣା କଲେ ଯେ ରାଜା ଓ ଶାସକମାନେ କିପରି ବ୍ୟବହାର କରିବା ଉଚିତ। ସ୍ୱୟଂ ଭଗବାନଙ୍କୁ ମଧ୍ୟ ଯଦି ଭଗବାନ ଭଳି ବ୍ୟବହାର ଦରକାର ତେବେ ତାଙ୍କୁ କ୍ଷମତା, ପ୍ରଭୁତା, ବ୍ରହ୍ମତ୍ୱ ଆଦିର ଦର୍ପ ଛାଡ଼ିବାକୁ ହେବ । ଦଳିତ, ପୀଡ଼ିତ, ଦୀନ, ହୀନଙ୍କ ପାଖକୁ ଯାଇ ତାଙ୍କୁ ସହାୟତା କରିବାକୁ ପଡ଼ିବ। ଯେପରି ପ୍ରଭୁ ଶ୍ରୀରାମ କରିଥିଲେ। ତୁଳସୀ ସେଥିପାଇଁ ଦୁଇଟି ଶବ୍ଦ ବାଛିଲେ ଗୋଟିଏ ହେଲା ଦୀନବନ୍ଧୁ ଆଉ ଗୋଟିଏ ହେଲା ଦୀନନାଥ।
ଇତିହାସ ସାକ୍ଷୀ ଅଛି ଯେ ତୁଳସୀ ସାହିତ୍ୟର ପ୍ରଭାବ ଓ ପ୍ରଚାର ଦ୍ୱାରା ଶାସକମାନଙ୍କ ମଧ୍ୟରେ ସୁଧୁରିବାର ଲକ୍ଷଣ ଦେଖାଦେଲା ଓ ପ୍ରଜାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଅଙ୍କୁରିତ ହେଲା। ଏହି ସାହିତ୍ୟ ଭାରତର ସାମାଜିକ ରାଜନୈତିକ ଭବିଷ୍ୟର ନିର୍ଣ୍ଣାୟକ ଦିଗ ମଧ୍ୟ ଦେଖାଇଲା। ମହାତ୍ମା ଗାନ୍ଧୀ ତୁଳସୀଙ୍କ ମାନସରୁ ରାମଙ୍କ ଚରିତ୍ର ପଢ଼ି ଅଭିଭୂତ ହେଲେ। ସ୍ୱାଧୀନ ଭାରତକୁ ରାମରାଜ୍ୟ ରୂପେ ବିକଶିତ କରିବାର ସଂକଳ୍ପ ଓ ସନ୍ଦେଶ ସେ ପ୍ରତ୍ୟେକ ଜନ ସଭାରେ ଦୋହରାଉଥିଲେ।

କ୍ରମଶଃ...

୨୪. ୩. ୧୮

No comments: