Friday, 2 March 2018

*ନାରୀତ୍ବର ଆଦର୍ଶ*

ଭାରତ ଓ ନ୍ୟୁୟର୍କ ଆଦର୍ଶକୁ ଗମ୍ଭୀରତାପୂର୍ବକ ତୁଳନା କରନ୍ତୁ। ମୁଁ ଆପଣମାନଙ୍କ ସମ୍ମୁଖରେ କିଛି ତଥ୍ୟ ଉପସ୍ଥାପନ କରିବି ଯଦ୍ୱାରା ଆପଣମାନେ ସ୍ୱୟଂ ଏହି ଦୁଇଟିର ଗୁଣ ଦୋଷର ବିବେଚନା କରିପାରିବେ। ଯଦି ଆପଣମାନେ ପଚାରିବେ ଯେ ପତ୍ନୀ ଭାବରେ ଭାରତୀୟ ସ୍ତ୍ରୀର ସ୍ଥାନ କେଉଁଠି ତେବେ ଏହାର ଉତ୍ତରରେ ଭାରତୀୟ ଆପଣଙ୍କୁ ପ୍ରଶ୍ନ କରିପାରନ୍ତି ଯେ ମାଆ ଭାବରେ ଆମେରିକା ସ୍ତ୍ରୀର ସ୍ଥାନ କେଉଁଠି ? ସେହି ତପସ୍ୱିନୀ ଓ ଓଜସ୍ୱିନୀ ମାଆ, ଯିଏ ତୁମକୁ ଜନ୍ମ ଦେଲେ, ତୁମେ ତାଙ୍କୁ କି ସମ୍ମାନ ଦେଇଛ ? ସେହି ମାଆ, ଯିଏ ତୁମର ଭାରକୁ ନଅ ମାସ ଗର୍ଭରେ ସହିଲା, ଯିଏ ତୁମ ଜୀବନକୁ ରକ୍ଷା କରିବା ପାଇଁ ଯଦି ଦରକାର ପଡ଼େ ଶହେ ଥର ନିଜ ପ୍ରାଣକୁ ଦେଇଦେବା ପାଇଁ ପ୍ରସ୍ତୁତ ଥାଏ, ତୁମେ ତାଙ୍କୁ କେବେ ସମ୍ମାନ ଦେଇଛ ? ଧନ୍ୟ ସେହି ମାଆ, ଯିଏ ତୁମ ଦୁଷ୍ଟତା ଉପରେ କେବେ ଧ୍ୟାନ ନ ଦେଇ ନିଜ ବାତ୍ସଲ୍ୟ ପ୍ରେମର ଅଖଣ୍ଡ ଧାରାରେ ତୁମକୁ ଆପ୍ୟାୟିତ କରୁଥାଏ। କିନ୍ତୁ ତୁମେ ତାଙ୍କୁ କେଉଁ ସ୍ଥାନ ଦେଇଛ ?
ସାଧାରଣ ସାଧାରଣ କଥାକୁ ନେଇ ବିବାହ ବିଚ୍ଛେଦ ପାଇଁ ନ୍ୟାୟାଳୟର କାଠଗଡ଼ାରେ ତୁମକୁ ଛିଡ଼ା କରାଉଥିବା ପତ୍ନୀଙ୍କ ଆଗରେ ତୁମ ମାଆର ସ୍ଥାନ କେଉଁଠି ? ହେ ଆମେରିକାର ସ୍ତ୍ରୀଗଣ, ତୁମେ ମାତୃତ୍ୱକୁ କିଭଳି ଦୁର୍ଦ୍ଦଶା କରି ରଖିଦେଇଛ !
ଅତି ଆଦରଣୀୟ ମାତୃତ୍ୱ ପାଇଁ ତୁମ ଦେଶରେ ଟିକେ ବି ସ୍ଥାନ ନାହିଁ। ମୋତେ ଏଠାରେ ଏପରି ଗୋଟେ ବି ପୁତ୍ର ମିଳିଲା ନାହିଁ, ଯାହା ମୁଖରୁ ମୁଁ ଶୁଣିଲି ମାଆର ଆସନ ସର୍ବୋଚ୍ଚ ସ୍ଥାନରେ। ମୋ ଦେଶରେ କୌଣସି ପୁତ୍ର ଚାହେଁ ନାହିଁ ଯେ ତାଙ୍କ ମାଆର ମୃତ୍ୟୁ ପରେ ତାଙ୍କର ସ୍ଥାନ ତାଙ୍କ ପତ୍ନୀ କିମ୍ବା ପୁତ୍ର ନେଉ। ବରଂ ଯଦି ମାଆ ସମ୍ମୁଖରେ ପୁତ୍ରର ମୃତ୍ୟୁ ହୋଇଯାଏ ତେବେ ସେ ପୁତ୍ର ଚାହେଁ ପୁଣିଥରେ ସେଇ ମାଆର କୋଳକୁ ଫେରିଆସିବା ପାଇଁ। କିନ୍ତୁ ତୁମ ଦେଶରେ ତା'ର ସ୍ଥାନ କୋଉଠି ?

କ'ଣ ସ୍ତ୍ରୀର ସଂଜ୍ଞା କିଛି ଭୌତିକ ଶରୀର ମାତ୍ର ?
ହିନ୍ଦୁ ମନ ସେହି ଆଦର୍ଶ ପାଖରେ ନ ଥାଏ ଯେଉଁଠି ଏହାକୁ କେବଳ ରକ୍ତ ମାଂସରେ ରଖା ଯାଇଛି। ନା, ନା, ହେ ଦେବୀ ! ତୁମର ମାଂସଳତା ସହ କୌଣସି ସମ୍ବନ୍ଧ ନାହିଁ - ତୁମେ କେବଳ ଶରୀର ନୁହଁ, ତା ଛଡ଼ା ବା ତା' ଠୁ ବଡ଼ ଆଉ କିଛି। ତୁମର ନାମ ତ ସର୍ବଦା ପଵିତ୍ରତାର ପ୍ରତୀକ ଭାବେ ରହି ଆସିଛି।
ବିଶ୍ୱରେ "ଜନନୀ" ନାମଠୁ ଅଧିକ ପବିତ୍ର ଓ ନିର୍ମଳ ଆଉ କେଉଁ ନାମ, ଯାହା ପାଖରେ ବାସନା ଓ ପାଶବିକ ତୃଷ୍ଣାର କୌଣସି ସ୍ଥାନ ନାହିଁ। ଏଇ ମାତୃତ୍ୱ ହିଁ ଭାରତୀୟ ନାରୀତ୍ବର ଆଦର୍ଶ।

କ୍ରମଶଃ...

୨. ୩. ୧୮

No comments: