ପୀଡ଼ାରୁ ସୃଷ୍ଟ ସମ୍ବେଦନାତ୍ମକ ଅନୁଭୁତିର ସକାରାତ୍ମକ ଅଭିବ୍ୟକ୍ତିକୁ ଶିବ ତତ୍ତ୍ୱରେ ପରୀକ୍ଷା କରି ବିଦ୍ୱାନଗଣ ଅନେକ ବିଚାର ପ୍ରଦାନ କରିଛନ୍ତି। ସନ୍ଥ ବିନୋବା ଭାବେ କହିଛନ୍ତି, କବି ସାରା ସୃଷ୍ଟିକୁ ଆତ୍ମୀୟତାର ଚାଦରରେ ଘୋଡେ଼ଇ ଦେଉ। ସୃଷ୍ଟିର ବୈଭବ ଦ୍ୱାରା ତାର ଆତ୍ମାକୁ ସଜାଉ। ଆତ୍ମାରେ ସଚରାଚାର ସୃଷ୍ଟି ଯଥା ବୃକ୍ଷ, କୀଟ, ପତଙ୍ଗ ଓ ଜଙ୍ଗଲ ଜନ୍ତୁଙ୍କ ମଧ୍ୟ ଅନୁଭବ କରୁ। ବିଶ୍ୱ ଆତ୍ମାରୂପ ଅଟେ ଓ ଆତ୍ମା ବିଶ୍ଵରୂପ ଅଟେ, ଏହା କବିର ଦୃଷ୍ଟିକୁ ଆସୁ।
ସାହିତ୍ୟିକର ବ୍ୟକ୍ତିଗତ ବିଚାର ବୁଦ୍ଧି, ଶାସ୍ତ୍ର ଜ୍ଞାନ, ନିରପେକ୍ଷ ଦୃଷ୍ଟି ଏବଂ ତା ଦ୍ୱାରା ଶିବତ୍ୱର ଉପଲବ୍ଧି ଶ୍ରେଷ୍ଠ ସାହିତ୍ୟ ସର୍ଜନାର ଆଧାର ହୁଏ। ବ୍ୟକ୍ତି ସେ ପର୍ଯ୍ୟନ୍ତ ସାହିତ୍ୟିକ ବା କବି ହୋଇପାରନ୍ତି ନାହିଁ ଯେପର୍ଯ୍ୟନ୍ତ ସେ ନିଜକୁ ମାନବୀୟ ମୁଲ୍ୟବୋଧରେ ବିଭୂଷିତ ନ କରିଛନ୍ତି, ତାଙ୍କର ସମ୍ବେଦନାତ୍ମକ ଦୃଷ୍ଟିକୋଣ ନ ହୋଇଛି, ତ୍ୟାଗ ତପସ୍ୟାର ଜୀବନ ତାଙ୍କ ଅଙ୍ଗ ନ ହୋଇଛି, ତାଙ୍କ ଉପରେ ପ୍ରକୃତି ପ୍ରଦତ୍ତ ସର୍ଜନ ଚେତନା ପ୍ରାପ୍ତ ନ ହୋଇଛି। ଏହା ନ ହେଲେ ତାଙ୍କ ଦ୍ୱାରା ରଚିତ ସାହିତ୍ୟ ପରମାର୍ଥର ଭାବନା ଛାଡ଼ି ଇତର ଭୌତିକ ବ୍ୟବସାୟିକତାର ଭଉଁରୀରେ ନିଜର ବିନାଶ କରିବା ସହ ସମାଜକୁ ମଧ୍ୟ ଦିଗଭ୍ରମିତ କରିବ।
ସାହିତ୍ୟର ସାମର୍ଥ୍ୟ ଅତୁଳନୀୟ। ଏହା ସମାଜର ହିତ ସାଧନ କରିପାରେ। କିନ୍ତୁ ଏଇ ସମର୍ଥ୍ୟକୁ ବିପରୀତ ଦିଗରେ ପ୍ରୟୋଗ କଲେ ବା ସଂସ୍କାର ବିହୀନ ସାହିତ୍ୟ ସର୍ଜନା ହେଲେ ଏହା ସମାଜର ବିବିଧରୂପୀ ଅହିତ ସାଧନ କରେ। କହିବା ବାହୁଲ୍ୟ ଯେ ଏପରି ସର୍ଜକ ପ୍ରୟୋଜନହୀନ ତଥା ସାମର୍ଥ୍ୟହୀନ ସାହିତ୍ୟ ସର୍ଜନା କରନ୍ତି। ଏପରି ଆତ୍ମଘୋଷିତ ସାହିତ୍ୟିକ ନିଜକୁ ପ୍ରଗତିଶୀଳ କୁହନ୍ତି ଓ ନିଜ ସାହିତ୍ୟକୁ ମଧ୍ୟ ପ୍ରଗତିଶୀଳ ସାହିତ୍ୟର ମୁଖା ପିନ୍ଧାଇ ଦିଅନ୍ତି।
କ୍ରମଶଃ...
୨୦. ୩. ୧୮

No comments:
Post a Comment