Wednesday, 28 March 2018

*ଆନନ୍ଦମଠ-୩*

ଆନନ୍ଦମଠ ଉପନ୍ୟାସର ପ୍ରଥମ ଖଣ୍ଡର ଚତୁର୍ଥ ପରିଶିଷ୍ଟରେ ଶୁଭ୍ର ଶରୀର, ଶ୍ୱେତ କେଶ, ଶୁଭ୍ର ଦାଢ଼ି, ଶ୍ୱେତ ବସ୍ତ୍ରରେ ମହାଶରୀର ମହାମୁନି ବୀଣା ହାତରେ ନେଇ ଚନ୍ଦ୍ରମାରେ ପ୍ରଦୀପ୍ତ ନୀଳାକାଶର ପଥରେ ଗାଉ ଥିଲେ 'ହରେ କୃଷ୍ଣ ମୁରାରେ ମଧୁକୈଟଭାରେ'। ପ୍ରଥମ ଖଣ୍ଡର ଦଶମ ପରିଶିଷ୍ଟରେ ଭବାନନ୍ଦ ଦ୍ୱାରା 'ବନ୍ଦେ ମାତରମ' ଗୀତ ପୂରା ବୋଲାଗଲା। ମହେନ୍ଦ୍ରକୁ ବୁଝାଇବାକୁ ଯାଇ ଭବାନନ୍ଦ କହୁଛନ୍ତି - "ଆମେ ଆଉ କୌଣସି ମାଆକୁ ମାନୁ ନାହୁଁ। ଆମ ପାଇଁ ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ। ଆମେ ଜନ୍ମଭୂମିକୁ ହିଁ ମାଆ କହୁ। ଆମର ଆଉ କୌଣସି ମାଆ ନାହିଁ, ବାପା ନାହିଁ, ଭାଇ ନାହିଁ, ଭଉଣୀ ନାହିଁ, ମିତ୍ର ନାହିଁ, ସ୍ତ୍ରୀ-ପୁରୁଷ ନାହିଁ, ଘର ଦ୍ୱାର ନାହିଁ, ଆମ ପାଇଁ ଏକ ମାତ୍ର ସେଇ ସୁଜଳା, ସୁଫଳା, ମଳୟଜ ଶୀତଳା, ଶସ୍ୟଶ୍ୟାମଳା ମାଆ...।"
ପରିଶିଷ୍ଟ ଏଗାରରେ 'ଆନନ୍ଦମଠ' ନାମକ ସ୍ଥାନରେ ସ୍ଥିତ ଦେବାଳୟର ଅଭ୍ୟନ୍ତର ପ୍ରକୋଷ୍ଠକୁ ମହେନ୍ଦ୍ର ଦେଖୁଛି - "ସେଠାରେ ଏକ ପ୍ରକାଣ୍ଡ ଚତୁର୍ଭୁଜ ମୂର୍ତ୍ତି ସ୍ଥାପିତ ହୋଇଛି। ଶଙ୍ଖ ଚକ୍ର ଗଦା ପଦ୍ମ ସହିତ ସେହି ମୂର୍ତ୍ତିର ବକ୍ଷରେ ମଣି ସୁଶୋଭିତ ଅଛି ଓ ସମ୍ମୁଖରେ ଚକ୍ର ଏପରି ସ୍ଥାପିତ ହୋଇଛି ଯେ ଏହା ସର୍ବଦା ଘୁରୁଥିବା ଭଳି ଜଣାପଡୁଛି। ମଧୁକୈଟଭ ସ୍ୱରୂପ ବଡ଼ ବଡ଼ ଦୁଇଟି ଛିନ୍ନ ମସ୍ତକ ଲାଲ ରଙ୍ଗରେ ରଙ୍ଗୀତ ହୋଇ ଏପରି ରଖା ଯାଇଛି, ସତେ ଯେପରି ସେଥିରୁ ରକ୍ତର ଧାର ବହିଯାଉଛି। ବାମପଟେ ଲକ୍ଷ୍ମୀଙ୍କ ମୂର୍ତ୍ତି ଅଛନ୍ତି ଯାହାଙ୍କ କେଶ ଅଲରା ହୋଇ ପଡ଼ିଛି, ଯିଏ ଶହେ ନର ମୁଣ୍ଡର ମାଳ ପିନ୍ଧିଛନ୍ତି, ସେ ଭୀତ ତ୍ରସ୍ତ ହୋଇ ଛିଡ଼ା ହୋଇଛନ୍ତି। ଡାହାଣ ପଟେ ସରସ୍ବତୀଙ୍କ ମୂର୍ତ୍ତି ବିରାଜମାନ କରୁଛନ୍ତି, ଯିଏ ପୁସ୍ତକ, ବୀଣା, ଆଦି ଧରିଛନ୍ତି। ବିଷ୍ଣୁଙ୍କ ଅଙ୍ଗରେ ଏକ ମୋହିନୀ ମୂର୍ତ୍ତି ଅଛନ୍ତି ଯିଏ ଲକ୍ଷ୍ମୀ ସରସ୍ବତୀଙ୍କ ଠାରୁ ମଧ୍ୟ ଅଧିକ ଆକର୍ଷକ ଓ ଐଶ୍ୱର୍ଯ୍ୟମୟୀ। ଗନ୍ଧର୍ବ, କିନ୍ନର, ଯକ୍ଷ, ଦେବ, ରାକ୍ଷସ ଆଦି ତାଙ୍କର ପୂଜା କରୁଛନ୍ତି। ବ୍ରହ୍ମଚାରୀ ଗମ୍ଭୀର ଆବାଜରେ ମହେନ୍ଦ୍ରକୁ ପଚାରୁଛନ୍ତି -
"ସବୁ ଦେଖି ପାରୁଛ ?

ମହେନ୍ଦ୍ର - ହଁ।

ବ୍ରହ୍ମଚାରୀ - ବିଷ୍ଣୁଙ୍କ ଅଙ୍ଗରେ କଣ ଅଛି ଦେଖୁଛ ?

ମହେନ୍ଦ୍ର - ହଁ ଦେଖୁଛି ଯେ କିନ୍ତୁ କିଛି ଜାଣି ପାରୁନି।

ବ୍ରହ୍ମଚାରୀ - ମାଆ।

ମହେନ୍ଦ୍ର - ମାଆ, କୋଉ ମାଆ ?

ବ୍ରହ୍ମଚାରୀ - ଆମେ ଯାହାଙ୍କ ସନ୍ତାନ।

ମହେନ୍ଦ୍ର - ଏ ମାତା କିଏ ?

ବ୍ରହ୍ମଚାରୀ -
ସମୟ ସବୁ ବୁଝାଇ ଦେବ।
କୁହ, ବନ୍ଦେ ମାତରମ।
ଏବେ ଚାଲ, ଆଗକୁ ଯିବା।

କ୍ରମଶଃ....

୨୮. ୩. ୧୮

No comments: