ବିବେକପୂର୍ଣ୍ଣ ବିଚାର ଦ୍ୱାରା ସାହିତ୍ୟର ସୃଜନ ହୁଏ। ସାହିତ୍ୟ ନିୟମଗୁଡ଼ିକୁ ଶବ୍ଦ ଓ ଅର୍ଥ ଦେବାରେ ସହଯୋଗ କରିଥାଏ। ନ୍ୟାୟାଧୀଶ ମଧ୍ୟ ସାହିତ୍ୟ ସଂସାରର ଉପଜ ଅଟନ୍ତି, ଯିଏ କି ସମସ୍ୟା ସମାଧାନ ପାଇଁ ନିର୍ଣ୍ଣୟ ଦେଇଥାନ୍ତି।
ଭାରତ ସଂସ୍କୃତି ଦୃଷ୍ଟିରୁ ହେଉ ବା ରାଷ୍ଟ୍ର ଦୃଷ୍ଟିରୁ ହେଉ ଏହା ସନାତନ ଅଟେ, ସତ୍ୟ ଅଟେ, ଚିରଞ୍ଜିବି ଅଟେ ଓ ଯୁଗାନୁକୂଳ ଅଟେ। ଅନେକ ଅବତାର ଏଠାରେ ଜନ୍ମ ନେଇଛନ୍ତି। ନିଜ ସମୟରେ ସେମାନେ ଧର୍ମ ସ୍ଥାପନା କରିଯାଇଛନ୍ତି। ତଥାପି ସମସ୍ୟା ରହିଛି। ଆଶାର କଥା ହେଉଛି ସମସ୍ୟାର ସମାଧାନ ପାଇଁ ବିବିଧ ଉପାୟ ସୂତ୍ରବଦ୍ଧ ଭାବେ ବିବିଧ ସାହିତ୍ୟରେ ରହିଛି। ଏଠାରେ ଯଦି ଅକଳ୍ପନୀୟ ତଥା ମାନବେତ୍ତର ସମସ୍ୟା ଆସେ ତେବେ ଏହାର ସମାଧାନ ପାଇଁ ବେଦ ରହିଛି। ଅର୍ଥାତ ଏଭଳି ସମସ୍ୟାର ସମାଧାନ ବେଦରୁ ମିଳିଯାଏ। ମନୁଷ୍ୟକୃତ ବା ମନୁଷ୍ୟ ବୁଦ୍ଧିରୁ ସମସ୍ୟା ଯଦି ଉପୁଜେ ତେବେ ଏହାର ସମାଧାନ ପାଇଁ ଶାସ୍ତ୍ର ରୂପୀ ସାହିତ୍ୟର ସର୍ଜନା ହୋଇଛି। ଯଦି ସମସ୍ୟା ନାଗରିକ ମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ଯେପରି ଧାର୍ମିକ ଉଗ୍ରତା, ଜାତିଭେଦ, ସ୍ତ୍ରୀ ଶୋଷଣ, ଘୋର ହିଂସା ...
ସେତେବେଳେ ସନ୍ଥ ସାହିତ୍ୟ ଜନ୍ମ ନେଇଛି।
ଏବେ ଭାରତରେ ଯେଉଁ ଭୟଙ୍କର ସମସ୍ୟା ଛିଡ଼ା ହୋଇଛି ତାହା ହେଲା ବ୍ୟକ୍ତି ବ୍ୟକ୍ତି ଭିତରେ ଚରିତ୍ରର ଘୋର ପତ୍ତନ, ଧାର୍ମିକ ଅନ୍ଧତା, ନିଜକୁ ଅଲଗା ଦେଖାଇବାର ଅସାମ୍ବିଧାନିକ ସାମ୍ପ୍ରଦାୟିକତା, ରାଷ୍ଟ୍ରୀୟତାର ଭାବନାର ଘୋର ଅଭାବ, ଅନେକ ରୂପର ଆତଙ୍କବାଦ, ସୀମାରେ ଅଘୋଷିତ ଯୁଦ୍ଧ।
ଏହାର ସମାଧାନ ପାଇଁ ବଡ଼ ବଡ଼ ଆନ୍ଦୋଳନ, ଟିଭିରେ ହେଉଥିବା ତର୍କ, ନ୍ୟାୟାଳୟର ନିର୍ଣ୍ଣୟ, ବର୍ଦ୍ଧିତ ଜନ ସଂଖ୍ୟା ଦ୍ଵାରା ବଢୁଥିବା ଗରିବିକୁ ଦୂର କରିବା ପାଇଁ ବିବିଧ ଯୋଜନା - ଏ ସବୁ ପ୍ରଭାବକାରୀ ହୋଇପାରୁ ନ ଥିବା ପରିଲକ୍ଷିତ ହେଉଛି।
ତେବେ ଏ ସମସ୍ୟାର ସମାଧାନ କିପରି ହେବ ?
ଆମେ ଯଦି ସାହିତ୍ୟ କଥା ବିଚାର କରିବା ତେବେ ଏହା କେବଳ ଶବ୍ଦ ସଂଯୋଜନା ମାତ୍ର ନୁହେଁ। ନା ଏହା ଜ୍ଞାପନ, ବିଜ୍ଞାପନ ପ୍ରଚାର ଲେଖନ, ସଙ୍କଳନ ବା ମତବାଦର ଛନ୍ଦାଙ୍କନ। ସାହିତ୍ୟ ତ ସମସ୍ତଙ୍କ ହିତ କଥା କହେ।
ଆଜିକାଲି ହିତ ଶବ୍ଦକୁ ମଧ୍ୟ ସମସ୍ତେ ବାଣ୍ଟି ନେଲେଣି। ନିଜ ହିତ, ବର୍ଗୀୟ ହିତ, ଶତ୍ରୁ ହିତ.... ଘୋର ଛଦ୍ମ ସ୍ୱାର୍ଥ ହିତ। ଏପରି ଲେଖାଯାଉଥିବା ସାହିତ୍ୟ କିଛି ବର୍ଗଙ୍କ ପାଇଁ ସାହିତ୍ୟ ହୋଇପାରେ କିନ୍ତୁ ଏହା ରାଷ୍ଟ୍ରୀୟ ସ୍ତରରେ ସ୍ବୀକାରଯୋଗ୍ୟ ହେବ ନାହିଁ।
ବିବିଧତାରେ ଭରା ସମାଜ ଓ ଲୋକତନ୍ତ୍ରଯୁକ୍ତ ଶାସନରେ ଯେଉଁ ସବୁ ପ୍ରଜାଙ୍କ ସଙ୍ଗଠିତ ରୂପ ଅଛି, ସେମାନଙ୍କର ମୌଳିକତା, ମୂଳ ଆବଶ୍ୟକତା, ମୂଳ ସମାନତା ଓ ସମସ୍ତଙ୍କ ପାଇଁ ଆବଶ୍ୟକ ହେଉଥିବା ବିଷୟ, ସେମାନଙ୍କ ଉନ୍ନତି ପାଇଁ ସ୍ଥାନ କାଳ ପାତ୍ରର ଚିନ୍ତା କରି ଯେଉଁ ଭାବ ସନ୍ଦେଶ ଯୁକ୍ତ ଲେଖନ ଲେଖାଯାଇଥାଏ ତାହା ହିଁ ସାହିତ୍ୟ। ଏଥିରେ ସମସ୍ତଙ୍କ ଭାବ ଭାବନା ଓ ସୁଖ ଦୁଃଖର ଗାଥା ଗୁନ୍ଥିତ ହୋଇଥାଏ ଯାହା ରାଷ୍ଟ୍ରୀୟତାର ସ୍ୱରରେ ଜନମାନସରେ ଗୁଞ୍ଜରିତ ହେଉଥାଏ। ସାହିତ୍ୟ ସିଏ ଯିଏ ପ୍ରଶ୍ନ ଉଠାଏ ଓ ତାର ଉତ୍ତର ବି ଖୋଜେ ବ୍ୟବସ୍ଥାର କୌଣସି କ୍ଷତି ନ କରି। ଏଭଳି ସାହିତ୍ୟ ସମସ୍ୟାକୁ ଦୂର କରିବାରେ ଶସ୍ତ୍ର ଭଳି କାର୍ଯ୍ୟ କରିଥାଏ। ସମସ୍ୟାର ସମାଧାନ ହୋଇଯିବା ପରେ ଶାସ୍ତ୍ର ହୋଇଯାଏ ଏହି ସାହିତ୍ୟ।
କ୍ରମଶଃ...
୨୩. ୩. ୧୮

No comments:
Post a Comment