ଆଜିର ସାହିତ୍ୟ ବହୁ ଶାଖା ପ୍ରଶାଖାଯୁକ୍ତ ଯାହା କାବ୍ୟ ସହିତ ଗଦ୍ୟ, ନାଟକ, କାହାଣୀ, ଉପନ୍ୟାସ, ବ୍ୟଙ୍ଗ ଆଦି ମାଧ୍ୟମରେ ନିଜ କ୍ଷମତା ବା ସାମର୍ଥ୍ୟ ସିଦ୍ଧ କରିବାରେ ସଫଳ ହୋଇଛି। ତଥାପି ଆଜିର ସାହିତ୍ୟ ବିଭିନ୍ନ ବିଚାରଧାରାର, ବାଦ ବିବାଦର ପକ୍ଷ ନେଇ ସଙ୍କଟାପନ୍ନ। ସେଥିରୁ ମୁକ୍ତ ହେବାର ଉପାୟ ଖୋଜୁଛି। କାବ୍ୟର ରୂପ ଓ ପରିଭାଷା ବଢୁଥିବା ସୌଖିନ ଭୌତିକତାରେ ପ୍ରଭାବିତ ହୋଇ ନିଜ ନିଜ ଢଙ୍ଗରେ ରଙ୍ଗାୟିତ ହେଉଛି। ତାହା ସାହିତ୍ୟର କ୍ଷମତା ବା ସାମର୍ଥ୍ୟର ମୂଳ ଭାବନା ଠାରୁ ଦୂରେଇ ଯାଉଛି। କବିତାର ଛନ୍ଦ ବା ରସସିକ୍ତ ସ୍ଵରୂପ ଗଦ୍ୟ କବିତା ନାମରେ ପ୍ରସ୍ତୁତ କରି ପାଠକ ତଥା ଶ୍ରୋତା ମାନଙ୍କମଧ୍ୟରେ ଅରୁଚି ନିର୍ମାଣ କରାଯାଉଛି। ଯେଉଁ ବ୍ୟକ୍ତି ଭିତରେ କାବ୍ୟ ସର୍ଜନା କରିବାର କ୍ଷମତା ନାହିଁ ସେ ଅଯଥା ଯଶ ସାଉଁଟିବା ପାଇଁ ଗଦ୍ୟ କବିତାର ମୁଖା ପିନ୍ଧି ରସମୟୀ ଛାନ୍ଦ କବିତାର ଅପୂରଣୀୟ କ୍ଷତି କରୁଛି। ପ୍ରକୃତ କ୍ଷମତାବାନ କବି ଓ କବୀମାନଙ୍କ ଆଗରେ ଏହା ଏକ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।
ମୂଳ ପ୍ରଶ୍ନ ହେଉଛି ସାହିତ୍ୟ କଣ ? ଏହାର ପ୍ରୟୋଜନାତ୍ମକ ତତ୍ତ୍ୱ କଣ ? ଏହାର ଆବଶ୍ୟକତା କେଉଁଥିପାଇଁ ?
ସମ୍ବେଦନଶୀଳ ଅନୁଭୂତିର ସାର୍ଥକ ଅଭିବ୍ୟକ୍ତି ହେଉଛି ସାହିତ୍ୟ। ଯାହା ସମାଜ ପାଇଁ ହିତ ସାଧନ କରୁଥିବ ତଥା ସମାଜ ପାଇଁ ପ୍ରେରଣାଦାୟୀ ହୋଇଥିବ। ଶିବତ୍ୱର ଅଭିବ୍ୟକ୍ତି ହେଉଛି ସାହିତ୍ୟର ଆତ୍ମା। ଯାହା ବିନା ସାହିତ୍ୟ ନିଷ୍ପ୍ରାଣ ହୋଇଯିବ। ଆଧୁନିକ ବିଜ୍ଞାନ କହୁଛି ସାହିତ୍ୟ ହେଉଛି ସମାଜର ଦର୍ପଣ।
କେବଳ ଦର୍ପଣରେ ସାହିତ୍ୟକୁ ସୀମିତ ରଖିଲେ ହେବ ନାହିଁ। ସାହିତ୍ୟ ମଧ୍ୟ ସମାଜର ଚକ୍ଷୁ ଓ କର୍ଣ୍ଣ। ସାହିତ୍ୟ ସର୍ଜକ ସମାଜରେ ଘଟିଯାଉଥିବା ସ୍ଥିତି ପରିସ୍ଥିତିକୁ ଦେଖି ଶୁଣି ତାର ସମଷ୍ଟିଗତ ଚିନ୍ତନ ମନନ କରିବା ପରେ ସମାଜର ପ୍ରତିନିଧି ଭାବେ ସେ ସମାଜ ହିତକାରୀ ଅଭିବ୍ୟକ୍ତି ପ୍ରସ୍ତୁତ କରିଥାଏ। ଏହା ସାହିତ୍ୟର ଧର୍ମ ଓ ଏହା ମଧ୍ୟ ସାହିତ୍ୟର କର୍ମ। ଏଇ କାମ ପାଇଁ ସାହିତ୍ୟିକଙ୍କୁ ସମାଜ ଶ୍ରଦ୍ଧା କରିଥାଏ।
କ୍ରମଶଃ....
୧୯. ୩. ୧୮

No comments:
Post a Comment