ଦେଶପ୍ରେମ, ଦେଶଭାଷା, ଭାରତମାତା, ସଂସ୍କୃତି, ଦେଶର ଅଵଧାରଣା, ବନ୍ଦେ ମାତରମର ଭାବନା ଏସବୁ ଏଇ ବୁଦ୍ଧିଜୀବୀଙ୍କ ପାଇଁ ଉଦ୍ଭଟ କଥା ହୋଇପାରେ, କିନ୍ତୁ ୫୦୦ ବର୍ଷ ପୂର୍ବେ ହଳଦୀଘାଟିର ଯୁଦ୍ଧରେ ଏଇ ଭାବ ଚରମ ଅବସ୍ଥାରେ ଥିଲା।
ସେହି ଯୁଦ୍ଧରେ ୫୦୦୦ ରାଜକୁମାରଙ୍କ ବଳିଦାନ ଏମାନଙ୍କ ପାଇଁ ଅଫିମ ଖିଆ ଓ ଅନ୍ଧଭକ୍ତି ହୋଇପାରେ।
ଚିତ୍ତୋଡ଼ ଗଡ଼ର କିଲା ଭିତରେ ତିନି ଥର କରାଯାଇଥିବା ଜୌହର ଏହି ଆଧୁନିକ ବୁଦ୍ଧିଜୀବୀଙ୍କ ଚତୁର ଦୃଷ୍ଟିରେ ମୁଢ଼ତା କୁହା ଯାଇପାରେ।
ଚିତ୍ତୋଡ଼ ପାଇଁ ବଣ ଜଙ୍ଗଲରେ ଦିନ କାଟିଥିବା ମହାରାଣା ପ୍ରତାପ ଏମାନଙ୍କ ଦୃଷ୍ଟିରେ କଣ ହେବେ ଜଣା ନାହିଁ, କିନ୍ତୁ ୧୮୫୭ ର ସ୍ୱାଧୀନତା ସଂଗ୍ରାମରେ ଇଂରେଜଙ୍କୁ ନାକେଦମ କରିଦେଇଥିବା ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଇ, ଇଂରେଜଙ୍କ ଅଧୀନତା ସ୍ୱୀକାର ନ କରିବା ଦ୍ୱାରା ୮୦ ବର୍ଷ ବୟସରେ ଗୁଳି ମାଡ଼ ଖାଇଥିବା ଓ ହାତକୁ କାଟି ଗଙ୍ଗାରେ ଫିଙ୍ଗି ଦେବାପରେ ମଧ୍ୟ ଯୁଦ୍ଧରତ ବାବୁ କୁଅଁର ସିଂହଙ୍କ ଭିତରେ ସ୍ୱାଧୀନତାର ବହ୍ନି ଜଳୁଥିଲା।
ଏହାକୁ ହିଁ ଦେଶଭକ୍ତି କହନ୍ତି।
ଏଇ ଲମ୍ବା ଲଢ଼େଇକୁ ନେଇ ସ୍ୱାଧୀନତାର କାହାଣୀ ଲେଖା ଯାଇଛି।
ଯଦି ସ୍ୱାମୀ ବିବେକାନନ୍ଦଙ୍କ ସ୍ୱାଧୀନ ଚେତନା, ମହର୍ଷି ଅରବିନ୍ଦ, ସୁଭାଷ ବୋଷଙ୍କ ସ୍ୱାଧୀନତା ଚିନ୍ତନ, କ୍ରାନ୍ତିକାରୀଙ୍କ ବଳିଦାନ ଏଇ ବୁଦ୍ଧିଜୀବୀଙ୍କ ଭିତରେ ଆସିଥାନ୍ତା !
ଯଦି ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହ, ରାମ ପ୍ରସାଦ ବିସମିଲ, ରାଜଗୁରୁ, ସୁଖଦେଵ, ଆଶଫାକ ଉଲ୍ଲା ଖାଁଙ୍କ ଦେଶଭକ୍ତି ଏମାନଙ୍କ ଭିତରେ ଆସିଥାନ୍ତା !
ତେବେ ଏମାନେ ଅସହିଷ୍ଣୁତାର ମିଥ୍ୟା ପ୍ରଚାର କରି ନ ଥାନ୍ତେ। ପୁରସ୍କାର ଫେରାଇବା, ବନ୍ଦେ ମାତରମ ଓ 'ଭରତମାତା କୀ ଜୟ'ର ବିରୋଧ କରି ନ ଥାନ୍ତେ।
କିନ୍ତୁ ଏମାନଙ୍କର ଏ ବୁଦ୍ଧି ବାମ।
ଏହା ଦେଶକୁ ଗୋଲାମୀ କରିବାର ଷଡ଼ଯନ୍ତ୍ର ନୁହେଁ ତ ?
ରାଷ୍ଟ୍ର ଶବ୍ଦ ଶୁଣିଲେ ଏମାନଙ୍କ ହୃଦୟରେ କମ୍ପନ କାହିଁକି ସୃଷ୍ଟି ହେଉଛି ?
କ'ଣ ଏହି ଦୃଢ଼ତା ଏମାନଙ୍କୁ ଇନ କ୍ଲବ ଜିନ୍ଦା ବାଦ ନାରା ଦେଇଥିବା ଭଗତ ସିଂହ ଦେଇଛନ୍ତି ?
ନା, କେବେ ନୁହେଁ। ସ୍ୱପ୍ନରେ ସୁଦ୍ଧା ଏଭଳି ଚିନ୍ତା ଭଗତ ସିଂହ କରି ନ ଥିବେ। ଜାଲିଆନାୱାଲାବାଗର ନରହତ୍ୟା ଶିଶୁ ଭଗତସିଂହଙ୍କ ହୃଦୟରେ ଦେଶଭକ୍ତିର ବହ୍ନିକୁ ତେଜି ଦେଇଥିଲା। ସେ ସେଠି ବଜ୍ର ଶପଥ କରିଥିଲେ ଇଂରେଜ ଶାସନକୁ ସମାପ୍ତ କରିବା ପାଇଁ।
ସେ ନିଛକ ଦେଶଭକ୍ତ ଥିଲେ।
କିନ୍ତୁ ଏଇ ବାମବାଦୀ ନିଜକୁ ଦେଶଭକ୍ତ କମ୍ ଓ କମ୍ରେଡ଼ କହିବା ଅଧିକ ପସନ୍ଦ କରନ୍ତି।
କଣ ଏହି ବାମପନ୍ଥୀ ବିଚାର ପାଇଁ ଭଗତ ସିଂହ ଫାଶୀ ଖୁଣ୍ଟକୁ ଆଲିଙ୍ଗନ କରିଥିଲେ ?
'ଜେ. ଏନ. ୟୁ'ରେ ଦେଶ ବିରୋଧୀ ନାରା !
କ'ଣ ପାଇଁ ?
ପ. ନେହେରୁଙ୍କ ଡିସ୍କଭରୀ ଅଫ ଇଣ୍ଡିଆ କେବେ ପଢ଼ିଛ ?
ସ୍ଵଭାବତଃ ସହିଷ୍ଣୁ ଦେଶଟା ଏମାନଙ୍କୁ ଅସହିଷ୍ଣୁ ଦେଖାଯାଉଛି ।
ମାର୍କ୍ସବାଦୀ ରାମ ବିଳାସ ଶର୍ମା ଲେଖିଥିବା ଆର୍ଯ୍ୟଙ୍କ ବିଷୟରେ ଗବେଷଣା, ହିନ୍ଦୀ ପ୍ରଦେଶର କଳାତ୍ମକ ଅଭିବ୍ୟକ୍ତି, ସହ ଅସ୍ତିତ୍ୱର ଭାବ, ଉଦାର ଚିନ୍ତନ ଓ କରୁଣାରେ ପୂରିତ ମନ ଏ ସବୁ ଏଇ ମାର୍କ୍ସ ସନ୍ତାନମାନେ ଭୁଲିଗଲେଣି। ମାର୍କ୍ସବାଦର ଅନପେକ୍ଷିତ ଜୀବାଣୁ ଏମାନଙ୍କ ମୁଣ୍ଡକୁ ଗୋଳମାଳ କରିଦେଇଛି।
କ୍ରମଶଃ...
୧୦. ୩. ୧୮

No comments:
Post a Comment