ନିଜର ଚଉଦଟି ଉପନ୍ୟାସ ଭିତରୁ ଶେଷ ତିନିଟି ଉପନ୍ୟାସ ଯଥା - ଆନନ୍ଦମଠ(୧୮୮୨), ଦେବୀ ଚୌଧୁରାଣୀ(୧୮୮୪) ଓ ସୀତାରାମ(୧୮୮୭) ଲେଖି ପ୍ରସିଦ୍ଧ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ ଦେଶପ୍ରେମ ଓ ରାଷ୍ଟ୍ରୀୟ ଭାବନାକୁ ଉଜାଗର କରିବାର ସଫଳ ଚେଷ୍ଟା କରିଥିଲେ। "ଆନନ୍ଦମଠ" ଏଇ ଶ୍ରେଣୀର ପ୍ରଥମ ଉପନ୍ୟାସ। ଏହା ସ୍ୱାଧୀନତା ସଂଗ୍ରାମର ଜୀବନ ବେଦ। ଏ ପର୍ଯ୍ୟନ୍ତ ଏହାର ହିନ୍ଦୁତ୍ୱର ସ୍ୱର ଓ ଏଥିରେ ସଂଯୋଜିତ "ବନ୍ଦେ ମାତରମ" ଗୀତକୁ ନେଇ ଏତେ ବିବାଦ ହୋଇଛି ଯେ ବିଶ୍ୱ ସାହିତ୍ୟରେ ଏପରି ଦ୍ଵିତୀୟ ଉଦାହରଣ ମିଳିବ ନାହିଁ। "ଆନନ୍ଦମଠ" ଭାରତର ପ୍ରଥମ ରାଜନୈତିକ ଉପନ୍ୟାସ ଅଟେ। ଏହାର ପ୍ରସିଦ୍ଧି "ବନ୍ଦେ ମାତରମ" (୧୮୭୬) ଗୀତ ପାଇଁ ହୋଇଛି ଯାହା କି ଏଇ ଉପନ୍ୟାସର ମୂଳ ସନ୍ଦେଶ ଅଟେ। ଔପନ୍ୟାସିକଙ୍କ ଆଶା ଅନୁରୂପ ପରବର୍ତ୍ତୀ ସମୟରେ ଦେଶର ଲୋକମାନେ ଏଇ ଗୀତକୁ ଗାଇ ଦେଶପ୍ରେମରେ ଉନ୍ମତ୍ତ ହୋଇ ଉଠିଲେ। ୧୯୦୫ର ବଙ୍ଗ-ଭଙ୍ଗ ବିରୋଧରେ ହୋଇଥିବା ଆନ୍ଦୋଳନରେ ଏହି ଗୀତ ସମଗ୍ର ବଙ୍ଗ ପ୍ରଦେଶର ଜନତାଙ୍କ କଣ୍ଠରେ ଗୁଞ୍ଜି ଉଠିଲା। ଏହାପରେ ରାଷ୍ଟ୍ରୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଗତି ପାଇଁ ସମଗ୍ର ଭାରତ ଏଇ ଗୀତକୁ ରାଷ୍ଟ୍ରଗାନ ରୂପେ ଆପଣେଇ ନେଇଥିଲା। ସ୍ୱାଧୀନତା ମିଳିବା ଯାଏ ଏହା ରାଷ୍ଟ୍ର ଗୀତ ଥିଲା। ସ୍ୱାଧୀନତା ମିଳିବା ପରେ ମଧ୍ୟ ଭାରତୀୟ ସମ୍ବିଧାନରେ ଏହାକୁ ରାଷ୍ଟ୍ରଗୀତର ମର୍ଯ୍ୟାଦା ଦିଆ ଯାଇଛି।
କ୍ରମଶଃ...
୨୬. ୩. ୧୮

No comments:
Post a Comment