ଭାରତ ମାତା କୀ ଜୟ, ସ୍ୱାଧୀନତା ମୋର ଜନ୍ମସିଦ୍ଧ ଅଧିକାର, ଇଂରେଜ ଭାରତ ଛାଡ଼ - ଏଇଭଳି କେତୋଟି ଜୟ ଘୋଷ ସେତେବେଳେ ସ୍ୱାଧୀନତା ସଂଗ୍ରାମୀମାନେ ଦେଉଥିଲେ। ପରାଧୀନତାର ଶୃଙ୍ଖଳରୁ ଦେଶ କେବେ ସ୍ୱାଧୀନ ହେବ - ଏଇ ଚିନ୍ତା ସମସ୍ତଙ୍କ ମନରେ ଥିଲା। ଯେକୌଣସି ଉପାୟରେ ହେଉ ଦେଶକୁ ସ୍ଵାଧୀନ କରିବାକୁ ପଡ଼ିବ। ଏଥିପାଇଁ ଦେଶବାସୀ କିଛି ବି କରିଦେବାକୁ ପ୍ରସ୍ତୁତ ଥିଲେ। ନରମ ଦଳ ହେଉ କି ଚରମ ଦଳ, ସମସ୍ତେ ନିଜ ନିଜ ଶୈଳୀରେ ଦେଶ ସ୍ଵାଧୀନ ପାଇଁ ଲାଗିଥିଲେ। ସୁବାସ ବାବୁ ନାରା ଦେଲେ ଜୟ ହିନ୍ଦ, ଓ 'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି।'
ସେତେବେଳେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସାମ୍ବାଦିକ ଶ୍ରୀ ଗଣେଶ ଶଙ୍କର ବିଦ୍ୟାର୍ଥୀ ନିଜ ଖବରକାଗଜ 'ପ୍ରତାପ'ର ସମ୍ପାଦନା ମାଧ୍ୟମରେ ଦେଶବାସୀଙ୍କୁ ଜାଗ୍ରତ କରୁଥିଲେ। ଦେଶାତ୍ମବୋଧରେ ଓତଃପ୍ରୋତ ଥିଲା ଏଇ ଖବରକାଗଜର ପୃଷ୍ଠାଗୁଡ଼ିକ।
କିନ୍ତୁ ତାଙ୍କ ମନ ଦୁଃଖ ଥିଲା । କାରଣ ଏତେ ଗୁଡ଼ିଏ ସ୍ଲୋଗାନ ଭିତରୁ ଗୋଟିଏ ବି ସ୍ଲୋଗାନ କିମ୍ବା ଗୀତ ଜାତୀୟ ପତାକା ଉପରେ ନ ଥିଲା।
ଥରେ ବିଦ୍ୟାର୍ଥୀ ଓ ତାଙ୍କ ପତ୍ନୀ ନିଜ ଘରେ ଖବରକାଗଜ ପ୍ରସ୍ତୁତି କାର୍ଯ୍ୟରେ ଲାଗିଥାନ୍ତି। ସଂଯୋଗବଶତଃ ଶ୍ୟାମଲାଲ ପାର୍ଷଦ ସେଠାରେ ପହଞ୍ଚିଲେ। ତାଙ୍କୁ ଦେଖି ବିଦ୍ୟାର୍ଥୀ ଆବେଗପୂର୍ଣ୍ଣ ହୋଇଗଲେ ଓ କହିଲେ, "କଣ ପାର୍ଷଦଜୀ, ଆପଣ କେମିତି ଅଛନ୍ତି ? ଆପଣ ଏଠାକୁ ଆସିବା ମୋତେ ଭଲ ଲାଗୁ ନାହିଁ।"
ବିଦ୍ୟାର୍ଥୀଙ୍କ ପତ୍ନୀ ଏ କଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଓ ତୁରନ୍ତ କହିଲେ, "ଏତେ ବଡ଼ ମହାନ କବି ଓ ସାହିତ୍ୟିକଙ୍କୁ ଆପଣ ଏମିତି କଣ କହୁଛନ୍ତି ? କଣ ହେଇଛି ଆପଣଙ୍କର ? ଏପରି କହିବା ଆପଣଙ୍କୁ ଶୋଭା ଦିଏ ନାହିଁ।"
ବିଦ୍ୟାର୍ଥୀ କହିଲେ, "ତୁମେ ଠିକ୍ କହିଲ, ମୁଁ ଏପରି କହିବା ଉଚିତ ହେଲା ନାହିଁ।"
କିଛି ସମୟ ରହି ପୁଣି ବିଦ୍ୟାର୍ଥୀ କହିଲେ, "ଏଇ ଶ୍ୟାମଲାଲକୁ ମୁଁ ହଜାରେ ଥର କହିଲିଣି ଗୋଟିଏ ପତାକା ଗୀତ ଲେଖିବାକୁ। କିନ୍ତୁ ମୋ କଥା ତା'ର କର୍ଣ୍ଣ ଗୋଚର ହେଉ ନାହିଁ। ଏବେ ପତାକା ଗୀତ ନିହାତି ଆବଶ୍ୟକ ଅଛି। ୟାଙ୍କର ସବୁ କବିତା ମୁଁ ନିରନ୍ତର 'ପ୍ରତାପ'ରେ ଛପାଉଛି। କିନ୍ତୁ ମୁଁ କହିଥିବା କବିତା ସେ ମୋଟେ ଲେଖୁ ନାହିଁ। ଆଜି କହି ଦେଉଛି, ଦେଖ, ଯେ ପର୍ଯ୍ୟନ୍ତ ତୁମେ ଝଣ୍ଡା ଗୀତ ନ ଲେଖିବ, ସେ ପର୍ଯ୍ୟନ୍ତ ତୁମର ଆଉ କେଉଁ କବିତା ମୁଁ 'ପ୍ରତାପ'ରେ ଛାପିବି ନାହିଁ ଓ ତୁମ ସହିତ ଆଉ କଥା ହେବି ନାହିଁ।"
ପତ୍ନୀ ଶ୍ୟାମଲାଲଙ୍କୁ କହିଲେ, "କଣ ଅସୁବିଧା ହୋଇଛି , ଯେଉଁଥିପାଇଁ ଆପଣ ଝଣ୍ଡା ଗୀତ ଲେଖୁ ନାହାନ୍ତି ? କିନ୍ତୁ ଏଥର ଆପଣଙ୍କୁ ଲେଖିବାକୁ ପଡ଼ିବ।"
ପାର୍ଷଦଜୀ କହିଲେ, "ଆପଣ ଠିକ୍ କହିଲେ, ଏଥର ମୋତେ ନିଶ୍ଚିତ ଝଣ୍ଡା ଗୀତ ଲେଖିବାକୁ ପଡ଼ିବ।"
ପାର୍ଷଦଜୀ ବିଦ୍ୟାର୍ଥୀଜୀଙ୍କୁ କହିଲେ, "ଏବେ ମୁଁ ଝଣ୍ଡା ଗୀତ ନ ଲେଖିବା ପର୍ଯ୍ୟନ୍ତ ଆଉ ଏଠାକୁ ଆସିବି ନାହିଁ।"
ଏତିକି କହି ସେ ଚାଲିଗଲେ।
ବିଦ୍ୟାର୍ଥୀ ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କଲେ। ଅନେକ ଦିନ ପରେ ପାର୍ଷଦଜୀ ପୁଣି ବିଦ୍ୟାର୍ଥୀଙ୍କ ଘରକୁ ଆସିଲେ। ହାତରେ କବିତା ଥିଲା। କବିତା ମଧ୍ୟ କଣ୍ଠସ୍ଥ ହୋଇଯାଇଥିଲା ତାଙ୍କର। ସେ ଗୁଣୁଗୁଣୁ ହୋଇ ସେଇ କବିତାଟିକୁ ଗାଇ ଚାଲିଥିଲେ। ସେତେବେଳେ ଉଭୟ ପତି ପତ୍ନୀ ସେଇଭଳି ଖବରକାଗଜ ଛପା କାମରେ ବ୍ୟସ୍ତ ଥିଲେ। ଦୁଇଜଣଯାକ ପାର୍ଷଦଜୀଙ୍କୁ ସ୍ୱାଗତ କଲେ। ପାର୍ଷଦଜୀଙ୍କୁ ଆସନରେ ବସାଇଲେ। ବିଦ୍ୟାର୍ଥୀଜୀ କହିଲେ, "ଗୁଣୁଗୁଣୁ ହୋଇ ଗାଇବ ନା ଭଲ କରି ବଡ଼ ପାଟିରେ ଗାଇ ଶୁଣାଇବ ? ମୋର ଧାରଣା ଯେ ଆଜି ତୁମେ ଗୋଟେ ଭଲ ଗୀତ ଝଣ୍ଡା ଉପରେ ଲେଖି ଆଣିଛ। କାରଣ ମୁଁ ଦେଖୁଛି ଯେ ତୁମ ହାତରେ ଆଜି ଏକ ଛୋଟ ପତାକା ଅଛି ଓ ତୁମ ମୁଖମଣ୍ଡଳ ଖୁବ ପ୍ରସନ୍ନ ଅଛି। ହୋଉ, ଆଉ ଡେରୀ କର ନାହିଁ। ଏବେ ଗୀତ ବୋଲ।"
ପାର୍ଷଦଜୀ ଗାଇଲେ -
"ଝଣ୍ଡା ଉଞ୍ଚା ରହେ ହମାରା,
ବିଜୟୀ ବିଶ୍ୱ ତ୍ରିରଙ୍ଗା ପ୍ୟାରା,
ଝଣ୍ଡା ଉଞ୍ଚା ରହେ ହମାରା
ଶାନ ନ ଇସକୀ ଜାନେ ପାୟେ,
ଚାହେ ଜାନ ଭଲେ ହୀ ଜାୟେ,
ଇସ ଝଣ୍ଡେ କେ ନୀଚେ ନିର୍ଭୟ,
ହୋତେ ପୂର୍ଣ୍ଣ ମନୋରଥ ନିଶ୍ଚୟ,
ଆଓ ପ୍ୟାରେ ବୀରୋ ଆଓ,
ଦେଶ ଧର୍ମ ପର ବଲି-ବଲି ଜାଓ,
ଏକ ସାଥ ସବ ମିଲକର ଗାଓ,
ପ୍ୟାରା ଭାରତ ଦେଶ ହମାରା,
ଝଣ୍ଡା ଉଞ୍ଚା ରହେ ହମାରା,
ବିଶ୍ୱ ବିଜୟ କରକେ ଦିଖଲାଏଁ
ତଵ ହୋୱେ ପ୍ରଣ ପୂର୍ଣ୍ଣ ହମାରା
ଝଣ୍ଡା ଉଞ୍ଚା ରହେ ହମାରା,"
ପୂରା ଗୀତ ଶୁଣି ବିଦ୍ୟାର୍ଥୀଙ୍କ ମନ ପ୍ରଫୁଲ୍ଲ ହୋଇଗଲା। ସେ ତାଙ୍କୁ ସ୍ନେହରେ ଆଲିଙ୍ଗନ କଲେ।
ସେଇଦିନ ସେ ସେଇ ଗୀତଟିର ହଜାରେ ପ୍ରତି ଛପାଇଲେ। ତା' ପରଦିନ 'ପ୍ରତାପ' ମାଧ୍ୟମରେ ତାହା ଜନଗଣଙ୍କ ହାତରେ ପହଞ୍ଚି ଗଲା। ପୂରା ଦେଶ ଏଇ ଗୀତକୁ ସ୍ୱାଗତ କଲା। ଆବାଳ-ବୃଦ୍ଧ, ସ୍ତ୍ରୀ-ପୁରୁଷ ସମସ୍ତେ ଏହି ଶ୍ୟାମଲାଲଙ୍କ ଗୀତକୁ କଣ୍ଠସ୍ଥ କରି ଗାଇବାକୁ ଲାଗିଲେ। ସ୍ୱାଧୀନ ଭାରତର ଝଣ୍ଡା ସମସ୍ତଙ୍କ ହାତରେ ଥିଲା।
୧୩. ୩. ୧୮

No comments:
Post a Comment