ଆମେରିକା ଓ ୟୁରୋପର ଲୋକେ ଶକ୍ତିର ଉପାସକ ଅଟନ୍ତି। ପରନ୍ତୁ ସେମାନେ ଶକ୍ତିର ଠିକ୍ ଉପାସନା ଜାଣି ନାହାନ୍ତି। ଅଜ୍ଞାନ କାରଣରୁ ସେମାନେ ଇନ୍ଦ୍ରିୟ ତୃପ୍ତି ପାଇଁ ଉପାସନା କରିଥାନ୍ତି। ଏହାର ବିପରୀତ ଆମ ଦେଶର ଲୋକମାନେ ଶକ୍ତିର ଉପାସନା ବଡ଼ ସାତ୍ତ୍ଵିକ ଭାବରେ ପବିତ୍ରତାପୂର୍ବକ କରିଥାନ୍ତି ଓ ସେଥିରେ ସେମାନେ ମାତୃତ୍ୱର ଦର୍ଶନ କରିଥାନ୍ତି।
ମୁଁ ଅନେକ ଥର ମନୁଙ୍କର ସେହି ମହାନ ଆଦର୍ଶ କଥା କହିଛି - "ବିଶ୍ୱର ସମସ୍ତ ଦୈବୀ ଗୁଣ ଓ ଶକ୍ତି ସେହି ଘରେ, ସମାଜରେ ଓ ରାଷ୍ଟ୍ରରେ ବିଦ୍ୟମାନ ରହେ, ଯେଉଁଠି ନାରୀର ପୂଜା ହୋଇଥାଏ।"
"ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ।"
ଆମର ଶ୍ୱେତାଶ୍ୱର ଉପନିଷଦରେ ଋଷି କହୁଛନ୍ତି -
"ତ୍ୱଂ ସ୍ତ୍ରୀ ତ୍ଵଂ ପୁମାନ ଅସି, ତ୍ଵଂ କୁମାର ଉତ ବା କୁମାରୀ।"
ଅର୍ଥାତ, ହେ ପରମାତ୍ମା ! ତୁମେ ସ୍ତ୍ରୀ, ତୁମେ ପୁରୁଷ, ତୁମେ କୁମାର ବା କୁମାରୀ ରୂପ ଧାରଣ କରିଥାଅ।
ଏହି ଭାବନାର ବିସ୍ମରଣ ହେବା କାରଣରୁ ନାରୀକୁ ମାୟାବିନୀ ବା ନରକର ଦ୍ୱାର କହିବାରୁ ଭାରତର ପତନ ହୋଇଛି।
କିନ୍ତୁ ଭାରତ ହେଉଛି ସୀତା ଓ ସାବିତ୍ରୀଙ୍କ ଦେଶ। ଆଜି ମଧ୍ୟ ସେଠାରେ ସ୍ତ୍ରୀମାନଙ୍କ ମଧ୍ୟରେ ସେହି ଚରିତ୍ର, ସେହି ସ୍ନେହଭାଵ, ସେହି ପ୍ରେମ, ସେହି ଦୟା, ସେହି ସନ୍ତୋଷ ଓ ଭକ୍ତିଭାଵ ବିଦ୍ୟମାନ ରହିଛି, ଯାହା ବିଶ୍ୱର ଅନ୍ୟ କେଉଁ ଦେଶରେ ମୋତେ ଏ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହୋଇନାହିଁ।
ପାଶ୍ଚାତ୍ୟ ଦେଶର ନାରୀମାନଙ୍କ ଭିତରେ ମୁଁ ନାରୀତ୍ବର ଅଭାବ ଦେଖୁଛି। କିନ୍ତୁ ସେମାନେ ପୁରୁଷଙ୍କ ସମକକ୍ଷ ହେବାକୁ ପ୍ରବଳ ଚେଷ୍ଟା କରୁଛନ୍ତି। ସେମାନେ ବାହନ ଚଳାଉଛନ୍ତି, କାର୍ଯ୍ୟାଳୟର କାମ ଠିକ୍ ଭାବେ ଚଳାଉଛନ୍ତି, ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଛନ୍ତି ଓ ସବୁ ପ୍ରକାର କାମ କରିବାରେ ଆଗ୍ରହ ରଖୁଛନ୍ତି।
ଭାରତୀୟ ସ୍ତ୍ରୀମାନଙ୍କ ଭିତରେ ନାରୀସୁଲଭ ଲଜ୍ଜା ଦେଖି ହୃଦୟ ଆନନ୍ଦିତ ହେଉଛି। ଏତେ ଗୁଣସମ୍ପନ୍ନ ଓ ସୁଯୋଗ୍ୟ ସ୍ତ୍ରୀମାନେ ଥାଇ ମଧ୍ୟ ଭାରତବାସୀ ସ୍ତ୍ରୀମାନଙ୍କର ଉନ୍ନତି କରିପାରି ନାହାନ୍ତି। ସେମାନଙ୍କୁ ଉଚ୍ଚ ଶିକ୍ଷା ଦେବାର ଚେଷ୍ଟା କରି ନାହାନ୍ତି।
ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଯଦି ଭାରତୀୟ ସ୍ତ୍ରୀଙ୍କୁ ଉଚିତ ଶିକ୍ଷା ମିଳେ, ତେବେ ସେମାନେ ସଂସାରର ସର୍ବଶ୍ରେଷ୍ଠ ଆଦର୍ଶ ନାରୀ ରୂପେ ନିଜକୁ ଗଢ଼ି ପାରିବେ।
୭. ୩. ୧୮

No comments:
Post a Comment