Tuesday, 27 March 2018

*ଆନନ୍ଦମଠ-୨*

"ଆନନ୍ଦମଠ" ଉପନ୍ୟାସ ୧୯୦୫ ମସିହାରୁ ଆରମ୍ଭକରି ପୂରା ସ୍ଵାଧୀନତା ଆନ୍ଦୋଳନର ସମାପ୍ତି ପର୍ଯ୍ୟନ୍ତ ସଶସ୍ତ୍ର ବା ଅହିଂସାତ୍ମକ କ୍ରାନ୍ତିର ମଶାଲ ହୋଇଥିଲା। ବନ୍ଦେ ମାତରମ ସଙ୍ଗୀତ ସେହି ମଶାଲର ପ୍ରଜ୍ବଳିତ ବହ୍ନି ଥିଲା। ବିଶ୍ୱ ଇତିହାସରେ ଏପରି ଦ୍ଵିତୀୟ ଘଟଣା ନ ଥିବ, ଯେଉଁଠି ଗୋଟିଏ ଉପନ୍ୟାସକୁ ରାଷ୍ଟ୍ରୀୟ ସଂଗ୍ରାମର ଏକ ହତିଆର ରୂପେ ପ୍ରୟୋଗ କରାଯାଇଥିବ ଓ ତା ଭିତରେ ଥିବା ଏକ ସଙ୍ଗୀତ ସ୍ୱାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ହଜାର ହଜାର ବୀରଙ୍କ ପାଇଁ ରାଷ୍ଟ୍ରୀୟ ମନ୍ତ୍ର ହୋଇଯାଇଥିବ। ଲକ୍ଷ ଲକ୍ଷ ତଥା କୋଟି କୋଟି ହୃଦୟକୁ ଆନ୍ଦୋଳିତ କରିଥିବା କାଳଜୟୀ ଉପନ୍ୟାସ ହେଲା ଆନନ୍ଦମଠ। ତା ଭିତରେ ଥିବା ସଙ୍ଗୀତ 'ବନ୍ଦେ ମାତରମ' ହେଲା କ୍ରାନ୍ତିର ବୀଜ ମନ୍ତ୍ର ଯାହାକୁ ଆସେତୁ ହିମାଚଳ ଏକ ବିଶିଷ୍ଟ ଅଭିବାଦନ ରୂପେ ସ୍ୱୀକାର କରିଥିଲା।

କଥାବସ୍ତୁ ଅନୁସାରେ ଏହା ୧୭୭୦-୭୧ ରେ ଉତ୍ତର ବଙ୍ଗରେ ପଡ଼ିଥିବା ଭୟଙ୍କର ମରୁଡ଼ିର ପୃଷ୍ଠଭୂମିରେ ଐତିହାସିକ ସନ୍ନ୍ୟାସୀ ବିଦ୍ରୋହର ମହାଗାଥା ଅଟେ।
ପ୍ରେମ, ତ୍ୟାଗ, କରୁଣା ଓ ବଳିଦାନ ପରି ମାନବୀୟ ଗୁଣରେ ଓତଃପ୍ରୋତ ଏହି ଗାଥା ନିଜର ଜ୍ୱଳନ୍ତ ସାମାଜିକ ଚେତନା ଓ ରାଷ୍ଟ୍ରୀୟ ଭାବନା ପାଇଁ ଆଜି ପର୍ଯ୍ୟନ୍ତ ଆମକୁ ଉଦବୁଦ୍ଧ କରିଆସିଛି। ଉପରୋକ୍ତ ଐତିହାସିକ ମରୁଡ଼ିର ଭୟାବହ ବର୍ଣ୍ଣନ ସହିତ ଉପନ୍ୟାସର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସନ୍ନ୍ୟାସୀ ଦଳ ଗଠନ, ଗୋଟିଏ ପଟେ ଭୋକ ତ୍ରସ୍ତ ଜନତା, ଅନ୍ୟପଟେ ଅତ୍ୟାଚାରୀ ଇଂରେଜ ଶାସକ ଓ ମୋଗଲ ଶାସକ। ଏହି ଅରାଜକ ସ୍ଥିତିରେ ଗାଁର କୃଷକ ଏକାଠି ହୋଇ ନିଜର ରକ୍ଷା ପାଇଁ ସନ୍ନ୍ୟାସୀ(ସନ୍ତାନ) ଦଳ ଗଠନ କରି ଇଂରେଜ ଓ ମୋଗଲ ରାଜ୍ୟ ବିରୋଧରେ ସଶସ୍ତ୍ର ବିଦ୍ରୋହ କରିଛନ୍ତି ଓ ଶେଷରେ ବିଜୟ ଲାଭ କରିଛନ୍ତି। ସେମାନେ ଗାଇଛନ୍ତି "ବନ୍ଦେ ମାତରମ" ଓ ନାରା ଦେଇଛନ୍ତି - "ହରେ ମୁରାରେ ମଧୁକୈଟଭାରେ !

କ୍ରମଶଃ..

୨୭. ୩. ୧୮

No comments: