ଅଶ୍ଵପତି ନାମକ ଜଣେ ରାଜା ଥିଲେ। ତାଙ୍କର କନ୍ୟା ଏତେ ସୁନ୍ଦର ଓ ସୁଶୀଳା ଥିଲେ ଯେ ତାଙ୍କ ନାଁ ସାବିତ୍ରୀ ରଖାଗଲା। ସାବିତ୍ରୀ, ଯାହା ହିନ୍ଦୁମାନଙ୍କର ଏକ ପବିତ୍ର ସ୍ତୋତ୍ରର ନାମ ଅଟେ। ଯୁବତୀ ହୋଇଯିବାରୁ, ତାଙ୍କ ପିତା ତାଙ୍କୁ ନିଜର ପତି ନିର୍ବାଚନ କରିବାକୁ କହିଲେ। ପ୍ରାଚୀନ ଭାରତର ମହିଳାମାନେ ଅତ୍ୟନ୍ତ ସ୍ୱାଧୀନ ଥିଲେ ଓ ନିଜର ଭାବି ଜୀବନ ସାଥୀ ନିଜେ ବାଛି ପାରୁଥିଲେ।
ସେହିପରି ସାବିତ୍ରୀ ମଧ୍ୟ ନିଜ ପିତାଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ଏକ ସ୍ଵର୍ଣ୍ଣଖଞ୍ଜିତ ରଥରେ ଆରୂଢ଼ ହୋଇ ପିତାଙ୍କ ଦ୍ୱାରା ଦିଆଯାଇଥିବା ଅନୁଚର ଓ ବୃଦ୍ଧ ମନ୍ତ୍ରୀଙ୍କ ସହିତ ବିଭିନ୍ନ ରାଜଦରବାରକୁ ଯାଇ ଅନେକ ରାଜକୁମାରଙ୍କୁ ଭେଟିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ବି ତାଙ୍କ ହୃଦୟକୁ ଆକର୍ଷିତ କଲେ ନାହିଁ। ଶେଷରେ ସେ ତାଙ୍କ ସାଥୀଙ୍କ ସହ ଏକ ପବିତ୍ର ମୁନିଙ୍କ କୁଟୀରରେ ପହଞ୍ଚିଲେ। ପ୍ରାଚୀନ ଭାରତରେ ଏମିତି କିଛି ଅଭୟାରଣ୍ୟ ରହୁଥିଲା, ସେଠାରେ ପଶୁ ପକ୍ଷୀମାନଙ୍କ ହତ୍ୟା ନିଷିଦ୍ଧ ଥିଲା। ସେଠାରେ ବିଚରଣ କରୁଥିବା ସମସ୍ତ ପ୍ରାଣୀ ଭୟମୁକ୍ତ ହୋଇଯାଉଥିଲେ । ଏପରିକି ସରୋବର ଗୁଡ଼ିକରେ ମାଛମାନେ ମନୁଷ୍ୟଙ୍କ ହାତରୁ ସହଜଭାବେ ଖାଦ୍ୟାନ୍ନ ଗ୍ରହଣ କରି ନେଉଥିଲେ। ସହସ୍ର ବର୍ଷ ଧରି ସେଠାରେ ସେମାନଙ୍କୁ କେହି ଡରାଉ ନଥିଲେ କିମ୍ବା ହତ୍ୟା କରୁ ନ ଥିଲେ। ସନ୍ଥ ଓ ବୃଦ୍ଧମାନେ ଯାଇ ମୃଗ ଓ ପକ୍ଷୀମାନଙ୍କ ଗହଣରେ ରହୁଥିଲେ। ଅପରାଧୀ କେହି ନ ଥିଲେ। ଯେତେବେଳେ ମନୁଷ୍ୟ ଜୀବନରେ ଥକି ଯାଉଥିଲା, ଯେତେବେଳେ ତାର ସାୟାହ୍ଣ ଆସିଯାଉଥିଲା, ସେତେବେଳେ ସେ ତପୋବନକୁ ଚାଲି ଯାଉଥିଲା। ସେଠାରେ ସନ୍ଥମାନଙ୍କ ସହ ସତସଙ୍ଗ କରି ଧର୍ମ ଚର୍ଚ୍ଚା କରି ଧ୍ୟାନ ଜପରେ ନିଜର ଅଵଶିଷ୍ଟ ଜୀବନ ଅତିବାହିତ କରୁଥିଲା।
କ୍ରମଶଃ...
୧୧. ୨. ୧୮

No comments:
Post a Comment