କୁରୁବଂଶର ମହାରାଜ ବିଚିତ୍ରବୀର୍ଯ୍ୟଙ୍କର ଦୁଇଟି ପୁଅ ଥିଲେ। ଜ୍ୟେଷ୍ଠ ଧୃତରାଷ୍ଟ୍ର ଓ କନିଷ୍ଠ ପାଣ୍ଡୁ। ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ। ଭାରତୀୟ ସ୍ମୃତିଶାସ୍ତ୍ରର ବିଧାନ ଅନୁସାରେ ଅନ୍ଧ, ବିକଳାଙ୍ଗ ଆଦି ସ୍ଥାୟୀ ବ୍ୟାଧି ଯୁକ୍ତ ବ୍ୟକ୍ତି ପୈତୃକ ଧନର ଉତ୍ତରାଧିକାରୀ ହୋଇ ପାରନ୍ତି ନାହିଁ। ସେମାନଙ୍କୁ କେବଳ ନିଜର ଜୀବନ ନିର୍ବାହ ପାଇଁ ଆବଶ୍ୟକୀୟ ଖର୍ଚ୍ଚ ଦିଆଯାଇଥାଏ। ଏଥିପାଇଁ ଧୃତରାଷ୍ଟ୍ର ଜ୍ୟେଷ୍ଠ ହେଲେ ମଧ୍ୟ ସିଂହାସନ ପାଇ ପାରିଲେ ନାହିଁ। ପାଣ୍ଡୁ ହିଁ ସମ୍ରାଟ ପଦରେ ଅଭିଷିକ୍ତ ହେଲେ। ଧୃତରାଷ୍ଟ୍ରଙ୍କର ଶହେ ଓ ପାଣ୍ଡୁଙ୍କର କେବଳ ପାଞ୍ଚ ପୁତ୍ର ଜନ୍ମ ହେଲେ। ପାଣ୍ଡୁ ଯୁବକ ଅବସ୍ଥାରେ ମୃତ୍ୟୁ ବରଣ କରିବାରୁ ଧୃତରାଷ୍ଟ୍ର କୁରୁଦେଶର ରାଜା ହେଲେ। ସେ ନିଜ ପୁତ୍ରଙ୍କ ସହ ପାଣ୍ଡୁଙ୍କ ପୁତ୍ରଙ୍କର ମଧ୍ୟ ଲାଳନ ପାଳନ କଲେ। ପୁତ୍ରମାନେ ଯେତେବେଳେ ବଡ଼ ହୋଇଗଲେ ସେତେବେଳେ ମହାନ ଧନୁର୍ଦ୍ଧାରୀ ବିପ୍ର ଦ୍ରୋଣାଚାର୍ଯ୍ୟଙ୍କୁ ସେମାନଙ୍କୁ ପଢ଼ାଇବାର ଦାୟୀତ୍ୱ ଦିଆଗଲା। ସେମାନେ ସବୁ କ୍ଷତ୍ରିୟୋଚିତ ଅସ୍ତ୍ର ବିଦ୍ୟା ଓ ଧର୍ମଶାସ୍ତ୍ରରେ ପାରଙ୍ଗମ ହୋଇଗଲେ।
ରାଜପୁତ୍ରମାନଙ୍କର ଶିକ୍ଷା ସମାପ୍ତ ହେବା ପରେ ଧୃତରାଷ୍ଟ୍ର ପାଣ୍ଡବଙ୍କ ଜ୍ୟେଷ୍ଠ ପୁତ୍ର ଯୁଧିଷ୍ଠିରଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରିଦେଲେ। ଯୁଧିଷ୍ଠିରଙ୍କ ନିଷ୍ଠା ଏବଂ ସଦାଚାର ତଥା ତାଙ୍କ ଭାଇମାନଙ୍କର ଶୌର୍ଯ୍ୟ-ବୀର୍ଯ୍ୟ ସହିତ ବଡ଼ ଭାଇଙ୍କ ପ୍ରତିଥିବା ଅସୀମ ଭକ୍ତି ଦେଖି ଅନ୍ଧରାଜା ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ହୃଦୟରେ ଦ୍ଵେଷଅଗ୍ନି ପ୍ରଜ୍ବଳିତ ହେଲା। ତାଙ୍କ ଭିତରେ ଜ୍ୟେଷ୍ଠ ଦୁର୍ଯୋଧନର କୁଟିଳତା ତଥା କୌଶଳ ଦ୍ୱାରା ପାଞ୍ଚ ପାଣ୍ଡୁପୁତ୍ରଙ୍କୁ ଏକ ଧର୍ମମହୋତ୍ସବରେ ସମ୍ମିଳିତ ହେବା ପାଇଁ ବାହାନା କରି ବାରାଣାବତ ନଗରକୁ ଆସିବା ପାଇଁ ରାଜିକରାଇ ଦିଆଗଲା। ସେଠାରେ ଦୁର୍ଯ୍ୟୋଧନଙ୍କ ଆଜ୍ଞା ଅନୁସାରେ ସନ, ଲାଖ, ତେଲ, ଘୃତ ଆଦି ପ୍ରଜ୍ବଳନଶୀଳ ଦ୍ରବ୍ୟରେ ନିର୍ମିତ ଏକ ପ୍ରାସାଦରେ ଏମାନଙ୍କ ନିବାସର ବ୍ୟବସ୍ଥା ହେଲା। କିଛି ଦିନ ପରେ ଦିନେ ରାତିରେ ସେହି ଜତୁଗୃହରେ ଚୁପଚାପ ନିଆଁ ଲଗାଇ ଦିଆଗଲା।
କିନ୍ତୁ ଧୃତରାଷ୍ଟ୍ରର ବୈମାତୃକ ବନ୍ଧୁ ଧର୍ମାତ୍ମା ବିଦୁରଙ୍କୁ ଦୁର୍ଯ୍ୟୋଧନ ଓ ତାର ଅନୁଚରଙ୍କ ଏଇ ଦୁଷ୍ଟବୁଦ୍ଧି ବିଷୟରେ ଅନୁମାନ ହୋଇଯାଇଥିଲା। ସେ ପାଣ୍ଡଵମାନଙ୍କୁ ଏଇ ଷଡ଼ଯନ୍ତ୍ର ପ୍ରତି ସାବଧାନ ରହିବାକୁ କହିଦେଇଥିଲେ। ଏଣୁ ସେମାନେ ଆତ୍ମରକ୍ଷା ପାଇଁ ଚୁପଚାପ ସେହି ଜଳୁଥିବା ଗୃହରୁ ବହାରିଯିବା ପାଇଁ ସମର୍ଥ ହେଲେ।
କୌରବମାନେ ଲାକ୍ଷାଗୃହକୁ ଜଳି ପାଉଁଶ ହୋଇଯାଇଥିବା ଦେଖି ସନ୍ତୋଷର ଶ୍ଵାସ ନେଲେ। ସେମାନେ ଭାବିଲେ ଯାହାହେଉ ଏତେଦିନ ପରେ ଆମ ମାର୍ଗରେ ଥିବା ସବୁ କଣ୍ଟା ସଫା ହୋଇଗଲା। ଏବେ ସ୍ୱାଭାବିକ ଭାବରେ ସେମାନଙ୍କ ହାତକୁ ରାଜ୍ୟ ଆସିଗଲା।
ଏଣେ ପଞ୍ଚୁପାଣ୍ଡଵ ନିଜ ମାଆ କୁନ୍ତୀଙ୍କ ସହ ବଣ ଜଙ୍ଗଲରେ ଘୁରୀ ବୁଲିଲେ। ସେମାନେ ଭିକ୍ଷା ମାଗି ଜୀବନ ବ୍ୟତୀତ କଲେ। ଆତ୍ମରକ୍ଷା ପାଇଁ ନିଜର ବେଶ ବଦଳାଇ ବ୍ରହ୍ମଚାରୀ ବ୍ରାହ୍ମଣ ବେଶରେ ସେମାନେ ବୁଲୁଥିଲେ। ବଣ ଜଙ୍ଗଲରେ ତାଙ୍କୁ ଅକଥନୀୟ କଷ୍ଟ ସହିବାକୁ ପଡୁଥିଲା। ସେମାନେ ଅନେକ ରୋମାଞ୍ଚକାରୀ ସାହସପୂର୍ଣ୍ଣ କାର୍ଯ୍ୟ କଲେ। ନିଜର ସାହସ, ଶୋର୍ଯ୍ୟ-ବୀର୍ଯ୍ୟ ଓ ଧର୍ଯ୍ୟ ଦ୍ୱାରା ସେମାନେ ସବୁ ବାଧା ବିଘ୍ନକୁ ହଟାଇ ଆଗକୁ ବଢୁଥିଲେ। ଏହିପରି ଯାଯାବର ଜୀବନ ବ୍ୟତୀତ କରୁଥିବାବେଳେ ଦିନେ ସେମାନେ ଜାଣିବାକୁ ପାଇଲେ ଯେ ନିକଟରେ ଥିବା ପାଞ୍ଚାଳ ଦେଶର ରାଜକନ୍ୟାଙ୍କ ସ୍ଵୟମ୍ବର ହେବାକୁ ଯାଉଛି।
କ୍ରମଶଃ....
୩. ୨. ୧୮

No comments:
Post a Comment