Tuesday, 13 February 2018

*ବିବାହ ସମ୍ପନ୍ନ ହେଲା*

ସାବିତ୍ରୀ ନିଜ ପାଇଁ ଚାଲିଥିବା ରାଜକୁମାର ଚୟନ ପର୍ବର କାମ ବଢ଼ାଇ ନିଜ ପିତୃଗୃହକୁ ଫେରିଆସିଲେ।

ଅଶ୍ଵପତି ପଚାରିଲେ, "ଝିଅ, କ'ଣ କେହି ମନଲାଖି ରାଜକୁମାର ତୁମକୁ ମିଳିଲେ, ଯାହାକୁ ତୁମେ ବିବାହ କରିବ ?"

ଲଜ୍ଜାରେ ସାବିତ୍ରୀ ବିନୟପୂର୍ବକ କହିଲେ, " ହଁ, ବାପା।"

ଅଶ୍ଵପତି, "ତେବେ ସେ ରାଜକୁମାରଙ୍କ ନାମ କ'ଣ ?"

ସାବିତ୍ରୀ, "ସେ ଯୁବରାଜ ନୁହନ୍ତି ବାପା !  ରାଜା ଦ୍ୟୁମତ୍ସେନଙ୍କ ପୁତ୍ର ଅଟନ୍ତି, ଯିଏ ନିଜ ରାଜ୍ୟ ହରାଇ ବସିଛନ୍ତି। ସେ ରାଜ୍ୟ ହରାଇଥିବା ଜଣେ ରାଜପୁତ୍ର, ଯିଏ ଆଶ୍ରମରେ କନ୍ଦ, ମୂଳ, ଫଳ ସଂଗ୍ରହ କରି ବନବାସୀ ମାତା ପିତାଙ୍କ ସହ ତପସ୍ୱୀ ଜୀବନ ବିତାଉଛନ୍ତି।

ଦୈଵଯୋଗକୁ ଝିଅ ସହିତ କଥା ଚାଲିଥିବା ବେଳେ ମହର୍ଷି ନାରଦ ଆସି ପହଞ୍ଚିଗଲେ। ଏଥିପାଇଁ ରାଜା ଏହି ଗମ୍ଭୀର ବିଷୟର ସମାଧାନ ପାଇଁ ମହର୍ଷିଙ୍କ ସହଯୋଗ ଲୋଡ଼ିଲେ।

ମହର୍ଷି କହିଲେ, "ଏହି ଚୟନ ଅତ୍ୟନ୍ତ ଅଶୁଭ ଓ ଅନିଷ୍ଟକାରକ ହେବ।"

ରାଜା ମହର୍ଷିଙ୍କୁ ପଚାରିଲେ, "ଏହାର କାରଣ କ'ଣ ?"

ମହର୍ଷି କହିଲେ, "ହେ ରାଜା, ଆଜିଠୁ ଠିକ ଏକ ବର୍ଷ ପରେ ସତ୍ୟବାନ କାଳ କବଳିତ ହୋଇଯିବ।"

ରାଜା ଏହି ଅନିଷ୍ଟ ଆଶଙ୍କାରେ ଭୟଗ୍ରସ୍ତ ହୋଇ ସବିତ୍ରୀକୁ କହିଲେ, "ଝିଅ, ସତ୍ୟବାନର ଏକ ବର୍ଷରେ ମୃତ୍ୟୁଯୋଗ ଅଛି। ତୁମେ ବୈଧବ୍ୟର ଦାରୁଣ ଯାତନା ଜୀବନ ଭରି କାହିଁକି ସହିବ ? ଟିକେ ଭଲଭାବେ ବିଚାର କର। ଏଭଳି ଅଳ୍ପାୟୁ ଓ ଆସନ୍ନ ମୃତ୍ୟୁ ବର ସହିତ ତୁମର ବିବାହ କୌଣସି ପରିସ୍ଥିତିରେ ହୋଇପାରିବ ନାହିଁ। ଝିଅ, ଟିକେ ଭଲଭାବେ ମନସ୍ଥିର କରି ବିଚାର କର।"

ଏହା ଶୁଣି ସାବିତ୍ରୀ କହିଲେ, "କିଛି ଚିନ୍ତା ନାହିଁ ବାପା, ଆପଣ ମୋତେ ଅନ୍ୟ କୌଣସି ପୁରୁଷ ସହିତ ବିବାହଵଦ୍ଧ କରି ମୋର ମାନସିକ ପଵିତ୍ରତାକୁ ନଷ୍ଟ କରିବାର ଆଗ୍ରହ କରନ୍ତୁ ନାହିଁ। ମୁଁ ସାହସୀ, ଧର୍ମପରାୟଣ ସତ୍ୟବାନଙ୍କୁ ହିଁ ପ୍ରେମ କରୁଛି। ତାଙ୍କୁ ହିଁ ମୁଁ ମୋର ମନ ମନ୍ଦିରରେ ସ୍ଥାପନ କରି ସାରିଛି। ଆର୍ଯ୍ୟ କନ୍ୟାଙ୍କ ବିବାହ ଜୀବନରେ ଥରେ ମାତ୍ର ହୋଇଥାଏ। ସେ କେବେ ସଙ୍କଳ୍ପଚ୍ୟୁତ ହୁଅନ୍ତି ନାହିଁ।"

ଯେତେବେଳେ ରାଜା ଅଶ୍ଵପତି ଦେଖିଲେ ସାବିତ୍ରୀ ନିଜ ସଙ୍କଳ୍ପରେ ଅଟଳ, ସେତେବେଳେ ତାଙ୍କୁ ବାଧ୍ୟହୋଇ ସହମତ ହେବାକୁ ପଡ଼ିଲା।

ସାବିତ୍ରୀ ଓ ସତ୍ୟବାନ ବିବାହ ଗ୍ରନ୍ଥିରେ ବାନ୍ଧି ହେଲେ।

ସେ ନିଜ ପତି ସହ ରହି ତାଙ୍କ ମାଆ ବାପାଙ୍କ ସେବା କରିବାକୁ ରାଜମହଲ ଛାଡ଼ି ଅରଣ୍ୟକୁ ଚାଲିଗଲେ।

କ୍ରମଶଃ...

୧୩.୨.୧୮

No comments: