ତା'ପର ଦିନ (୧ ଫେବୃଆରୀ ୧୯୦୦) ସେହି ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ପୈସାଡେନା ସ୍ଥିତ ସେକ୍ସ୍ପି ଅର ସଭାଗୃହରେ ସ୍ୱାମୀଜୀ ମହାଭାରତ ବିଷୟରେ ବକୃତା ଦେଇଥିଲେ -
ଅନ୍ୟ ଯେଉଁ ମହାକାବ୍ୟ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ କିଛି କହିବାକୁ ଯାଉଛି ତାହା ହେଲା ମହାଭାରତ। ଏଥିରେ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ରାଜା ଭରତଙ୍କ ବଂଶାବଳୀ କଥା ବର୍ଣ୍ଣିତ ହୋଇଛି। ମହା ଅର୍ଥ ମହାନ, ଯାହା ବଡ଼ ବା ଗୌରବସମ୍ପନ୍ନ ହୋଇଥାଏ। ସେହିପରି ଭାରତର ଅର୍ଥ ହେଉଛି ଭରତଙ୍କ ବଂଶଜ - ସିଏ ଭରତ, ଯାହାଙ୍କ ନାମ ଅନୁସାରେ ଆମ ଦେଶର ନାମକରଣ ହୋଇଛି। ଏଥିପାଇଁ ମହାଭାରତ ଶବ୍ଦର ଅର୍ଥ ହେଲା ମହାନ ଭାରତ ଦେଶ, ବା ଭରତଙ୍କ ମହାନ ବଂଶଜଙ୍କ କଥା।
କୁରୁମାନଙ୍କ ପ୍ରାଚୀନ ରାଜ୍ୟ ହେଉଛି ଏହି ମହାକାବ୍ୟର ରଙ୍ଗଭୂମି ଏବଂ କୁରୁ-ପାଞ୍ଚାଳଙ୍କ ମହାସଂଗ୍ରାମ ହେଉଛି ଏହି କଥାର ଭିତ୍ତିଭୂମି। ଅତଏବ ଯୁଦ୍ଧ ପ୍ରଭାବିତ କ୍ଷେତ୍ରର ବିସ୍ତାର ଅଧିକ ନୁହେଁ।
ଏହି ମହାକାବ୍ୟ ଭାରତରେ ସର୍ବାଧିକ ଲୋକପ୍ରିୟ। ୟୁନାନ ଦେଶର ହୋମରଙ୍କ ରଚିତ କାବ୍ୟ ପରି ଏହା ଭାରତର ଜନ ଜୀବନକୁ ଅତି ମାତ୍ରାରେ ପ୍ରଭାବିତ କରିଛି। ସମୟ ଅନୁସାରେ ଏହାର କଳେବର ବୃଦ୍ଧି ହୋଇଛି। ଏହାର ଶ୍ଳୋକ ସଂଖ୍ୟା ଏକ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଅସଂଖ୍ୟ ବ୍ୟାଖ୍ୟାକାରଙ୍କ ବ୍ୟାଖ୍ୟାନ, ପୌରାଣିକ ଗାଥା, ଦାର୍ଶନିକ ପ୍ରବନ୍ଧ, ଇତିହାସ ଓ ଭିନ୍ନ ଭିନ ବିଷୟ ଉପରେ ବିଚାର ସଂଗୋଷ୍ଠୀ ଇତ୍ୟାଦି ସମୟ ଅନୁସାରେ ଏତେ ମାତ୍ରାରେ ଏଥିରେ ସଂଯୋଜିତ କରିଦିଆଯାଇଛି ଯେ ଆଜି ଏହା ଏକ ବିଶାଳ ମହାଗ୍ରନ୍ଥ ହୋଇଯାଇଛି। ଏ ସବୁ ଭିତରେ ମୂଳଗ୍ରନ୍ଥ ଆଜି ବି ସୁରକ୍ଷିତ ଅଛି।
ମହାଭାରତର ମୂଳକଥାର ବିଷୟ ହେଲା -
ଭାରତର ବିଶାଳ ସାମ୍ରାଜ୍ୟର ଆଧିପତ୍ୟ ପାଇଁ
ଗୋଟିଏ ବଂଶର ଦୁଇଟି ଶାଖା - କୌରବ ଓ ପାଣ୍ଡଵମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ।
କ୍ରମଶଃ...
୨. ୨. ୧୮

No comments:
Post a Comment