ଏହି ଯୁଦ୍ଧ ପ୍ରସଙ୍ଗରେ ଆମକୁ ଆଉ ଏକ କଥା ମନେ ରଖିବାକୁ ପଡ଼ିବ। ମହାଭାରତରେ କୁହାଯାଇଛି, ସେ ସମୟରେ ଯୁଦ୍ଧ-କଳା ଏତେ ପ୍ରଗତି କରିଥିଲା ଯେ ସାଧାରଣ ଧନୁଷ-ବାଣ ସ୍ଥାନରେ ମନ୍ତ୍ର ଚାଳିତ ଦେବାସ୍ତ୍ରର ପ୍ରୟୋଗ ହେଉଥିଲା। ଯେଉଁଥିରେ ମନ୍ତ୍ର ଶକ୍ତି ଓ ଚିତ୍ତବୃତ୍ତି ଏକାଗ୍ରତାର ବିଶେଷ ମହତ୍ତ୍ୱ ଥିଲା। ଜଣେ ବ୍ୟକ୍ତି ଶହେ ହଜାର ବ୍ୟକ୍ତିଙ୍କ ସହ ଯୁଦ୍ଧ କରି ନିଜ ଇଚ୍ଛାଶକ୍ତି ବଳରେ ତାଙ୍କୁ ଭସ୍ମ କରିପାରୁଥିଲା। ସେ ଗୋଟିଏ ତୀର ଛାଡ଼ି ଆକାଶରେ ଗର୍ଜୁଥିବା ଅସଂଖ୍ୟ ତୀରର ଝଡ଼ ସୃଷ୍ଟି କରିପାରୁଥିଲା। ସେ କୌଣସି ବି ବସ୍ତୁକୁ ଭସ୍ମ କରିପାରୁଥିଲା। ଏହା ସବୁ ଦେବ ଶକ୍ତିର ଚମତ୍କାର ଥିଲା। ଏହି ଦୁଇ ମହାଗ୍ରନ୍ଥ : ରାମାୟଣ ଓ ମହାଭାରତରେ ଆଉ ଏକ କଥା ବିଶେଷ ଭାବେ ଉଲ୍ଲେଖନୀୟ -
ଏହି ଦେବାସ୍ତ୍ର ସହିତ ତୋପର ଉଲ୍ଲେଖ ବି ଆମେ ପାଇବା। ଏହା ଏକ ପ୍ରାଚୀନ ଅସ୍ତ୍ର। ହିନ୍ଦୁ ଓ ଚୀନବାସୀ ଏହାକୁ କେଉଁ କାଳରୁ ଉପଯୋଗ କରି ଆସୁଛନ୍ତି। ସହରର ଚାରି ଦ୍ୱାରରେ ଲୁହାର ନଳ ଥିବା ଅସଂଖ୍ୟ ଅଦ୍ଭୁତ ଅସ୍ତ୍ର ରଖା ଯାଉଥିଲା। ଯେଉଁଥିରେ ଗୋଳା ବାରୁଦ ଭରି ସହସ୍ର ମନୁଷ୍ୟଙ୍କୁ ଆଘାତ କରାଯାଇ ପାରୁଥିଲା। ଲୋକମାନଙ୍କର ବିଶ୍ୱାସ ଥିଲା ଯେ ଚୀନ ନିବାସୀ ଯାଦୁ ଦ୍ୱାରା ପୋଲା ନଳରେ ଶତ୍ରୁକୁ ବନ୍ଦୀ କରିପାରୁ ଥିଲେ। ନଳ ମୁହଁରେ ଜଳୁଥିବା ଅଙ୍ଗାର ରଖିବା ମାତ୍ରେ ହିଁ ଭୟଙ୍କର ଗର୍ଜନ କରି ତାହା ଚାଲିଯାଉଥିଲା ଓ ଶହ ଶହ ମନୁଷ୍ୟଙ୍କୁ ବନ୍ଦୀ କରି ଦେଉଥିଲା।
ଏହିପରି ସେ ଯୁଗରେ ଲୋକମାନେ ମନ୍ତ୍ରଚାଳିତ ଶର ଦ୍ୱାରା ଯୁଦ୍ଧ କରୁଥିଲେ। ଜଣେ ବ୍ୟକ୍ତି ଲକ୍ଷେ ସୈନିକ ସହ ଲଢ଼ିପାରୁଥିଲା। ସେନାର ବ୍ୟୁହ ରଚନା କରିବାରେ ତାଙ୍କର ଏକ ସ୍ୱତନ୍ତ୍ର ବିଜ୍ଞାନ ଥିଲା। ବିଭିନ୍ନ ପ୍ରକାର ସୈନ୍ୟବିଭାଗ କରିବାର ପଦ୍ଧତି ପ୍ରଚଳିତ ଥିଲା। ସେହି ସେନାରେ ପଦାତିକ ରହୁଥିଲେ, ଯାହାଙ୍କୁ ପଦାତି କୁହାଯାଉଥିଲା। ଅଶ୍ବାରୋହୀ ସେନାଙ୍କୁ ତୁରଙ୍ଗ କୁହାଯାଉଥିଲା। ଏହାଛଡ଼ା ଆଉ ଦୁଇଟି ବିଭାଗ ଥିଲା ଯାହା ଏବେ କେବଳ ନାମକୁ ମାତ୍ର ରହିଛି। ତାହା ହେଉଛି ଗଜପଙ୍କ୍ତି, ଯେଉଁଥିରେ ଆରୋହୀଙ୍କ ସହିତ ଲୌହବର୍ମ ରକ୍ଷିତ ଅସଂଖ୍ୟ ହାତୀ ରହୁଥିଲେ, ସେହି ହାତୀ ଶତ୍ରୁକୁ ପାଦରେ ଦଳି ମକଚି ମାରି ଦେଉଥିଲେ। ସେହି ସେନାରେ ରଥ ଥିଲା। ରଥର ପ୍ରୟୋଗ ସବୁ ଦେଶରେ ହୋଇଛି। ସେ ଚିତ୍ର ସବୁଠି ଦେଖିବାକୁ ମିଳେ। ପଦାତି, ତୁରଙ୍ଗ, ହସ୍ତୀ ଓ ରଥ - ଏହା ସେ ସମୟର ସୈନ୍ୟବାହିନୀର ଚାରିଟି ବିଭାଗ ଅଟେ।
କ୍ରମଶଃ....
୨୧. ୨. ୧୮

No comments:
Post a Comment