ଧୀରେ ଧୀରେ ଯୁଧିଷ୍ଠିରଙ୍କ ରାଜ୍ୟ ଶାସନର ଛତିଶ ବର୍ଷ ଅତିବାହିତ ହୋଇଗଲା। ସେତେବେଳେ ତାଙ୍କ ପାଖରେ ଆଉ ଏକ ହୃଦୟ ବିଦାରକ ଖବର ଆସି ପହଞ୍ଚିଲା। ତାହା ହେଲା ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ। ତାଙ୍କର ମିତ୍ର ଓ ପରାମର୍ଶଦାତା ଥିଲେ ଶ୍ରୀକୃଷ୍ଣ। ପ୍ରଖ୍ୟାତ ତତ୍ତ୍ୱବେତ୍ତା ଯୋଗୀରାଜ ଶ୍ରୀକୃଷ୍ଣଙ୍କ ଦେହାନ୍ତ ହୋଇଗଲା। ଖବର ଶୁଣିବା ମାତ୍ରେ ଅର୍ଜୁନ ତୁରନ୍ତ ଯାଇ ଦ୍ୱାରକାରେ ପହଞ୍ଚିଲେ। ସେ ମଧ୍ୟ ସେଇ ଦୁଃଖଦ ଖବର ନେଇ ଫେରିଆସିଲେ ଯେ ଶ୍ରୀକୃଷ୍ଣ ଓ ସମସ୍ତ ଯାଦବ କାଳକବଳିତ ହୋଇଯାଇଛନ୍ତି। ସେତେବେଳେ ଦୁଃଖରେ ଅଧୀର ହୋଇ ମହାରାଜ ଯୁଧିଷ୍ଠିର ଓ ତାଙ୍କର ଅନ୍ୟ ଭାଇମାନେ ଭାବିବାକୁ ଲାଗିଲେ ଯେ ଏବେ ସେମାନଙ୍କର ମଧ୍ୟ ଏଇ ଦୁନିଆରୁ ବିଦାୟ ନେବାର ସମୟ ଉପଗତ। ରାଜ୍ୟଭାର ଅର୍ଜୁନଙ୍କ ନାତି ପରୀକ୍ଷିତକୁ ଦେଇ ମହାପ୍ରସ୍ଥାନ ପାଇଁ ସେମାନେ ହିମାଳୟକୁ ଚାଲିଲେ। ଏହା ସନ୍ନ୍ୟାସର ଏକ ବିଶେଷ ପ୍ରକାର ସ୍ଥିତି ଅଟେ। ବୃଦ୍ଧ ରାଜାମାନଙ୍କୁ ସନ୍ନ୍ୟାସ ଗ୍ରହଣ କରିବାର ପ୍ରଥା ଥିଲା। ପ୍ରାଚୀନ ଭାରତରେ ବୃଦ୍ଧାବସ୍ଥା ପ୍ରାପ୍ତ କରୁଥିବା ଯେ କୌଣସି ବ୍ୟକ୍ତି ସର୍ବସ୍ୱ ତ୍ୟାଗ କରି ସନ୍ନ୍ୟାସୀ ହୋଇ ଯାଉଥିଲେ। ଜୀବନ ପ୍ରତି ମମତା ଶୁନ୍ୟ ହୋଇ ଯିବାପରେ ସେମାନେ ନିର୍ଜଳ ଅନଶନ ବ୍ରତ ଧାରଣ କରି ହିମାଳୟକୁ ଚାଲିଯାଉଥିଲେ ଓ ଦେହାବସାନ ପର୍ଯ୍ୟନ୍ତ ଈଶ୍ୱର ଚିନ୍ତନ କରି କରି ଆଗକୁ ବଢ଼ି ଯାଉଥିଲେ।
ଏହି ସମୟରେ ଦେବତା ଓ ଋଷିଗଣ ଆସି ଯୁଧିଷ୍ଠିରଙ୍କୁ ସଶରୀରେ ସ୍ୱର୍ଗ ଯିବା ପାଇଁ ପରାମର୍ଶ ଦେଲେ। ଏଥିପାଇଁ ହିମାଳୟର ସର୍ବୋଚ୍ଚ ଶିଖର ପାର କରିବାକୁ ପଡ଼ିବ। କାରଣ ହିମାଳୟର ସର୍ବୋଚ୍ଚ ଶିଖର ଦେଶରେ ସୁମେରୁ ପର୍ବତ ରହିଛି। ସେହି ପର୍ବତର ଶିଖରରେ ସ୍ୱର୍ଗ ଅବସ୍ଥିତ। କେହି ସେଠାକୁ ସ୍ୱଦେହରେ ପ୍ରବେଶ କରି ପାରନ୍ତି ନାହିଁ। ସେଠାରେ ଦେବତାମାନଙ୍କର ବାସସ୍ଥାନ ରହିଛି। କିନ୍ତୁ ଦେବତାମାନେ ଯୁଧିଷ୍ଠିରଙ୍କୁ ଆମନ୍ତ୍ରଣ କଲେ।
ଏଣୁ ପାଞ୍ଚଭାଇ ଓ ପତ୍ନୀ ଦ୍ରୌପଦୀ ବଳ୍କଳ ପରିଧାନ କରି ଯାତ୍ରା ଆରମ୍ଭ କଲେ। ବାଟରେ ଗୋଟିଏ କୁକୁର ତାଙ୍କ ସହ ଚାଲୁଥିଲା। ସେମାନେ ସବୁ ଆଗକୁ ଆଗକୁ ବଢ଼ି ଚାଲିଲେ। ସେମାନଙ୍କ କ୍ଲାନ୍ତ ଓ ବ୍ୟଥିତ ପାଦ ଉତ୍ତର ଦିଗରେ ବଢ଼ି ଚାଲିଥିଲା ଯେଉଁଠି ଗିରିରାଜ ହିମାଳୟ ନିଜର ଉନ୍ନତ ମସ୍ତକ ଉପରେ ଶୁଭ୍ର ହିମାଚ୍ଛାଦିତ ଶିଖରର ମୁକୁଟ ଧାରଣ କରି ଛିଡ଼ା ହୋଇଛି। ଏବେ ସେମାନଙ୍କୁ ସୁମେରୁ ଗିରି ମଧ୍ୟ ଦେଖାଗଲା।
ନିସ୍ତବ୍ଧତାପୂର୍ବକ ସେମାନେ ଶ୍ୱେତ ହିମ-ରାଶି ଉପରେ ଚାଲି ଯାଉଥିଲେ। ମହାରାଣୀ ଦ୍ରୌପଦୀ ଅବସନ୍ନ ହୋଇ ଭୂମି ଉପରେ ପଡ଼ିଗଲେ। ସେ ଆଉ ଉଠି ପାରିଲେ ନାହିଁ। ଭୀମ ଯୁଧିଷ୍ଠିରଙ୍କୁ ପଚାରିଲେ, "ମହାରାଜ ଦେଖନ୍ତୁ, ମହାରାଣୀ ପଡ଼ିଗଲେ।" ମହାରାଜଙ୍କ ଆଖିରୁ ଅଶ୍ରୁ ଝରୁଥିଲା, କିନ୍ତୁ ସେ ଆଉ ପଛକୁ ବୁଲି ଦେଖିଲେ ନାହିଁ। ସେ କେବଳ ଏତିକି କହିଥିଲେ, "ଆମେ ଆମର ପରମ ଆରାଧ୍ୟ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଆତୁର ହୋଇ ଚାଲିଛନ୍ତି। ପଛକୁ ଦେଖିବାକୁ ସମୟ ନାହିଁ। ଆଗେଇ ଆସ।"
କିଛି ସମୟ ପରେ ଭୀମ ପୁଣି କହିଲେ, "ଦେଖନ୍ତୁ, ସହଦେଵ ମଧ୍ୟ ଭୂମିରେ ପଡ଼ିଗଲେଣି।" ମହାରାଜଙ୍କ ନୟନରୁ ପୁଣି ଅଶ୍ରୁର ବନ୍ୟା ଛୁଟିଲା, କିନ୍ତୁ ସେ ଅଟକିଲେ ନାହିଁ। ତାଙ୍କ ଓଠରୁ ସେହି ଆଦେଶ ବାହାରି ଆସୁଥିଲା - "ଆଗେଇ ଆସ, ଆଗେଇ ଆସ।"
ଏବେ କ୍ରମଶଃ ନକୁଳ, ଅର୍ଜୁନ ଓ ଭୀମଙ୍କର ମଧ୍ୟ ଦେହାବସାନ ହୋଇଗଲା। ଯୁଧିଷ୍ଠିର ଏକମାତ୍ର ଜୀବିତ ଥିଲେ। ସେ ଅବିରତ ଅବିଚଳିତ ଭାବରେ ଆଗେଇ ଚାଲିଥିଲେ ନିଜର ଇପ୍ସିତ ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମିତ୍ତ। ଏବେ ସେ ପଛକୁ ବୁଲି ଦେଖନ୍ତି ତ ସେଇ ବିଶ୍ୱାସୀ କୁକୁରଟି କେବଳ ତାଙ୍କ ସହ ଚାଲିଛି। କେତେ ଖାଲ ଢିପ ପାର ହୋଇ ସେହି ଅନନ୍ତ ହିମରାଶି ଉପରେ ଚଢ଼ି ଚଢ଼ି ସେ ସୁମେରୁ ପର୍ବତରେ ପହଞ୍ଚିଗଲେ। ତାଙ୍କୁ ସ୍ୱର୍ଗର ସଙ୍ଗୀତ କର୍ଣ୍ଣଗୋଚର ହେଲା। ଧର୍ମନିଷ୍ଠ ରାଜାଙ୍କ ଉପରେ ଦେବତାମାନେ ଦେବପୁଷ୍ପମାନ ବୃଷ୍ଟି କରିବାକୁ ଲାଗିଲେ। କିଛି ସମୟ ଭିତରେ ଦେବତାମାନଙ୍କର ରଥ ତାଙ୍କ ପାଖରେ ପହଞ୍ଚିଗଲା ଓ ସୁରପତି ଇନ୍ଦ୍ର ରଥରୁ ଓଲ୍ହାଇ ମହାରାଜଙ୍କୁ ପ୍ରାର୍ଥନା କଲେ, "ହେ ନରଶ୍ରେଷ୍ଠ ! ଏଇ ରଥରେ ଆପଣ ବସନ୍ତୁ, ଆପଣଙ୍କୁ ସ୍ୱଦେହରେ ସ୍ୱର୍ଗ ଗମନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି।"
କିନ୍ତୁ ନା, ଯୁଧିଷ୍ଠିର କହିଲେ, "ମୋର ସ୍ନେହର ଭାଇମାନେ ଓ ମହାରାଣୀ ଦ୍ରୌପଦୀ ନ ଆସିବା ଯାଏ ମୁଁ ଏହାକୁ ସ୍ୱୀକାର କରିପାରିବି ନାହିଁ।" ଇନ୍ଦ୍ର କହିଲେ, "ଆପଣଙ୍କ ଭାଇମାନେ ଆଗରୁ ପହଞ୍ଚି ଯାଇଛନ୍ତି।"
କ୍ରମଶଃ...
୨୬.୨.୧୮

No comments:
Post a Comment