ସାବିତ୍ରୀଙ୍କୁ ନିଜ ପତିଙ୍କ ମୃତ୍ୟୁ ତିଥି ଜଣାଥିଲା। କିନ୍ତୁ ସେ କେବେ ବି ଏ ବିଷୟରେ ତାଙ୍କ ସହ ଚର୍ଚ୍ଚା କରୁ ନ ଥିଲେ। ତାଙ୍କ ପତି ପ୍ରତିଦିନ ଗହନ ଅରଣ୍ୟରେ ପ୍ରବେଶ କରି ଫଳ, ଫୁଲ ସଂଗ୍ରହ କରି, ଚୁଲି ଜାଳିବା ପାଇଁ କାଠ ସଂଗ୍ରହ କରି ତାକୁ ବିଡ଼ା ବାନ୍ଧି ସେହି ବୋଝକୁ ମୁଣ୍ଡେଇ କୁଡ଼ିଆକୁ ଫେରିଆସୁଥିଲେ। କୁଡ଼ିଆରେ ସାବିତ୍ରୀ ଭୋଜନ ପ୍ରସ୍ତୁତ କରି ବୃଦ୍ଧ ଦମ୍ପତ୍ତିଙ୍କ ସେବା କରୁଥିଲେ। ଏଇଭଳି ସେମାନଙ୍କ ଜୀବନଧାରା ଶାନ୍ତ ଗତିରେ ପ୍ରବାହିତ ହୋଇଚାଲିଲା। ଧୀରେ ଧୀରେ ସେଇ ଦୁର୍ଦ୍ଦିନ ପାଖେଇ ଆସିଲା। ଆଉ ମାତ୍ର ତିନି ଦିନ ବାକି ଥାଏ, ସାବିତ୍ରୀ ଏଇ ତିନି ରାତି କଠୋର ବ୍ରତ ଉପବାସ କଲେ। ସେ ନିମିଷମାତ୍ର ବି ଶୋଇଲେ ନାହିଁ। ରାତିସାରା ତାଙ୍କ ଆଖିକୁ ନିଦ ଆସୁ ନ ଥିଲା, ତାଙ୍କ ହୃଦୟ ଅତ୍ୟନ୍ତ ବେଦନାରେ କାନ୍ଦି ଉଠୁଥିଲା। ଆର୍ତ୍ତ ସ୍ୱରରେ ସେ ପ୍ରଭୁଙ୍କ ଆରାଧନା କରିଚାଲିଲେ। ୟା ଭିତରେ ସେହି ଭୟାନକ ଦିବସ ଆସି ଉପସ୍ଥିତ ହେଲା। ସେଦିନ ସାବିତ୍ରୀ ସତ୍ୟବାନଙ୍କୁ ତାଙ୍କ ଆଖି ସାମନାରୁ ଟିକେ ବି ଅଲଗା କରିବାକୁ ଚାହିଁଲେ ନାହିଁ। ଯେତେବେଳେ ସବୁଦିନ ପରି ଜାଳ ସଂଗ୍ରହ ପାଇଁ ସତ୍ୟବାନ ଅରଣ୍ୟକୁ ଯିବାକୁ ବାହାରିଲେ, ସେତେବେଳେ ସାବିତ୍ରୀ ଶାଶୁ ଶଶୁରଙ୍କ ଅନୁମତି ନେଇ ତାଙ୍କ ସହିତ ଚାଲିଲେ। ଅରଣ୍ୟରେ ପହଞ୍ଚିବା ପରେ ଅଚାନକ ବଡ଼ ଆର୍ତ୍ତ ସ୍ୱରରେ ମୂର୍ଚ୍ଛା ଯିବା ପୂର୍ବରୁ ସତ୍ୟବାନ ସାବିତ୍ରୀଙ୍କୁ କହିଲେ, "ପ୍ରିୟେ, ମୋ ମୁଣ୍ଡ ଘୁରାଇ ଦେଉଛି, ମୋ ଶରୀର ଅବସନ୍ନ ହୋଇଯାଉଛି, ମୋତେ ଚାରିଆଡ଼ ଅନ୍ଧକାର ଦେଖାଯାଉଛି, ମୋତେ ତୁମ ପାଖରେ କିଛି ସମୟ ଆରାମ କରିବାକୁ ଦିଅ।"
ଭୟକ୍ରାନ୍ତ ହୋଇ କମ୍ପିତ ସ୍ୱରରେ ସାବିତ୍ରୀ କହିଲେ, "ହେ ମୋ ଜୀବନଧନ, ତୁମ ମଥା ମୋ କୋଳରେ ଥୋଇ କିଛି ସମୟ ବିଶ୍ରାମ କର।"
ସତ୍ୟବାନ ଖରାରେ ତାତି ଯାଇଥିବା ନିଜ ମଥାକୁ ନିଜ ପତ୍ନୀଙ୍କ କୋଳରେ ଥୋଇବା ମାତ୍ରେ ଏକ ଦୀର୍ଘ ଶ୍ଵାସ ନେଲେ ଓ ତାଙ୍କ ପ୍ରାଣ ପକ୍ଷୀ ଉଡ଼ିଗଲା।
ସାବିତ୍ରୀ ସେହି ଶବକୁ ନିଜ ହୃଦୟରେ ଜାବୁଡ଼ି ଧରି ଅଶ୍ରୁପୂର୍ଣ୍ଣ ନୟନରେ ସେହି ନିର୍ଜନ ସ୍ଥାନରେ ଏକାକୀ ବସି ରହିଲେ।
ଏବେ ଯମଦୂତ ସତ୍ୟବାନଙ୍କ ଆତ୍ମାକୁ ନେବା ପାଇଁ ସେଠାକୁ ଆସିଲେ। କିନ୍ତୁ ସେମାନେ ସତ୍ୟବାନଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। କାରଣ ସାବିତ୍ରୀ ନିଜ କୋଳରେ ସତ୍ୟବାନଙ୍କୁ ଧରି ଶୋକରେ ବିଳପିତ ହେଉଥିଲେ। ତାଙ୍କର ଚତୁର୍ପାର୍ଶ୍ୱରେ ଏକ ଅଗ୍ନିର ବୃତ୍ତ ତିଆରି ହୋଇଯାଇଥିଲା। ଯାହାକୁ ପାରି ହେବାର କ୍ଷମତା ଏ ଯମଦୂତଙ୍କ ପାଖରେ ନ ଥିଲା। ତେଣୁ ସେମାନେ ସମସ୍ତେ ଫେରିଗଲେ ଓ ମୃତ୍ୟୁରାଜା ଯମଙ୍କୁ ସତ୍ୟବାନଙ୍କ ଆତ୍ମାକୁ ନ ନେଇପାରିବାର କାରଣ ବତାଇଲେ।
ଏବେ ମୃତାତ୍ମାଙ୍କ ନ୍ୟାୟକର୍ତ୍ତା ସ୍ୱୟଂ ମୃତ୍ୟୁରାଜ ଯମ ସେହି ସ୍ଥାନକୁ ଆସିଲେ। ଭାରତୀୟ ମାନଙ୍କର ବିଶ୍ୱାସ ଯେ ଯମ ହେଉଛନ୍ତି ଆଦି ମୃତକ। ଅର୍ଥାତ ଏ ପୃଥିବୀରେ ସେ ହେଉଛନ୍ତି ମୃତ୍ୟୁ ପ୍ରାପ୍ତ ହୋଇଥିବା ପ୍ରଥମ ବ୍ୟକ୍ତି। ସେ ହିଁ ସମସ୍ତ ମର୍ତ୍ତ୍ୟ ପ୍ରାଣୀଙ୍କ ଅଧିପତି ପଦରେ ଆସୀନ ହୋଇଯାଇଛନ୍ତି। ସେ ବିଚାର କରନ୍ତି ଯେ ମୃତ୍ୟୁ ପର ଜୀବନରେ କିଏ କଣ ଦଣ୍ଡ ପାଇବ ବା କିଏ କଣ ପାରିତୋଷିକ ପାଇବ।
ଯମ ଦେବତା ହୋଇ ଥିବାରୁ ସେ ସହଜରେ ସେହି ଅଗ୍ନି ବଳୟ ମଧ୍ୟକୁ ପ୍ରବେଶ କରିଗଲେ। ସାବିତ୍ରୀଙ୍କ ପାଖକୁ ଆସି ସେ କହିଲେ, "ଝିଅ, ଏ ମୃତ ଦେହକୁ ଛାଡ଼ି ଦେ। ତୁ ତ ଜାଣିଛୁ, ସବୁ ପ୍ରାଣୀ ମରଣଶୀଳ। ମୁଁ ମଧ୍ୟ ଆଦି ମୃତକ ଅଟେ। ସେବେଠାରୁ ସବୁ ପ୍ରାଣୀଙ୍କୁ କାଳ କବଳିତ ହେବାକୁ ପଡୁଛି। ମନୁଷ୍ୟ ପାଇଁ ମୃତ୍ୟୁ ହେଉଛି ବିଧିର ବିଧାନ।"
କ୍ରମଶଃ....
୧୪.୨.୧୮

No comments:
Post a Comment