ଯୁଧିଷ୍ଠିର ଉତ୍ତର ଦେଲେ,
"ଅହନ୍ୟହନି ଭୂତାନି ଗଚ୍ଛନ୍ତି ଯମମନ୍ଦିରମ।
ଶେଷାଃ ସ୍ଥିରତ୍ୱମିଚ୍ଛନ୍ତି, କିମାଶ୍ଚର୍ଯ୍ୟମତଃ ପରମ୍।।"
ଅର୍ଥାତ, ପ୍ରତିକ୍ଷଣ ଆମେ ସମସ୍ତେ ପ୍ରାଣୀମାନଙ୍କୁ କାଳ-କବଳିତ ହେବା ଦେଖୁଥାଉଁ, ତଥାପି ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ଭାବୁଥାନ୍ତି ଯେ ସେମାନେ କେବେ ବି ମରିବେ ନାହିଁ। ଏହା ହିଁ ସଂସାରର ସବୁଠାରୁ ଆଶ୍ଚର୍ଯ୍ୟକାରକ ବସ୍ତୁ। ମୃତ୍ୟୁ ଦ୍ୱାର ଦେଶରେ ଠିଆ ହୋଇଥିଲେ ମଧ୍ୟ କାହାକୁ ବି ବିଶ୍ୱାସ ହୁଏ ନାହିଁ ଯେ ସେ ମରିଯିବ !
ଆଉ ଗୋଟିଏ ପ୍ରଶ୍ନ ଥିଲା,
"କଃ ପନ୍ଥାଃ ?"
ଅର୍ଥାତ ତାହା କେଉଁ ମାର୍ଗ, ଯାହାକୁ ଅନୁସରଣ କଲେ ମନୁଷ୍ୟର ଯଥାର୍ଥ କଲ୍ୟାଣ ହେବ ?
ମହାରାଜ ଯୁଧିଷ୍ଠିର କହିଲେ,
"ତର୍ କୋ ପ୍ରତିଷ୍ଠାଃ ଶ୍ରୁତୟୋ ବିଭିନ୍ନାଃ
ନାସୌ ମୁନିର୍ଯସ୍ୟ ମତଂ ନ ଭିନ୍ନମ।
ଧର୍ମସ୍ୟ ତତ୍ୱଂ ନିହିତଂ ଗୁହାୟାଂ
ମହାଜନୋ ୟେନ ଗତଃ ସ ପନ୍ଥାଃ।"
ଅର୍ଥାତ, "ତର୍କ ଦ୍ୱାରା କୌଣସି ନିଷ୍କର୍ଷରେ ପହଞ୍ଚି ହୁଏ ନାହିଁ। କାରଣ ଭିନ୍ନ ଭିନ୍ନ ମତ ମତାନ୍ତରର ଭିନ୍ନ ଭିନ୍ନ ତର୍କ ରହିଛି। ଶ୍ରୁତିଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ପରସ୍ପର ବିରୋଧୀ ମତ ପୋଷଣ କରିଥାନ୍ତି। ଏପରି କେଉଁଠି ଦୁଇ ଜଣ ମୁନି ମିଳିବେ ନାହିଁ ଯାହାଙ୍କ ମତ ଏକ ହୋଇଥିବ। ଧର୍ମର ରହସ୍ୟ ମଧ୍ୟ ଅତ୍ୟନ୍ତ ଗହନ। ଅର୍ଥାତ, ମହାପୁରୁଷମାନେ ଯେଉଁ ମାର୍ଗରେ ପ୍ରୟାଣ କରିଛନ୍ତି, ତାହାର ଅନୁସରଣ କରିବା ଉଚିତ।"
ଏହିପରି ଅନେକ ପ୍ରଶର ଉତ୍ତର ଶୁଣିବା ପରେ ଯକ୍ଷ କହିଲେ, "ମୁଁ ଆପଣଙ୍କ ଉତ୍ତରରେ ଅତ୍ୟନ୍ତ ପ୍ରସନ୍ନ ହେଲି। ମୁଁ ସାରସ ରୂପେ ଧର୍ମ ଅଟେ। ମୁଁ ଆପଣଙ୍କର ପରୀକ୍ଷା ନେଉଥିଲି।
ଆଉ କିଛି ପ୍ରଶ୍ନ ପଚାରିବା ପରେ ସେ ସବୁ ଭାଇମାନଙ୍କୁ ଜୀବିତ କରିଦେଲେ। ସେ କହିଲେ ଏ ସବୁ ମୋର ମାୟା ଥିଲା। ହେ ରାଜନ ! ଆପଣ ଅର୍ଥ, କାମ ଅପେକ୍ଷା ଅହିଂସାକୁ ଶ୍ରେଷ୍ଠ ମାନିଛନ୍ତି। ଏଥିପାଇଁ ଆପଣଙ୍କର ସମସ୍ତ ଭାଇ ଜୀବିତ ହୋଇଯାଆନ୍ତୁ।"
ଯକ୍ଷ ଏହି କଥା କହିବା ମାତ୍ରେ ଚାରି ପାଣ୍ଡବ ନିଦରୁ ଉଠିଲା ଭଳି ଉଠି ଆସିଲେ।
ଏଠାରେ ମହାରାଜ ଯୁଧିଷ୍ଠିରଙ୍କ ସ୍ଵଭାଵ ଓ ଚରିତ୍ରର ଏକ ଝଲକ ଦେଖିବାକୁ ମିଳେ। ତାଙ୍କର ଉତ୍ତରରେ ଆମକୁ ଦେଖିବାକୁ ମିଳେ ଯେ ସେ କେବଳ ରାଜା ନଥିଲେ, ବରଂ ସେ ଥିଲେ ଜଣେ ଜ୍ଞାନୀ, ଦାର୍ଶନିକ ଓ ଶ୍ରେଷ୍ଠ ଯୋଗୀ।
ଏତିକିବେଳେ ଦେଶ-ନିର୍ବାସନର ତେର ବର୍ଷ ପାଖେଇ ଆସୁଥାଏ। ଏଥିପାଇଁ ଯକ୍ଷ ମହାରାଜ ଯୁଧିଷ୍ଠିରଙ୍କୁ ରାଜା ବିରାଟଙ୍କ ରାଜ୍ୟରେ ବେଷ ବଦଳାଇ ରହିବା ପାଇଁ ପରାମର୍ଶ ଦେଲେ।
କ୍ରମଶଃ...
୧୮. ୨. ୧୮

No comments:
Post a Comment