ବ୍ରାହ୍ମଣ ଭିକ୍ଷାବୃତ୍ତି ଦ୍ୱାରା ଜୀବନ ନିର୍ବାହ କରନ୍ତି। ବ୍ରାହ୍ମଣ ବେଶରେ ଜୀବନ ନିର୍ବାହ କରୁଥିବା ପାଣ୍ଡଵମାନେ ମଧ୍ୟ ପ୍ରତିଦିନ ଘରୁ ବାହାରି ବିଭିନ୍ନ ସ୍ଥାନ ବା ଜନବସତିରୁ ଭିକ୍ଷା କରି ଯାହା ଆଣୁଥିଲେ ସେ ସବୁକୁ ସେମାନେ ମାଆ କୁନ୍ତୀଙ୍କୁ ଦେଇ ଦେଉଥିଲେ। ମାଆ କୁନ୍ତୀ ସେ ସବୁକୁ ବିଭଜନ କରୁଥିଲେ।
ପାଞ୍ଚଭାଇ ରାଜକୁମାରୀଙ୍କୁ ସାଙ୍ଗରେ ଧରି ମାତା କୁନ୍ତୀଙ୍କ ପାଖକୁ ଆସିଲେ। ଘର ପାଖରେ ପହଞ୍ଚିବା କ୍ଷଣି ସେମାନେ ହର୍ଷ ଓ ଉଲ୍ଲାସରେ ତାଙ୍କୁ ଡାକ ପକାଇଲେ, "ମାଆ, ମାଆ, ଆଜି ଆମେ ଏକ ଅଦ୍ଭୁତ ଭିକ୍ଷା ଘରକୁ ନେଇ ଆସିଛୁ।"
ମାଆ ଘର ଭିତରେ ଥାଇ ଜବାବ ଦେଲେ, "ବତ୍ସ, ପାଞ୍ଚ ଜଣ ମିଶି ତାକୁ ଉପଭୋଗ କର।"
ଦ୍ୱାର ଖୋଲି ଯେତେବେଳେ କୁନ୍ତୀ ରାଜକୁମାରୀଙ୍କୁ ଦେଖିଲେ, ଚିନ୍ତାରେ ପଡ଼ିଗଲେ ଓ କହିଲେ, "ଆରେ ମୁଁ କ'ଣ କଲି, ମୁଁ ଏମିତି କାହିଁକି କହିଦେଲି ? ଇଏ ତ ଏକ କନ୍ୟା।"
କିନ୍ତୁ ଏବେ ଆଉ କଣ ହୋଇ ପାରିବ ?
ଯାହା କିଛି ମାଆ କହିଦେଲେ ତାହା ଅସତ୍ୟ ହୋଇ ପାରିବ ନାହିଁ। ତାହା ମାଆଙ୍କ ଆଜ୍ଞା ଥିଲା -
ତାକୁ ପାଳନ କରିବା ହିଁ ପୁତ୍ର ଧର୍ମ ଥିଲା।
ଆଜି ପର୍ଯ୍ୟନ୍ତ ମାଆଙ୍କ ଠାରୁ ସେମାନେ ମିଥ୍ୟା ଶୁଣି ନାହାନ୍ତି। ମାଆ ଯାହା କହିଛନ୍ତି ସେମାନେ ତାହା ଅକ୍ଷରଶାଃ ପାଳନ କରିଆସିଛନ୍ତି। ମାଆଙ୍କର ଏହି ଶବ୍ଦ ମିଥ୍ୟା କିପରି ହେବ ? ତେଣୁ ଦ୍ରୌପଦୀ ପାଞ୍ଚଭାଇଙ୍କର ପତ୍ନୀ ହୋଇ ରହିଲେ।
ଆପଣମାନଙ୍କୁ ଭଲଭାବେ ଜଣାଥିବ ଯେ, ପ୍ରତ୍ୟେକ ଜାତିର ବିକାଶକ୍ରମର ଏକ ଇତିହାସ ରହିଥାଏ ଓ ସେଥିରେ ଭିନ୍ନ ଭିନ୍ନ ଅବସ୍ଥା ରହିଥାଏ। ଏହି ମହାଗ୍ରନ୍ଥର ପାର୍ଶ୍ୱଭୂମିରେ ଆମକୁ ସେ ସମୟର ବା ଅତୀତର ଏକ ଝଲକ ଦେଖିବାକୁ ମିଳୁଛି।
ଏହି ମହାନ କାବ୍ୟର ଲେଖକ ପାଞ୍ଚ ଭାଇଙ୍କ ଏକ ସ୍ତ୍ରୀ ଠାରୁ ପାଣିଗ୍ରହଣ କଥା ଉଲ୍ଲେଖ କରିଛନ୍ତି, କିନ୍ତୁ ସେଥିରେ ଏକ ପରଦା ପକାଇବାର ଚେଷ୍ଟା କରିଛନ୍ତି, ତା ପାଇଁ ବାହାନା ବା କାରଣ ଖୋଜିବାର ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଏହା ମାଆଙ୍କର ଆଜ୍ଞା ଥିଲା ଯାହାକୁ ପୁତ୍ରମାନଙ୍କୁ ମାନିବାକୁ ପଡ଼ିଲା। ଏହି ବିଚିତ୍ର ବିବାହ ପାଇଁ ମାଆଙ୍କ ସମ୍ମତି ମିଳିଥିଲା, ଇତ୍ୟାଦି..ଇତ୍ୟାଦି...।
କିନ୍ତୁ ଆପଣମାନେ ଜାଣିଛନ୍ତି ଯେ, ପ୍ରତ୍ୟେକ ରାଷ୍ଟ୍ରର ବିକାଶକ୍ରମରେ ଏପରି ଅବସ୍ଥା ବି ଆସିଥାଏ, ଯେଉଁଥିରେ ବହୁଭର୍ତ୍ତୃତ୍ୱକୁ ମାନ୍ୟତା ପ୍ରଦାନ କରାଯାଇଥାଏ ଓ ଏକ ପରିବାରରେ ସବୁ ଭାଇ ମିଶି ଏକ ସ୍ତ୍ରୀ ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥାନ୍ତି। ସେହି କ୍ରମରେ ଏଇ ଘଟଣା ସେହି ବହୁଭର୍ତ୍ତୃତ୍ୱ ଯୁଗର ଏକ ଝଲକ ମାତ୍ର।
କ୍ରମଶଃ....
୬. ୨. ୧୮

No comments:
Post a Comment