ଏବେ ଯୁଧିଷ୍ଠିର ଚାରିଆଡ଼କୁ ଦେଖିଲେ, ତାଙ୍କ ସାଙ୍ଗରେ କେବଳ ସେହି କୁକୁର ହିଁ ଥିଲା। ସେ ତାକୁ କହିଲେ, "ବତ୍ସ, ରଥରେ ଚଢ଼।"
ଏହାଶୁଣି ଇନ୍ଦ୍ର ଚକିତ ହୋଇଗଲେ। ସେ କହିଲେ, "କଣ ଏଇ ଅଧମ କୁକୁର ରଥ ଉପରେ ବସିବ ? ମହାରାଜ ଆପଣ କଣ ଏଠାରେ ପହଞ୍ଚି ବିଚାର ଶକ୍ତି ସବୁ ହରାଇ ଦେଲେ କି ? କଣ ହେଇଛି ଆପଣଙ୍କର ?
ଏ କୁକୁରକୁ ବିଦା କରିଦିଅନ୍ତୁ। ଇଏ କେମିତି ସ୍ଵର୍ଗକୁ ଯିବ ?
ମହାରାଜ, ଆପଣ ହେଉଛନ୍ତି ମନୁଷ୍ୟ ଜାତିରେ ସର୍ବଶ୍ରେଷ୍ଠ ଧାର୍ମିକ ଲୋକ। ତେଣୁ କେବଳ ଆପଣ ହିଁ ସଶରୀରେ ସ୍ୱର୍ଗ ଗମନ କରିପାରିବେ।"
ଇନ୍ଦ୍ରଙ୍କ ଠାରୁ ଏଇ କଥା ଶୁଣି ଯୁଧିଷ୍ଠିର ଶାନ୍ତ ଚିତ୍ତରେ କହିଲେ, "ଏଇ କୁକୁରଟି ପ୍ରବଳ ଥଣ୍ଡା ଓ ଶୀତରେ ମୋ ସହ ଚାଲିଛି। ମୋର ଚାରି ଭାଇ ଜଣ ଜଣ କରି ଦେହ ତ୍ୟାଗ କରିଦେଲେ। ମହାରାଣୀ ଦ୍ରୋପଦୀ ମଧ୍ୟ ମୋ ସହ ଆସିବାକୁ ସକ୍ଷମ ହେଲେ ନାହିଁ, କିନ୍ତୁ ଏହି ସ୍ୱାମୀଭକ୍ତ କୁକୁର କେବେ ବି ମୋତେ ଛାଡ଼ି କୁଆଡ଼େ ଯାଇ ନାହିଁ। ତେଣୁ ମୁଁ କିପରି ତାକୁ ଏକୁଟିଆ ଏଠାରେ ଛାଡ଼ି ଦେଇଯିବି ?"
ଇନ୍ଦ୍ର କହିଲେ, "କୁକୁର ନେଉଥିବା ମନୁଷ୍ୟକୁ ସ୍ଵର୍ଗରେ ସ୍ଥାନ ମିଳିବ ନାହିଁ। ଏଥିପାଇଁ ଏ କୁକୁରକୁ ଆପଣ ଏଠାରେ ଛାଡ଼ି ଦେଇଯାନ୍ତୁ। ଏଥିରେ ଆପଣଙ୍କର କିଛି ଅଧର୍ମ ହେଇଯିବ ନାହିଁ।"
ଏହି କଥାରେ ଯୁଧିଷ୍ଠିର ଟିକେ ନିଷ୍ଠୁର ହୋଇ କହିଲେ, "ଯଦି ମୋର ଏଇ ବିଶ୍ୱାସୀ କୁକୁର ପାଇଁ ସ୍ଵର୍ଗରେ ସ୍ଥାନ ନାହିଁ, ତେବେ ସେହି ସ୍ୱର୍ଗ ଯିବାରେ ମୋର କିଛି ପ୍ରୟୋଜନ ନାହିଁ। ମୋ ଦେହରେ ପ୍ରାଣ ଥିବା ପର୍ଯ୍ୟନ୍ତ ମୁଁ ମୋର ସାଥୀକୁ ପରିତ୍ୟାଗ କରିଦେବାର ଚିନ୍ତା କରିପାରିବି ନାହିଁ। କାରଣ ସେ ମୋର ଆଶ୍ରୟରେ ଏତେ ବାଟ ଚାଲି ଆସିଛି। ସ୍ୱର୍ଗର ଆନନ୍ଦ ଅଥବା କୌଣସି ଦେବତାଙ୍କର ଆଦେଶ ମୋତେ ପଥ ଭ୍ରଷ୍ଟ କରିପାରିବ ନାହିଁ କିମ୍ବା ମୋତେ ଧର୍ମର ମାର୍ଗରୁ ବିଚ୍ୟୁତ କରିପାରିବ ନାହିଁ।"
ଏହା ଶୁଣି ସୁରରାଜ ଇନ୍ଦ୍ର କହିଲେ, "କେବଳ ଗୋଟିଏ ସର୍ତ୍ତରେ କୁକୁର ଆପଣଙ୍କ ସହିତ ଯାଇପାରିବ। ଆପଣ ନର ଶ୍ରେଷ୍ଠ। ଆପଣ ମନୁଷ୍ୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଧର୍ମପରାୟଣ ବ୍ୟକ୍ତି। କିନ୍ତୁ ଏହି କୁକୁର ଗୋଟେ ଅଧମ ଯୋନିରୁ ଜନ୍ମିତ ଏକ ମାଂସଭକ୍ଷୀ ପଶୁଟିଏ ମାତ୍ର। ଇଏ ପାପାତ୍ମା ଅଟେ। ଏହାର ଜୀବନ ହିଂସାରେ ପୂର୍ଣ୍ଣ ଅଟେ। ଆପଣ ଜଣେ ପୁଣ୍ୟାତ୍ମା ବ୍ୟକ୍ତି। ଆପଣ ଆପଣଙ୍କ ପୁଣ୍ୟସବୁ ତାକୁ ଦେଇ ଦିଅନ୍ତୁ।"
ମହାରାଜ ଯୁଧିଷ୍ଠିର କ୍ଷଣେ ମାତ୍ର ଚିନ୍ତା ନ କରି କହିଲେ, "ହେ ସୁରରାଜ ! ଆପଣଙ୍କ କଥାକୁ ମୁଁ ହୃଦୟର ସହ ସ୍ୱୀକାର କରୁଛି। ଆପଣ ତୁରନ୍ତ ଏଇ କୁକୁରକୁ ରଥରେ ବସେଇ ସ୍ୱର୍ଗକୁ ନେଇଯାନ୍ତୁ।"
ଯୁଧିଷ୍ଠିର ଏତିକି କହିବା ମାତ୍ରେ ସେ ସ୍ଥାନର ଦୃଶ୍ୟ ପରିବର୍ତ୍ତିତ ହୋଇଗଲା। ତାଙ୍କର ଏହି ଉଦ୍ଦାତ୍ତ ଓ ଉଦାର ଭାବ ଶୁଣି ସେହି କୁକୁରଟି ନିଜର ବାସ୍ତବ ରୂପ ପ୍ରକଟ କଲା।
ଯୁଧିଷ୍ଠିର ଦେଖିଲେ, ତାଙ୍କ ସମ୍ମୁଖରେ ସାକ୍ଷାତ ଧର୍ମରାଜ, ନ୍ୟାୟ ଓ ମୃତ୍ୟୁର ଦେବତା - ଯମ ଛିଡ଼ା ହୋଇଛନ୍ତି।
ଯମରାଜ ଯୁଧିଷ୍ଠିରଙ୍କୁ କହିଲେ, "ହେ ରାଜା, ଆପଣଙ୍କ ପରି ନିଃସ୍ୱାର୍ଥ ବ୍ୟକ୍ତି ଏ ପର୍ଯ୍ୟନ୍ତ ଏ ଭୂମଣ୍ଡଳରେ କେହି ଜନ୍ମି ନାହାନ୍ତି। ଏକ ସାମାନ୍ୟ କୁକୁର ପାଇଁ ଜୀବନ ସାରା ଅର୍ଜିଥିବା ସମସ୍ତ ପୁଣ୍ୟକୁ ତ୍ୟାଗ କରିଦେବା ପାଇଁ ଆପଣ ଯେପରି ପ୍ରସ୍ତୁତ ହୋଇଗଲେ ତାହା ମୋତେ ମୁଗ୍ଧ କରିଛି।
ହେ ମହାରାଜ ! ଆପଣଙ୍କୁ ଜନ୍ମ ଦେଇ ଏ ବସୁଧା ଧନ୍ୟ ହୋଇଯାଇଛି। ଆପଣଙ୍କ ହୃଦୟ ପ୍ରାଣୀମାତ୍ରଙ୍କ ସ୍ନେହ ଓ କରୁଣାରେ ପ୍ଳାବିତ ହେଉଛି। ଏଥିପାଇଁ ଆପଣ ନିଜର ପୁଣ୍ୟ ପ୍ରଭାବ ଦ୍ୱାରା ଏଇ ସବୁ ଅନନ୍ତ ଆନନ୍ଦମୟ ଲୋକର ଉପାର୍ଜନ କରିସାରିଛନ୍ତି। ତେଣୁ ସ୍ୱର୍ଗଲୋକ ହିଁ ଆପଣଙ୍କ ପାଇଁ ଉପଯୁକ୍ତ ଧାମ ଅଟେ।"
ତା'ପରେ ମହାରାଜା ଯୁଧିଷ୍ଠିର ଇନ୍ଦ୍ର, ଯମ ଓ ଅନ୍ୟ ଦେବତାମାନଙ୍କ ସହିତ ରଥରେ ବସି ସ୍ଵର୍ଗାରୋହଣ କରିଛନ୍ତି।
କ୍ରମଶଃ....
୨୭. ୨. ୧୮

No comments:
Post a Comment