Thursday, 15 February 2018

*ଯମ-ସାବିତ୍ରୀ ସମ୍ବାଦ -୨*

ଯମଙ୍କ କଥା ଶୁଣି ସାବିତ୍ରୀ ଶବଠାରୁ କିଛି ଦୂରରେ ଛିଡ଼ା ହେଲେ। ଯମରାଜ ସତ୍ୟବାନଙ୍କ ଆତ୍ମାକୁ ନେଇ ଯମପୁରକୁ ବାହାରିଗଲେ। କିଛି ଦୂର ଚାଲିଯିବା ପରେ ଶୁଖିଲା ପତ୍ର ଉପରେ ଚଢ଼ି ଆସୁଥିବା କାହା ପାଦ ଚଲା ଖଡ଼ ଖଡ଼ ଶବ୍ଦ ସେ ଶୁଣିବାକୁ ପାଇଲେ। ପଛକୁ ଚାହିଁ ଦେଖିଲେ - ସାବିତ୍ରୀ ତାଙ୍କ ପଛରେ ଆସୁଅଛି।

ସେ ପଛକୁ ବୁଲି ଛିଡ଼ା ହୋଇଗଲେ ଏବଂ ସାବିତ୍ରୀଙ୍କୁ କହିଲେ, "ଝିଅ, ତୁ କାହିଁକି ତୁଚ୍ଛାଟାରେ ମୋ ପଛରେ ଆସୁଛୁ। ସମସ୍ତ ଦେହଧାରୀଙ୍କୁ ଦେହତ୍ୟାଗ କରିବାକୁ ପଡ଼ିଥାଏ, ମୃତ୍ୟୁ ତ ମନୁଷ୍ୟର ନିୟତି ଅଟେ।

ସାବିତ୍ରୀ କହିଲେ, "ବାବା, ମୁଁ କୋଉଠି ଆପଣଙ୍କ ଅନୁସରଣ କରୁଛି ? ଏହା ତ ନାରୀର ଅଭିପ୍ସା ଯେ ଯେଉଁ ଆଡ଼େ ତାର ପ୍ରିୟ ପତି ଯିବେ ସେ ହିଁ ତାଙ୍କରି ଅନୁଧାବନ କରିବ ଏବଂ ଏହା ମଧ୍ୟ ସନାତନ ନିୟମ ଅଟେ ଯେ ପତିବ୍ରତା ସ୍ତ୍ରୀ ଓ ପତ୍ନୀବ୍ରତ ପତି ମଧ୍ୟରେ କେବେ ବିଚ୍ଛେଦ ହୁଏ ନାହିଁ।"

ସାବିତ୍ରୀଙ୍କ କଥାରେ ମୃତ୍ୟୁ ଦେବତା ପ୍ରସନ୍ନ ହୋଇ କହିଲେ, "ତୋର ପତିର ଜୀବନ ବ୍ୟତୀତ ମୋ ଠାରୁ କୌଣସି ଏକ ବର ମାଗି ନେ।"

ସାବିତ୍ରୀ କହିଲେ, "ଯଦି ଆପଣଙ୍କର ମୋ ଉପରେ ଏତେ କୃପା ଅଛି, ତେବେ ହେ ମୃତ୍ୟୁଦେଵ ! ମୋ ଶ୍ଵଶୁରଙ୍କ ଚକ୍ଷୁ ଫେରେଇ ଦିଅ, ସେ ତାଙ୍କ ଦୃଷ୍ଟିଶକ୍ତି ଫେରିପାଇ ସୁଖରେ ରୁହନ୍ତୁ।"

"ତଥାସ୍ତୁ ଝିଅ।" କହି ଯମରାଜ ସତ୍ୟବାନଙ୍କ ଆତ୍ମାକୁ ନେଇ ଆଗେଇ ଚାଲିଲେ।  କିଛି ବାଟ ଯିବା ପରେ ତାଙ୍କୁ ପୁଣି ସେହିପରି ଶବ୍ଦ ପଛ ଆଡୁ ଶୁଣାଗଲା।
ସେ ପଛକୁ ବୁଲି ଦେଖିଲେ ପୁଣି ସାବିତ୍ରୀ ପଛରେ ଚାଲିଛି।

ଯମରାଜ କହିଲେ, "ଝିଅ, ପୁଣି ତୁ ମୋ ପଛରେ ଆସୁଛୁ ?"

ସାବିତ୍ରୀ କହିଲେ, "ହଁ, ବାବା, ମୁଁ ଆପଣଙ୍କ ପଛରେ ଆସିବାକୁ ବିବଶ ହୋଇପଡୁଛି। ମୁଁ ମୋର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଫେରିଯିବାକୁ ଚାହୁଁଛି। କିନ୍ତୁ ମୋର ମନ ମୋର ପତିଙ୍କ ପଛେ ପଛେ ଧାଇଁବାରୁ ମୋ ଶରୀର ତାର ଅନୁସରଣ କରୁଛି। ମୋର ଆତ୍ମା ତ ପ୍ରଥମରୁ ଚାଲି ଯାଇଛି। କାରଣ ମୋ ସ୍ୱାମୀଙ୍କ ଆତ୍ମାରେ ହିଁ ମୋର ଆତ୍ମା ରହିଛି; ଏବଂ ଯେଉଁଆଡ଼େ ଆତ୍ମା ଯିବ, ସେଇଆଡ଼େ ଶରୀର ଯିବ - ଏହା ମଧ୍ୟ ନିୟତି ଅଟେ।"

ଏହା ଶୁଣି ଯମରାଜ କହିଲେ, "ଝିଅ, ମୁଁ ତୋର କଥାରେ ଅତ୍ୟନ୍ତ ପ୍ରସନ୍ନ ହୋଇଛି। ନିଜ ପତିଙ୍କ ଜୀବନଦାନ ବ୍ୟତୀତ ତୁ ମୋତେ ଆଉ ଗୋଟିଏ ବର ମାଗିନେ।"

ସାବିତ୍ରୀ କହିଲେ, "ବାବା, ଆପଣ ଯଦି ମୋ ଉପରେ ପ୍ରସନ୍ନ ଅଛନ୍ତି ତେବେ ମୋ ଶ୍ୱଶୁର ହରାଇଥିବା ସମସ୍ତ ସମ୍ପତ୍ତି ତାଙ୍କୁ ଫେରାଇ ଦିଅନ୍ତୁ।"

ଯମରାଜ କହିଲେ, "ଝିଅ, ତାହା ମଧ୍ୟ ମୁଁ ତୋର କଥାରେ ତାଙ୍କୁ ଫେରାଇ ଦେଉଛି। ଏବେ ତୁ ଘରକୁ ଫେରିଯା, କାରଣ ଯମରାଜ ସହ କୌଣସି ଦେହଧାରୀ ଚାଲିକି ଯିବା ସମ୍ଭବ ନୁହେଁ।"

ଏହା କହି ଯମରାଜ ସତ୍ୟବାନର ଆତ୍ମାକୁ ଧରି ପୁଣି ଯମପୁର ଆଡ଼କୁ ଆଗେଇ ଚାଲିଲେ। କିନ୍ତୁ, ଏବେ ମଧ୍ୟ ଶୀଳବତୀ ଓ ପତିପରାୟଣା ସାବିତ୍ରୀ ନିଜ ମୃତ ପତିଙ୍କ ପିଛା ଛାଡ଼ିଲେ ନାହିଁ। ଯମରାଜ ପୁଣି ପଛକୁ ବୁଲି ସାବିତ୍ରୀଙ୍କୁ କହିଲେ -

"ହେ ମନସ୍ୱିନୀ, ହେ ସାବିତ୍ରୀ, ଏଭଳି ଶୋକାକୁଳ ହୋଇ ମୋ ପଛରେ ଆସ ନାହିଁ।"

ସାବିତ୍ରୀ କହିଲେ, "ମୁଁ ବିବଶ ଅଟେ। ଆପଣ ମୋ ହୃଦୟ ଧନକୁ ଯେଉଁ ଆଡ଼େ ନେଇଯିବେ ସେଇଆଡ଼େ ଯିବା ବ୍ୟତୀତ ମୋର ଆଉ କିଛି ଚାରା ନାହିଁ।"

ଯମରାଜ କହିଲେ, " ଝିଅ, ଯଦି ତୋର ପତି ପାପୀ ହୋଇଥିବ ଓ ତାକୁ ନର୍କ ଯିବାକୁ ହେବ, ତେବେ କଣ ତୁ ତାଙ୍କ ସହ ଯାଇ ନର୍କବାସ କରିବୁ ?"

ସାବିତ୍ରୀ କହିଲେ, "ନର୍କ ହେଉ ବା ସ୍ୱର୍ଗ, ମୃତ୍ୟୁ ହେଉ ବା ଜୀବନ - ଯେଉଁଠି ମୋର ସ୍ୱାମୀ ରହିବେ, ସେଠାରେ ତାଙ୍କ ସହ ରହିବାରେ ମୋତେ ଆନନ୍ଦ ମିଳିବ।"

କ୍ରମଶଃ...

୧୫. ୨. ୧୮

No comments: