Thursday, 8 February 2018

*ରାଜସୂୟ ଯଜ୍ଞ*

ଦୁର୍ଯୋଧନ ଓ ତାଙ୍କ ଅନୁଚରମାନେ ପାଣ୍ଡଵମାନଙ୍କୁ ଶେଷ କରିବା ପାଇଁ ନାନା ପ୍ରକାର ଷଡ଼ଯନ୍ତ୍ର ତିଆରି କଲେ। କିନ୍ତୁ ଗୁରୁଜନଙ୍କ ଆଶୀର୍ବାଦ ଓ ନୀତିପୂର୍ଣ୍ଣ ଉପଦେଶ କାରଣରୁ ସେଥିରୁ ନିବୃତ୍ତ ରହିବାକୁ ମହାରାଜ ଧୃତରାଷ୍ଟ୍ର ବାଧ୍ୟ ହେଉଥିଲେ। ପୁରଜନଙ୍କ ସଭାରେ ହର୍ଷ ଓ ଉଲ୍ଲାସର ସହ ମହାରାଜ ଧୃତରାଷ୍ଟ୍ର ପାଣ୍ଡଵମାନଙ୍କୁ ଅଧା ରାଜ୍ୟ ଅର୍ପଣ କରିଦେଲେ। ସେତିକିରେ ପାଣ୍ଡଵମାନେ ନିଜ ରାଜଧାନୀ କରିବା ପାଇଁ ଇନ୍ଦ୍ରପ୍ରସ୍ତ ନାମକ ଏକ ସୁନ୍ଦର ନଗର ତିଆରି କଲେ। ତାର ଚତୁର୍ପାର୍ଶ୍ୱର ଅଞ୍ଚଳକୁ ନିଜ ଅଧୀନ କରି ରାଜ୍ୟର ବିସ୍ତାର କଲେ।

ଜ୍ୟେଷ୍ଠ ଭାଇ ମହାରାଜ ଯୁଧିଷ୍ଠିର ନିଜକୁ ପ୍ରାଚୀନ ଭାରତରେ ସବୁ ରାଜାମାନଙ୍କର ରାଜା ଘୋଷଣା କରିବାପାଇଁ ରାଜସୂୟ ଯଜ୍ଞର ଆୟୋଜନ କରିବାକୁ ନିଶ୍ଚୟ କଲେ।

ଏଇଭଳି ଯଜ୍ଞରେ ସବୁ ପରାଜିତ ରାଜାମାନଙ୍କୁ ଯୁଦ୍ଧଭୁଇଁକୁ ଅଣାଯାଉଥିଲା ଏବଂ ସେମାନେ ରାଜଭକ୍ତିର ଶପଥ ନେଉଥିଲେ।

ସେତେବେଳକୁ ଶ୍ରୀକୃଷ୍ଣ ମଧ୍ୟ ତାଙ୍କ କୁଟୁମ୍ବୀ ଓ ମିତ୍ର ହୋଇସାରିଥିଲେ। ସେ ଏହି ନିର୍ଣ୍ଣୟର ପ୍ରଶଂସା କଲେ। କିନ୍ତୁ ଯଜ୍ଞ ପୂର୍ତ୍ତି ହେବାରେ ଗୋଟିଏ ବାଧା ଥିଲା।

ଜରାସନ୍ଧ ନାମକ ଜଣେ ରାଜା ଗୋଟିଏ ଯଜ୍ଞରେ ଶହେ ରାଜାଙ୍କୁ ଆହୂତି ଦେବା ପାଇଁ ଛୟାଅସୀ ରାଜାଙ୍କୁ ନିଜ କାରାଗାରରେ ବନ୍ଦୀ କରି ରଖିଥିଲେ। ଶ୍ରୀକୃଷ୍ଣ ପାଣ୍ଡଵମାନଙ୍କୁ ପରାମର୍ଶ ଦେଲେ ଜରାସନ୍ଧ ସହ ଯୁଦ୍ଧ କରି ସେହି ରାଜାମାନଙ୍କୁ ମୁକ୍ତ କରିବା ପାଇଁ। କୃଷ୍ଣ, ଭୀମ, ଅର୍ଜୁନ ଯାଇ ଯୁଦ୍ଧର ଆହ୍ୱାନ ଦେଲେ। ସେମାନଙ୍କ ଆହ୍ୱାନ ସ୍ୱୀକାର କରି ଜରାସନ୍ଧ ଭୀମ ସହ ମଲ୍ଲଯୁଦ୍ଧ କଲେ। ଚଉଦ ଦିନ ଏହି ଯୁଦ୍ଧ ଅନବରତ ଚାଲିବା ପରେ ଜରାସନ୍ଧ ପରାସ୍ତ ହେଲେ ଏବଂ ରାଜାଗଣ କାରାମୁକ୍ତ ହେଲେ।

ତା'ପରେ ଚାରି ଭାଇ ଚାରି ଦିଗରେ ବିଜୟ ବାହିନୀ ଧରି ବିଜୟ ପତାକା ଉଡ଼ାଇବାକୁ ବାହାରିଲେ। ସମସ୍ତ ରାଜା ଯୁଧିଷ୍ଠିରଙ୍କ ଅଧୀନତା ସ୍ୱୀକାର କରିଗଲେ। ଚାରି ଦିଗରୁ ଫେରି ଯୁଦ୍ଧାର୍ଜିତ ସମ୍ପତ୍ତି, ବିପୁଳ ଧନ-ରାଶି ଯଜ୍ଞରେ ବ୍ୟୟ କରିବା ପାଇଁ ବଡ଼ ଭାଇର ଚରଣ ତଳେ ଥୋଇ ଦେଲେ।

କାରାମୁକ୍ତ ରାଜାମାନଙ୍କ ସହିତ ଚାରି ଭାଇଙ୍କ ଦ୍ୱାରା ବିଜିତ ବାକି ସବୁ ରାଜା ରାଜସୂୟ ଯଜ୍ଞରେ ସମ୍ମିଳିତ ହେଲେ। ସେମାନେ ସମସ୍ତେ ମହାରାଜା ଯୁଧିଷ୍ଠିରଙ୍କୁ ସମ୍ରାଟ ରୂପେ ସମ୍ମାନ ଦେଲେ। ମହାରାଜା ଧୃତରାଷ୍ଟ୍ର ଓ ତାଙ୍କର ସମସ୍ତ ପୁତ୍ର ମଧ୍ୟ ଏହି ସମାରୋହରେ ନିମନ୍ତ୍ରିତ ହୋଇ ଆସିଥିଲେ। ଯଜ୍ଞ ସମାପ୍ତି ହେବା ପରେ ମହାରାଜ ଯୁଧିଷ୍ଠିରଙ୍କୁ ସମ୍ରାଟ ପଦରେ ଅଭିଷିକ୍ତ କରାଗଲା ଓ  ଚକ୍ରବର୍ତ୍ତୀ ସମ୍ରାଟ ବୋଲି ଘୋଷଣା କରାଗଲା।

ଏହା ହିଁ ଥିଲା ମହା ସଂଗ୍ରାମର ମୂଳ କାରଣ।

କ୍ରମଶଃ....

୮. ୨. ୧୮

No comments: